ରାଜଧାନୀର ରାଜରାସ୍ତା ଉପରେ ଅନ୍ୟମନସ୍କ ଭାବେ ଛିଡ଼ା ହୋଇଥିଲା ଲିପ୍ସା, ପାଖରେ ଥାଏ ଲଗେଜ୍, ହାତରେ ମୋବାଇଲ୍ । ଏଣେ ଲକ୍ଡାଉନ୍ର ଶୁନ୍ଶାନ୍ ରାସ୍ତା, ତଥାପି ସେ ବାରମ୍ୱାର ଅନେଇ ଚାଲିଥାଏ ଉଭର ବ୍ରିଜ୍ ଆଡ଼କୁ । ନା ଅଛି ଅଟୋ ନା ଅଛି ଟ୍ୟାକ୍ସି । ପୁଣି ଏ ଅସମୟରେ ସାହାଯ୍ୟ ବା କରିବ କିଏ? ଅନେକ ସମୟର ଅପେକ୍ଷା ପରେ ମନର ରାଗକୁ ମନରେ ମାରି ବସିପଡ଼ିଲା ରାସ୍ତା କଡ଼ର ଫୁଟ୍ପାଥ୍ ଉପରେ । ଆଖିରେ ଆଖିଏ ସ୍ୱପ୍ନ ଆଉ ମନରେ ଅସୁମାରୀ ପ୍ରଶ୍ନ । ସମୟର ଭାବନାକୁ ନେଇ ହଜିଗଲା ନିଜ ଭିତରେ ।
ଅନେକ ଦିନ ପରେ ଘରୁ ଫେରିଥାଏ ମେସ୍କୁ, ଆଉ ଏହାସାଙ୍ଗକୁ ଓଡ଼ିଶାର ପାଣିପାଗ କଥା ନକହିବା ଭଲ । ଅଦିନର ବର୍ଷା ଏମିତି ହେଲା ଯେ ଦେହରେ ଜମା ଗଲାନାହିଁ ହାଲ୍କା ସର୍ଦ୍ଦି ସାଙ୍ଗକୁ ଜ୍ୱରଟା ବି ମାଡ଼ି ବସିଲା । ଡକ୍ତର ପାଖକୁ ଯିବାକୁ ଭାବୁଥିଲା ହେଲେ କରୋନା ପାଇଁ ଲକ୍ଡାଉନ୍ ଆରମ୍ଭ । ପାଖ ପିଲାମାନେ କ’ଣ ଭାବୁଥିଲେ କେଜାଣି, ପାଖ ମାଡ଼ୁନଥିଲେ । ହଁ ! ଏଠି ଆଉ ଘର ହୋଇଛି ଯେ ମାଆଙ୍କର ପରଶରେ ଦେହ ଭଲ ହୋଇଯିବ !! ନିଜକୁ ଆଉ ସମ୍ଭାଳି ପାରିଲାନି ଲିପ୍ସା, ବାଧ୍ୟ ହୋଇ କଷ୍ଟଭରା ଦେହକୁ ନେଇ ବହୁ କଷ୍ଟରେ ମେଡିକାଲ୍ ଗଲା । ଆଉ ସେଇଠୁ ଫେରି ଦେଖେ ତ ସତେ ଯେମିତି ପାଦତଳୁ ମାଟି ଖସିଗଲା ପରି ଲାଗିଲା । ବିଶ୍ୱାସ କରିପାରିଲା ନାହିଁ ନିଜକୁ ଆଉ ତାକୁ ଦେଖୁଥିବା ପ୍ରତ୍ୟେକ ଚରିତ୍ରକୁ । କାହିଁକିନା ତା’ର ବ୍ୟାଗ୍, ଲଗେଜ୍ ସବୁ ଗେଟ୍ ପାଖରେ ଥୁଆ ହୋଇଛି ଆଉ ସମସ୍ତେ କହୁଛନ୍ତି ତାକୁ କୁଆଡ଼େ କରୋନା ହୋଇଛି । ସମସ୍ତଙ୍କୁ ବୁଝାଇ ବୁଝାଇ ସିନା ଥକିଗଲା, ନେହୁରା ହେଲା, ହେଲେ ତା’ କଥା ବୁଝିବାକୁ କେହି ପ୍ରସ୍ତୁତ ନଥିଲେ । ସାଙ୍ଗସାଥୀ, ପଡ଼ୋଶୀ ମାଉସୀ ସତେ ଯେମିତି ଘଡ଼ିକରେ ବଦଳିଗଲେ ବହୁରୂପୀ ଏଣ୍ଡୁଅ ପରି ! ସମସ୍ତେ ଯେମିତି ପଥର ହୋଇଯାଆନ୍ତି !! କେହିହେଲେ ଥରୁଟିଏ ବୁଝିଲେନି ଏତେ ବଡ଼ ଭୂବନେଶ୍ୱରରେ ଏଇ ଲକ୍ଡାଉନ୍ରେ ଝିଅଟିଏ ଯିବ କୁଆଡ଼େ ! ସୂର୍ଯ୍ୟଙ୍କର ଅନ୍ତିମ କିରଣ ପୃଥିବୀ ଛାଡ଼ୁଥାଏ, ହଠାତ୍ ବାଇକ୍ର ହର୍ଣ୍ଣ ବାଜିଲା । ଚମକି ପଡ଼ି ଲିପ୍ସା ଭାବନା ରାଇଜରୁ ଫେରିଆସି ଚୁପ୍ଚାପ୍ ଯାଇ ଆକାଶ