ପୃଷ୍ଠା:Biplaba Suare Padartha Bigyan.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏହି ଦଶକରେ ବୈଦ୍ଯୁତିକ-ଚୁମ୍ବକୀୟ ଏବଂ ଦୁର୍ବଳ ନାଭିକୀୟ ବଳର ଏକତ୍ରୀକରଣ କରିବା ସମ୍ଭବ ହୋଇଥିଲା । ୧୯୭୦ ଦଶକରେ ଅବପାରମାଣବିକ ଦୁନିଆ ବିଷୟରେ ଆମ ଜ୍ଞାନ ଆହୁରି ବଢ଼ିଲା ଏବଂ ପଦାର୍ଥ ବିଜ୍ଞାନରେ ଅନେକ ବିକାଶ ହେଲା ଯାହା ସାହାଯ୍ୟରେ ବିଶ୍ବର ଶେଷ ସୀମା ଯାଏଁ ଗବେଷଣା କରିବା ସମ୍ଭବ ହୋଇପାରିଲା ।

ଆଗକୁ ବାଟ

ଆଜି ମଧ୍ୟ ବିଜ୍ଞାନ ଗବେଷଣାର ଏହି ଧାରା ଜାରି ରହିଛି । ଦିନେ ମଣିଷ ଭାବୁଥିଲା ବିଜ୍ଞାନର ସବୁ ରହସ୍ୟ ସେ ଜାଣିପାରିଛି । କିନ୍ତୁ ତା’ ପରେ ବି ବିଜ୍ଞାନରେ ଅନେକ ଯୁଗାନ୍ତକାରୀ ବିପ୍ଳବ ଆସିଛି । ବିଶ୍ବର ସୀମା ବଢ଼ିବାରେ ଲାଗିଛି । ଏବେ ବିଜ୍ଞାନର ବିଭିନ୍ନ ବିଭାଗ ଭିତରେ ସୀମାରେଖା ଅସ୍ପଷ୍ଟ ହେବାରେ ଲାଗିଛି । ଆବିଷ୍କାର ଓ ପ୍ରୟୋଗ ଭିତରେ ସମୟ ଫାଙ୍କ କମିଚାଲିଛି । ଶେଷରେ ସବୁ ଶକ୍ତିକୁ ଏକାଠି ବୁଝାଇ ପାରୁଥିବା ମହା ଏକତ୍ରୀକରଣ ତତ୍ତ୍ବ ପଦାର୍ଥ ବିଜ୍ଞାନୀଙ୍କର ସ୍ବପ୍ନ ହୋଇରହିଛି । ଆଉ କାହାର ସ୍ବପ୍ନ ହେଉଛି ‘ସବୁକିଛି ପାଇଁ ଏକ ତତ୍ତ୍ବ ବା ଏ ଥିଓରି ଅଫ୍ ଏକ୍ରିଥିଙ୍ଗ ।

ତେବେ ପ୍ରଶ୍ନ ଉଠୁଛି ଏସବୁ ପାଇଲା ପରେ ମଣିଷର ଖୋଜିବା ଶେଷ ହୋଇଯିବ କି ? ଆଉ କିଛି ରହସ୍ୟ ତା' ପାଖରେ ରହିବ ନାହିଁ କି ? ସେଇ ହିଁ ବିଜ୍ଞାନର ସୀମା ହେବ କି ? ହୁଏତ ଏହି ଛୋଟିଆ ଇତିହାସର ଅନୁଶୀଳନରୁ ପାଠକମାନେ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଅନୁପ୍ରାଣିତ ହୋଇପାରିବେ ।

୬୪ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ