ବସିଥିବା ଜାଗାରୁ ଧଡ଼କିନା ଉଠି ଦେଖେ ତ ଲୋକଙ୍କ ଭିଡ଼ ଲାଗିଛି । ଭାରି ଡର ଲାଗୁଥାଏ, ଆଜି ମୁଁ ତ କାହାରି କିଛି କରିନି । ମାନସ ଭାଇକୁ ମାଗିକି ଗୋଟିଏ ପିଜୁଳୀ ଖାଇଥିଲି ସେ ପୁଣି ଏଠି କ’ଣ କରୁଛି !? ମୁଁ ଯାଇ ସିଧା ସିଧା କହିଦେବି ମା’ ଏମାନେ ସମସ୍ତେ ମିଶି ମିଛ କହୁଛନ୍ତି । ଧୀରେ ଧୀରେ ଆଗକୁ ଆସି ଭିଡ଼ ଆଡ଼େଇ ଦେଖେ ତ କାଦ ବଲ ବଲ ଶରୀରରେ ଚୁପ ଚାପ୍ ଶୋଇଛି, କାହାରିକୁ କିଛି କହୁନି ମା । “କ’ଣ ହୋଇଛି ମୋ ମା’ର କେହି କିଛି କହୁନ କାହଁକି?” ଆଖିକୁ ଛଳ କରି ଡାକିବାରେ ଲାଗିଲା, “ମା’ ତୁ ଉଠୁନୁ କାହିଁକି ତୋ’ର କ’ଣ ହୋଇଛି? ଆଜିତୁ ଗଣେଶ ପୂଜା ଚାନ୍ଦା ନ ଦେଲେ ମୁଁ ସ୍କୁଲ୍ ଯିବିନି ମା’ । ଉଠ୍ ମାଆ ଉଠ୍ ।” କେହି ଜଣେ ପଛରୁ କହିଲା, “ତୋ ମା’ ଦାସ ବାବୁଙ୍କର ବିଲକୁ କାମରେ ଯାଇଥିଲା, ଘଡ଼ଘଡ଼ି ମାରିଦେଲା ଆଉ ତୋ’ର ମାଆ ମରିଗଲା ।” କାନକୁ ବିଶ୍ୱାସ କରି ପାରୁନଥାଏ ଚଇତା । ଆଖିରୁ ଲୁହର ଧାରା ବି ବୋଲ ମାନୁନଥାଏ ।
ଖାଲି ଜୋର୍ ଜୋର୍ ସେ ଚିଲାଇ କହୁଥାଏ, “ମୁଁ ମୋ ମା’କୁ ମାରିଦେଲି ।” ମା’କୁ ହଲାଇ ହଲାଇ କହୁଥାଏ, “ମା’ ଉଠ୍ ମାଆ । ସାର୍ ଛିଡ଼ା କରାନ୍ତୁ ପଛକେ ତୋତେ ଆଉ ଗଣେଶ ପୂଜା ଚାନ୍ଦା ମାଗିବିନି...”