Jump to content

ପୃଷ୍ଠା:Biswash.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଜଣା । ସବୁବେଳେ ସିନା ଝଗଡ଼ା କରନ୍ତି କିନ୍ତୁ କେହି କାହାରିକୁ ଛାଡ଼ି ଗୋଟାଏ ମୁହୂର୍ତ୍ତ ବି ରହିପାରନ୍ତି ନାହିଁ ।

ସବୁଦିନ ସ୍କୁଲ୍‌ରେ ଠିକ୍ ସମୟରେ ପହଞ୍ଚି ଯା’ନ୍ତି ସିନା କ୍ଲାସରେ କିନ୍ତୁ ହୋମ୍‌ୱାର୍କ କେବେବି କରିନଥାନ୍ତି । ଯଦି କେବେ କେହି ମାଡ଼ ଡରରେ ହୋମ୍‌ୱାର୍କ କରିଛି ନା ସେଦିନ ତା’ର ଅବସ୍ଥା ଖରାପ କରି ଦିଅନ୍ତି ଅନ୍ୟ ଦୁଇ ଜଣ । ଲିପୁ ବାପାଙ୍କ ପାଖରେ ବାହାନା କରି ପଇସା ଆଣେ, ଅମର ଛୁଟି ନେବାର ଯୋଜନା କରେ ଆଉ ମୁନା ସାର୍‌ଙ୍କ ପାଖରେ ମାଡ଼ ଖାଇବା ପାଇଁ ଛିଡ଼ା ହୋଇଯାଏ । ସବୁଠାରୁ ବଡ଼କଥା ହେଲା, ପ୍ରୋଗ୍ରେସ୍ ରିପୋଟ୍ ନିଜେ ନିଜେ ବାପାଙ୍କ ନାମ ଲେଖି ସାରଙ୍କୁ ଦେବାର କଳା ସ୍କୁଲରେ ଏହିମାନେ ଆରମ୍ଭ କରିଥିଲେ ।

ଜଣା ପଡ଼ିଲାନି କେତେବେଳେ ଏତେ ଗୁଡ଼ାଏ ସମୟ କେମିତି ଏତେ ସହଜରେ ସରିଗଲା । କ୍ଲାସରୁ କ୍ଲାସ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁ ଚଢ଼ୁ ଶେଷରେ ଦଶମ ଶ୍ରେଣୀର ଶେଷ ପରୀକ୍ଷା ବି ସରିଗଲା କିଛିବି ଜଣାପଡ଼ିଲା ନାହିଁ । ମନରେ ଅବଶୋଷ ଗୋଟିଏ, କେବେବି ସମସ୍ତେ ସାଙ୍ଗ ହୋଇ ସ୍କୁଲ୍ ଯାଇ ପାରିବା ନାହିଁ । ସମସ୍ତଙ୍କ ଆଖି ଛଳଛଳ ହୋଇଥିଲା । କ’ଣ ହେଲା କେଜାଣି ଅମର ଆଉ ଲିପୁକୁ ଧରି ମୁନା କାନ୍ଦିବାରେ ଲାଗିଲା । କାହିଁକି ନା ସେ ବୁଝି ପାରିଥିଲା ଏଇ ପରୀକ୍ଷାର କ୍ୟାମ୍ପ୍ ଛାଡ଼ିବା ପରେ କେବେ ବି ଆଉ ମିଶିପାରିବା ନାହିଁ ।

ସଞ୍ଜ ନଇଁବାରେ ଲାଗୁଥାଏ, କ୍ୟାମ୍ପ୍ ପାଖ ଚୁଲିର ନିଆଁ ସତେଜ୍ ଥାଏ । ଗାଡ଼ି ଆସି ଲାଗିଲା । କ୍ୟାମ୍ପ ଛାଡ଼ିବାକୁ ଇଚ୍ଛା ନଥିଲେ ବି ସେଦିନ ପରୀକ୍ଷାର କ୍ୟାମ୍ପ୍ ଛାଡ଼ିଥିଲେ ମୁନା, ଅମର, ଲିପୁ ଆଉ ଅନ୍ୟମାନେ । ଆଉ ଏତିକିରେ ସରିଥିଲା ସ୍କୁଲ୍ ଜୀବନ ।

* * *