Jump to content

ପୃଷ୍ଠା:Biswash.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସମସ୍ତେ ସବୁ ନେଇ ଗଲାପରେ ନିଜକୁ ନିଜେ ସମ୍ୱାଳି ଗାଁ ସ୍କୁଲରୁ ଆରମ୍ଭ କରାଇଥିଲେ ରାଜୁର ବିଦ୍ୟାରମ୍ଭ । ବନ୍ୟା ପରବର୍ତ୍ତୀ ପଟୁ ଭଳି ଏହି ବାତ୍ୟା ବି ଦେଇଥିଲା ବହୁତ କିଛି । ବାପାମାଆଙ୍କର ସବୁବେଳେ ଗୋଟିଏ ଚିନ୍ତା, ପିଲାଟା ସିନା ସରକାରୀ ସ୍କୁଲରୁ ପାଠ ଆରମ୍ଭ କଲା କିନ୍ତୁ କଲେଜ ପ୍ରାଇଭେଟ୍‌ରେ ହିଁ କରିବ ତା’ହାଲେ ଆଗକୁ ତ ଯାଇ କିଛି କରିପାରିବ !! ମାଆ ସବୁଥିରୁ ଖର୍ଚ୍ଚ କାଟ୍ କରି ସଞ୍ଚୟ କରିବାରେ ବ୍ୟସ୍ତ, ବାପା ପେଟକୁ ପିଠିକୁ ମାରି ଜମା ରଖିବାରେ ବ୍ୟସ୍ତ ଆଉ ରାଜୁ ମନଧ୍ୟାନ ଦେଇ ପାଠ ପଢ଼ିବାରେ ବ୍ୟସ୍ତ ! କିନ୍ତୁ ତିନି ଜଣଙ୍କର ସ୍ୱପ୍ନ ଏକ ! ଆକାଶରେ ଉଡ଼ିବ, ବଡ଼ ବିଶ୍ୱବିଦ୍ୟାଳୟରେ ପଢ଼ିବ, ବହୁତ ନାଁ କରିବ ପୁଅ । ରାଜୁ ମନ ଲଗାଇ ପାଠ ପଢ଼ିଲା । ମ୍ୟାଟ୍ରିକରେ ଜିଲ୍ଲାରେ ପ୍ରଥମ ହେଲା ଆଉ ଛୁଟିଲା ଶୁଭେଚ୍ଛାର ସୁଅ । ଖୁସିରେ ଆତ୍ମହରା ହୋଇ ପଡ଼ୁଥାନ୍ତି ବାପାମାଆ ଦୁଇଟା । ସ୍ୱପ୍ନ ସତ ହେଲା ପରି ଲାଗୁଥାଏ । ଏଇ ଖୁସିର ଜୁଆର ଏତେ ବେଶୀ ହେଲା ଯେ ସବୁ ସ୍ୱପ୍ନ ଧୋଇ ନେଇଗଲା । ଯେବେ ଜଣାପଡ଼ିଲା ରଖିଥିବା ଟଙ୍କା ସବୁ ଚିଟ୍ ଫଣ୍ଡ୍ କମ୍ପାନୀରେ ବୁଡ଼ି ଯାଇଛି । ପାଦତଳୁ ମାଟି ଖସିଗଲା, ବଜ୍ରପଡ଼ିଲା ଭଳି ଲାଗିଲା ବାପାଙ୍କ ଦେହରେ । ସବୁ ସ୍ୱପ୍ନ ଭାଙ୍ଗିଗଲା ରାଜୁର । ତଥାପି ବି ହାର୍ ମାନିନଥିଲା ସେ ।

ଭାଗ୍ୟକୁ ଦୋଷ ଦେଇ ବାପାଙ୍କୁ ଦେଇଥିଲା ସାନ୍ତ୍ୱନା ଆଉ ନେଇ ଯାଇଥିଲା ଭଣ୍ଡ ସାରଥି ପାଖକୁ, ମନର ପରିବତ୍ତର୍ନ ପାଇଁ । ବାବାଙ୍କ ମିଠା ମିଠା କଥାରେ ଆତ୍ମା ପରମାତ୍ମାର ମିଳନ ହୋଇଥିଲା । ଆଉ ରାଜୁ ରାତାରାତି ପାଲଟିଥିଲା ସବୁ ପରମ ଭକ୍ତଙ୍କ ମୁଖ୍ୟ ଆଦର୍ଶ । ବାବା ଗୋଲକୋଣ୍ଡା ଯିବାବେଳକୁ ରାଜୁ ବିଏ ପାସ୍ କରିଥାଏ । ସାରଥି ଜେଲ୍ ଯିବା ପରେ ସବୁ ଆଶା ଆଉ ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଯାଇଥାଏ ।

ସରକାର ଅଫିସରେ ପିସି କାରବାର । ବେକାରୀ ବୃଦ୍ଧିରେ ଆଉ ତା’ରି ଭିତରେ ରାଜୁ ଆଉ ଆଗକୁ ଯାଇ ପାରିଲିନି । ଘରର ଅବସ୍ଥା, ମାନସିକ ଦୁଃଚିନ୍ତା ଭିତରେ ରାଜୁ ଗୋଟେ ନାମରେ ହିଁ ସୀମିତ ରହିଛି । ମଧ୍ୟବିତ୍ତଙ୍କର ଜୀବନରେ ଦୋଷ କାହାର? ରାଜୁର ନା ରାଜୁ ବାପାମାଆଙ୍କର? ରାଜୁ ଅଭିମାନ କରିଛି ତା’ ବାପାମାଆଙ୍କ ଉପରେ ହେଲେ ତା’ର ଏ ଅବସ୍ଥା ପାଇଁ ଦାୟୀ କିଏ???

* * *