Jump to content

ପୃଷ୍ଠା:Biswash.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରାଗ ତମ ତମ ହୋଇ ବସ୍ତାନୀକି ଫିଙ୍ଗିଦେଇ ପିଣ୍ଡା ଉପରେ ବସିପଡ଼ି ଚଇତା କହିଲା, “ମାଆ ମୁଁ ଆଉ ସ୍କୁଲକୁ ଯିବିନି । ଗଣେଶ ପୂଜା ୨ ଦିନ ରହିଲା ହେଲେ ତୁ ଚାନ୍ଦା ଦଉନୁ କାହିଁକି? ସାର୍ ମୋତେ ସବୁଦିନେ ଛିଡ଼ା କରିଦେଉଛନ୍ତି । ମୁଁ ଆଉ ସ୍କୁଲକୁ ଯିବିନି । ତୁ ସବୁବେଳେ କହୁଛୁ କାଲି ଦେବି କାଲି ଦେବି ହେଲେତୁ ଦଉନୁ କାହିଁକି ମାଆ?”

“ଭାଦ୍ରବ ମାସ ନିଗିଡ଼ା, ବାପ ତୋ’ ବିମାରୀରେ ବିଛଣା ଧରିଲା । ମୋ ଦେହରେ ତ ତାତି ଭରିଛି । କେଉଁଠୁ ତୋତେ ପଇସା ଦେବି !? ତୁ ସ୍କୁଲକୁ ଚାଲିଯା, ମୁଁ ତୋତେ ଦାସ ବାବୁଙ୍କ ଘରୁ ପଇସା ଆଣି କାଲି ଦେଇଦେବି ତୁ ଆଜି ସ୍କୁଲ୍ ଚାଲିଯା ।” ମନକୁ ବୁଝାଇ ବସ୍ତାନୀକୁ କାନ୍ଧରେ ପକାଇ ସ୍କୁଲ୍ ଚାଲିଗଲା ଚଇତା । ସ୍କୁଲରୁ ଆସିଲା ବେଳକୁ କେଉଁଠି ଥିଲା କେଜାଣି କଳାହାଣ୍ଡିଆ ମେଘଟା ବରକୋଳିଆ ଟୋପାରେ ବର୍ଷିବାରେ ଲାଗିଲା ଆଉ ତା’ ସାଙ୍ଗକୁ ଘଡ଼ଘଡ଼ି ମାରି କାନ ତଡ଼ା କରି ଦେଉଥାଏ । ଯାହାହେଉ ଦେହ ସିନା ଓଦା ଦୋକାନ ବାରଣ୍ଡାଟା ପାଇଁ ବସ୍ତାନି ରକ୍ଷା ପାଇଗଲା । ମା’ ଆଜି ବହୁତ ମାରିବ କହିବ ଆଉ ଅଧ ଘଣ୍ଟା ସ୍କୁଲ୍‌ରେ ରହିଥିଲେ ହୋଇ ନଥାନ୍ତା ! ବର୍ଷାରେ ଭିଜିଲୁ ଜ୍ୱର ହେଲେ କିଏ ବୁଝିବ ଯେ ! ଦୌଡ଼ି ଦୌଡ଼ି ଚୁପକିନା ଆସି ବାରିପଟ ଦ୍ୱାର ବାଟେ ଘରକୁ ପଶିଲା । ଭିଜା ଲୁଗାକୁ ଶୁଖାଇ ଦେଲା । ୨ ଦିନ ପରେ ଗଣେଶ ପୂଜା, ବାପା ବିଛଣାରେ ଶୋଇଛନ୍ତି । ସେ ଭଲ ଥିଲେ ମୋର ନିହାତି ନୂଆ ଲୁଗା ହୋଇ ଥାଆନ୍ତା । ଛାଡ଼... ମା...ମା ବୋଲି ଡାକଛାଡ଼ିଲା କିନ୍ତୁ ମା’ ଶୁଣିଲେନି । ମା’ ବୋଧହୁଏ ଦାସ ବାବୁଙ୍କ ଘରକୁ ଯାଇଛି । ଭିତର ଘର ଭିତରକୁ ଗଲା ୨ରୁ ୩ଟା ଟିଣ ବାକ୍ସ ଉହ୍ଲାଇ ୨ବର୍ଷ ତଳେ ମାମୁଁ ଘର ଦେଇଥିବା ନୂଆଁ ଲୁଗା କାଢ଼ିଲା । ମନେ ମନେ ଖୁସି ହେଲା ଏଇଟାକୁ ପିନ୍ଧି ପୂଜାରେ ଖୁବ ବୁଲିବି । ଚଟାପଟ୍ ରଖିଦେଇ ଥକା ଶରୀରରେ ଶୋଇପଡ଼ିଲା ଚଇତା ।

କିଛି ସମୟ ପରେ କବାଟ ଠକ୍ ଠକ୍ ହେଲା କେହିଜଣେ ଆସି ଡାକ ଛାଡ଼ିଲା, “ଚଇତା ତୋ’ ମାଆ ଆସିଲାଣି ଉଠ୍ ଚଇତା ।” ନିଦଭରା ଆଖିରେ ମନକୁ ସାନ୍ତ୍ୱନା ଦେଇ ଉଠିକି ବସିଲା । ଆଜି ମା’ ତାକୁ ଗଣେଶ ପୂଜା ଚାନ୍ଦା ଦବ, କାଲି ସେ ମନିଟର ମୁହଁରେ ମାରି କହିବ ମୁଁ ବି ଚାନ୍ଦା ଦେଇ ଦେଇଛି । ଧୀରେ ଧୀରେ କୋଳାହଳ ବଢ଼ିବାରେ ଲାଗିଲା,