Jump to content

ପୃଷ୍ଠା:Biswash.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏତେ ଥଣ୍ଡାରେ ନିଦରୁ ଉଠି ଦାନ୍ତପତ୍ର ଘସି, ଗାଧେଇ ପାଧୋଇ ନୂଆଲୁଗା ପିନ୍ଧି ମନ୍ଦିରକୁ ଯିବା କ’ଣ ଏତେ ସହଜ ! ନିଦ ଭରା ଆଖିରେ ଶୀତୁଆ ସକାଳର କମ୍ୱଳ ଭିତରୁ ଥାଇ ମୋବାଇଲ୍ ଚଲାଇବା ଯେଉଁ ମଜା କେଉଁ ଫାଇଭ୍ ଷ୍ଟାର ହୋଟେଲ୍ ବି ଦେବନି । କିନ୍ତୁ କ’ଣ କରିବି ଧର୍ମ ପତ୍ନୀଙ୍କ ଅଜ୍ଞା ଶିରୋଧାର୍ଯ୍ୟ, ଆଜିକାଲି ଘରେ ଆମର ଚାଲୁଛି କେଉଁଠୁ !

କାର୍ତ୍ତିକରେ ଆଇଁଷ ମନା । ଏଇ ଦୁଇ ଦିନ ହେଲା ତ ଗଲା କାତ୍ତିକ ପୂର୍ଣ୍ଣିମା, ଆଜି ପୁଣି କ’ଣ? ସେଦିନ ତ ଡଙ୍ଗା ଭସାଇ ମନ୍ଦିର ଯାଇଥିଲି, ଆଜି କାହିଁକି? ଠାକୁର ଭକ୍ତି ନା ନୂଆ ଶାଢ଼ୀ ପାଇଁ ଏକ ବାହାନା !

ବିଛଣାରେ ଥାଇ କମ୍ବଳଟା ଆଡ଼େଇ ଅଳସ ଭରା କଣ୍ଠରେ ତାପସ କହିଲେ, “ମୋ ଦେଇ ଡେଲି ଡେଲି ଏତେ ସକାଳୁ ଉଠି ମନ୍ଦିର ଯିବା ହୋଇପାରିବ ନାହିଁ । ତୁମେ ଯାଅ, ମୁଁ ଶୋଇଯାଉଛି ।” ଅପ୍ରସ୍ତୁତ ଭାବେ ଡ୍ରେସିଂ ଟେବୁଲ୍ ପାଖେ ସଜ ହେଉ ହେଉ ପଛକୁ ବୁଲି ପଡ଼ିଲା ସ୍ୱପ୍ନା । କଟାକ୍ଷୀ ଆଖିରେ ଦେଖି କହିଲା, “ଦେଖ ! ଏସବୁ ଠିକ୍ ହେଉନି । ଆଜି ଭଳି ଦିନରେ ତୁମ ମୁହଁରୁ ଏକଥା ଶୋଭା ପାଉନି । ଯାଅ ଶୀଘ୍ର ଗାଧେଇକି ରେଡି ହୋଇଯିବ । ଦେଖ, ତୁମେ ନଉଠିଲେ ମୁଁ ରାଗିଯିବି । ପ୍ଲିଜ୍ ଉଠିକି ରେଡି ହୁଅନା !”

ଧୀର କଣ୍ଠରେ ତାପସ କହିଲେ, “ହଉ ବାବା ମୁଁ ଯାଉଛି । କିନ୍ତୁ ଆଜି କାହିଁକି ମନ୍ଦିର ଯିବା କାରଣଟା ତୁମେ ତ କହିଲନି??” କିଛି ସମୟର ନୀରବତା ପରେ...”ହଉ ଯାଉଛି । ଏବେତ କୁହ...”

“ତୁମର ତ ଯେମିତି କିଛି ମନେ ନାହିଁଭ । ଆଜି ୧୫ ନଭେମ୍ୱର । ମାନେ... ମାନେ... ଆମ ବିବାହ ବାର୍ଷିକ । ତୁମେ ତ ଗଧ ! ତୁମର କିଛି ମନେ ନାହିଁ । ଯାଅ ଶୀଘ୍ର ରେଡି ହୋଇଯିବ । ମୁଁ ଫୁଲ, ଦୁବ, ବରକୋଳି ପତ୍ର, ଧୂପ, ଚନ୍ଦନ ଆଦି ସଜାଡ଼ୁଛି ।”