Jump to content

ପୃଷ୍ଠା:Biswash.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସେ ବି ସେହି କଥା କହିଲା । ଦ୍ଵନ୍ଦରେ ପଡ଼ିଗଲି କିନ୍ତୁ ମନରେ ନିଆଁ ଲାଗିଗଲା, ଛାତିରେ ମଳୟ ବୋହିଲା ଓ ହୃଦୟର ସ୍ପନ୍ଦନଟା ଯେମିତି ଅବୋଲକରା ହୋଇଗଲା । ତା’ର ସେଇ ଛୋଟ ଓଠ, ନିରୀହ ଆଖି ମୋତେ ଯେମିତି ପାଗଳ କରି ଦେଉଥାଏ ! ବୈଶାଖରେ ଶୁଖିଯାଇଥିବା ମନରେ ପ୍ରେମର ବର୍ଷା ହେବାକୁ ଲାଗିଲା । ଏମିତି ଦେଖାଦେଖି ଭିତରେ କ୍ଲାସ୍ ଶେଷ ହେବା ଘଣ୍ଟି ବାଜିଲା । ଏମିତିରେ ଏହାରି ଭିତରେ ୩ଟା କ୍ଲାସ୍ ସରିଯାଇଥାଏ ହେଲେ କିଛି ଜଣା ପଡ଼ୁନଥାଏ । ଧୀରେ ଧୀରେ ସମସ୍ତେ ଉଠିକରି ବାହାରକୁ ଗଲେ ଆଉ ମୁଁ ଦିଲ୍ଲିପକୁ ଜାବୁଡ଼ି ଧରି କହିଲି, “ରେ ଦିଲ୍ଲିପି ! ମୋତେ ପ୍ରେମ ହୋଇଗଲାରେ... ମୋତେ ପ୍ରେମ ହୋଇଗଲା ।”

କ୍ଲାସ ରୁମ୍ ଭିତରେ ମୋ ସାଙ୍ଗ ଚକରା ଓ ସରୋଜ ସହ ମିଶି ମସ୍ତି କରୁଥାଏ । ହଠାତ୍ ଦିଲ୍ଲିପ ଆସି କହିଲା, “ରାଜେଶ ତୋତେ ସେ ଝିଅ ଡାକୁଛି, ବାହାରେ ଛିଡ଼ା ହୋଇଛି, କିଛି ଗୋଟେ କହିବ ।” ମନରେ ଲଡ଼ୁ ଫୁଟିଗଲା । ମୋର ଷ୍ଟାଇଲ୍, ସ୍ମାଇଲ୍ ସହ ଚାଲି ବି ବଦଳିଗଲା । ସରୋଜର ପାକିଳିଆ କଥା ଶୁଣି ଭାବିଲି ଆଜି ଗୋଟେ ପ୍ରୋପଜ୍‌ଟା ହୋଇଯିବ । ଆଉ ପ୍ରୋପଜ୍ ପରେ ପାର୍ଟି, ପୁଣି ଆଉ କିଛି... ଏମିତି ହଉ ହଉ କ୍ଲାସ ବାହାରକୁ ଆସିଲି । କ୍ଲାସ୍ ବାହାରେ ଗାର୍ଡେନ୍‌ରେ ସେ ଆଉ ତା’ ସାଙ୍ଗ ଦୁଇ ଜଣ ଛିଡ଼ା ହୋଇଥାନ୍ତି । ମନ ଉଛନ୍ନ ହେଲା, ଆଜି କିଛି ଗୋଟେ ହବ । ସହାସ ହେଉ ନଥାଏ, ସମସ୍ତେ ବେଷ୍ଟ ଅଫ ଲକ୍ କହି ଛାଡ଼ିଥିଲେ । ମନ ଖୁସିରେ ଧୀରେ ଧୀରେ ଯାଇ ତାଙ୍କ ପାଖରେ ପହଞ୍ଚିଲି । ଆଉ ତା ପରେ ଯେଉଁ କଥା ହେଲାନା, ସେଥିରେ ମୁଁ ମୋ ପର୍ସରୁ ୫୦୦ ଟଙ୍କା ଦେଲାପରେ ଯାଇ ସୁଝିଲା ।

ପ୍ରେମ ଫ୍ରେମ ସବୁକିଛି ପାଣିର ଫଟୋକା ପରି ମିଳାଇ ଗଲା । ମୁହଁକୁ ଶୁଖାଇ ଫେରିଲା ପରେ ଚକରା ଆଉ ଦିଲ୍ଲିପି ପଚାରିଲେ, “କ’ଣ ହେଲା?” “ଆବେ ସାଇକେଲ୍ ଷ୍ଟାଣ୍ଡରେ ଯୋଉ ସାଇକେଲକୁ ଧକ୍କା ଦେଇଥିଲି, ସେ ସାଇକେଲ୍ ୟାର ଥିଲା, ଆଉ କ’ଣ ହେବ?” ସେବେଠାରୁ କାନ ମୁଣ୍ଡ ଆଉଁସି ଶପଥ ନେଲି କେବେବି କହା କଥାରେ ପଡ଼ି ନିଜ ଭାବନାକୁ ବଢ଼ାଇବି ନାହିଁ । କିନ୍ତୁ ସେଇ ମିଛ ଭାବନାରେ ଯେଉଁ ପ୍ରେମ ଆରମ୍ଭ କରିଥିଲା ନା ପ୍ରେମର ଅନୁଭୂତିକୁ ମନ, ହୃଦୟରେ ଛାପ ଛାଡ଼ି ଦେଇଥିଲା । ଖୁବ୍ ଚମତ୍କାର ଥିଲା ତାହାର ପରିଭାଷା ।

* * *