ସେଦିନ ରାଜୁ ତା’ର ବାପାମାଆଙ୍କୁ ଦୋଷ ଦେଇ କହୁଥାଏ, “ତୁମେମାନେ ହିଁ ମୋ ଜୀବନକୁ ନଷ୍ଟ କରିଦେଲ; ଭବିଷ୍ୟତ ବରର୍ବାଦ କରିଦେଲ । ନା ଦେଇପାରିଲ ଉଚ୍ଚଶିକ୍ଷା ନା ଭଲ ଘର । ଏଇଥିପାଇଁ କେହି ସାଙ୍ଗ ଆମ ଘରକୁ ଆସନ୍ତି ନାହିଁ । ତୁମମାନଙ୍କ ପାଖରେ ଆଉ ଏମିତି ରହିପାରିବି ନାହିଁ । ଚାଲିଲି ସୁରତ ସୂତା ମିଲ୍ରେ କାମ କରିବି ଆଉ ଆମର ଏ ଅବସ୍ଥା ସୁଧାରିବି ।”
ସମସ୍ତେ ଚାହାଁନ୍ତି ଖୁସିରେ ରହିବାକୁ । ଭଲ ଘର ବଡ଼ ଚାକିରି ଆଉ ତା’ ଭିତରେ ସବୁ କିଛି । ରାଜୁର ବି ଇଚ୍ଛା ଥିଲା ତା’ ବାପାଙ୍କଠାରୁ ବଡ଼ ଚାକିରି କରିବ, ବେଶି ନାଁ କରିବ । ଏସବୁ ଖାଲି ରାଜୁର ସ୍ୱପ୍ନ ନୁହେଁ ରାଜୁ ବାପାମାଆଙ୍କର ବି ଏମିତି ସ୍ୱପ୍ନ ଥିଲା । ହେଲେ ସମୟର ବିଡ଼ମ୍ୱନା ତାକୁ ନେଇ ସୁରତର ଗୋଟେ ସୂତା କଳ ସହ ଯୋଡ଼ୁଛି । ସବୁ ସେହି ବିଧାତାର ଖେଳ ! କେଉଁ ବାପା ମାଆ କ’ଣ ଜାଣି ଶୁଣି ନିଜ ପିଲାର ଭବିଷ୍ୟତକୁ ବିଗାଡ଼ି ପାରିବେ !!
୧୯୯୪ ମସିହା ଅପ୍ରେଲ ୨୬ରେ ଯେତେବେଳେ ରାଜୁର ଜନ୍ମ ହୋଇଥିଲା, ସେତେବେଳେ ଘରକୁ ଖୁସିର ଜୁଆର ଆସିଥିଲା । ରବି ଫସଲ ଭଲ ହେବା ସାଙ୍ଗକୁ ରାଜୁ ବାପାଙ୍କୁ ପ୍ରାଇମେରୀ ସ୍କୁଲରେ ଚାକିରିଟା ବି ମିଳିଗଲା । ରାଜୁ ସମସ୍ତଙ୍କ ପାଇଁ ଲକ୍ଷଣମାନ ସାବ୍ୟସ୍ତ ହୋଇଥିଲା । ରାଜୁକୁ ପାଇ ତା’ର ବାପାମାଆ ଯେତିକି ଖୁସି ନଥିଲେ ତା’ଠୁ ଅଧିକ ଖୁସି ଥିଲେ ତା’ର ପରିବାର । ଏହାରି ଭିତରେ ଖୁସିର ଜୁଆରଟା ଅଧିକ ସମୟ ରହିପାରିଲା ନାହିଁ । ଆସିଲା ୧୯୯୯ର ମହାବାତ୍ୟା ଆଉ ଭାଙ୍ଗି ଦେଇଗଲା ରାଜୁର ଘର, ଭସାଇ ନେଲା ଖୁସି । ଭଗବାନଙ୍କ କୃପାରୁ ଆଶ୍ରୟସ୍ଥଳୀର ଚୁଡ଼ା ଗୁଡ଼ ଖାଇ କଳା ଜରି ଭିତରେ ଜୀବନଟା ରହିଯାଇଥିଲା ସେଦିନ । ବନ୍ୟାରେ ଭାଙ୍ଗିଥିବା ଘରକୁ ପାଥେୟ କରି କକା, ବଡ଼ବାପା, ବୁଢ଼ାବାପା ସମସ୍ତେ ଦେଖେଇଥିଲେ ନିଜ ଅସଲ ରୂପ । ଆଉ ରାଜୁ ବାପାଙ୍କ ପାଖରେ ରହିଯାଇଥିଲା କେତେ ଖଣ୍ଡ ବାଉଁଶ, କଳା ଜରି । ହେଲେ ତା’ ବାପା କେବେ ମୁହଁ ଖୋଲି ନଥିଲେ ।