Jump to content

ପୃଷ୍ଠା:Biswash.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଶରତ ଋତୁ ଆଗମନରେ ପରିବର୍ତ୍ତନର ସୁଅ ଛୁଟେ । ଦେହ, ମନରେ ଶିହରଣ ଖେଳିଯାଏ । ଆଉ ଆକାଶରେ ଖରା ଛାଇ ସବୁ ଲୁଚକାଳି ଖେଳିନ୍ତି ମେଘ ସହ । ନଈପଠାର କାଶତଣ୍ଡି ଫୁଲ ପାର୍ବଣ ଋତୁକୁ ଜମେଇ ଦିଏ । ସତେ ଯେମିତି ଏହି ଶରତ ଋତୁ ଧରାପୃଷ୍ଠକୁ ଦୂର୍ଗା ମା’ଙ୍କୁ ହାତ ଧରି ନେଇକି ଆସିଛି । ଆମ ଗାଁ ଦେବେନ୍ଦ୍ର ପୁରରେ ଦୂର୍ଗାପୂଜା ବହୁ ଯାକଜମକରେ ହୁଏ । ଏଥର ଦୂର୍ଗାପୂଜାରେ ଘରକୁ ଗଲେ ଶନିଆ, ଦୟା, ଜଗା, ବାଇନ ଭାଇ ସହ ଗୁଡ଼ାବାଗୁଡ଼ି ଖେଳିବି । ମେଳାରୁ ବନ୍ଧୁକ ଆଣି ସମସ୍ତଙ୍କୁ ଡରେଇବି । କେତେ ମଜା ହେବ ସତରେ ! ବାପା ଯେଉଁ ଦିନଠୁ ଆଣି ହଷ୍ଟେଲରେ ଛାଡ଼ିଛନ୍ତି, କେଇଦିନ ଗୋଟେ ଭଲରେ ଖେଳିବାକୁ ଦଉନାହାଁନ୍ତି । ସବୁବେଳେ ପାଠ ପଢ଼, ପାଠ ପଢ଼ । କିନ୍ତୁ ଏଥର ଦୂର୍ଗାପୂଜାରେ ଘରକୁ ଗଲେ ମନ ଭରି ଖେଳିବି ଆଉ ଖେଳିବି ।

ଆଜି ଆମ ସାର୍ ଗୋଟେ ଗୀତ ପଢ଼ାଉଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସ ପିଲାବେଳେ କୁଆଡ଼େ ଏହି ଦଶହରା ଛୁଟିରେ ଗାଆଁର ରାସ୍ତା କାମ କରି ନିଜର ଦେଶ ସେବାର ପ୍ରଥମ ସୋପାନ ପକାଇଥିଲେ । ଆଉ ସବୁ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ । ସେ ପରବର୍ତ୍ତୀ ସମୟରେ ମଧୁବାରିଷ୍ଟର ହୋଇ ଓଡ଼ିଆ ଜାତିର ଟେକ ରଖିଥିଲେ । ମୁଁ ବି ଏହି ଦଶହରା ଛୁଟିରେ ମୋ ସାଙ୍ଗ ପିଲାଙ୍କ ସହ ମିଶି କିଛି ଭଲକାମ କରିବି । ଠିକ୍ ଏହି ସମୟରେ ହଷ୍ଟେଲ୍ ୱାଡେନ୍ ଆସି ଡାକ ଛାଡ଼ିଲା, “ଖାଇବା ସମୟ ହୋଇଗଲା ଖାଇବ ଆସ ।” ତରବରିଆ ବହି, ଖାତା ବସ୍ତାନୀରେ ରଖିଦେଇ ଖାଇବା ପାଇଁ ଧାଡ଼ିରେ ଲାଗିଗଲି । ଅଧା ଖାଇଛିକି ନାହିଁ ପୁଣି ଥରେ ୱାଡେନ୍ ଆସି କହିଲା, “ଲିପୁନା ତୋ’ ବାପା ଆସିଛନ୍ତି ଦେଖା କରିବାକୁ ।” ଖାଇବାରେ ଆଉ ମନଲାଗିଲା ନାହିଁ, ଦଉଡ଼ି ଦଉଡ଼ି ଯାଇ ଦେଖେ ତ ମା’ ବି ଆସିଛି । ଆଖି ମୋର ଛଳଛଳ ହୋଇଗଲା । ମା’ଙ୍କୁ ଜାବୁଡ଼ିଧରି କହିଲି, “ମାଆ ତୁମସହ ଘରକୁ ଯିବି । ମା’ ପ୍ଲିଜ୍ ମୋତେ ଆଉ ଭଲଲାଗୁନି, ମୁଁ ଘରକୁ ଯିବି ।” ହଠାତ୍ ବାପା କହିଲେ, “ଦେଖିଲୁ ତୋ’ ପାଇଁ କ’ଣ ଆଣିଛି? କେତେ ଚକୋଲେଟ୍, କେତେ ସବୁ ପ୍ଲେଇଙ୍ଗ୍ କାଡ଼୍ ।” ମୋତେ