Jump to content

ପୃଷ୍ଠା:Biswash.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସକାଳର ସୂର୍ଯ୍ୟ ସିନା ଆଲୋକ ଆଣେ ଏ ଧରାପୃଷ୍ଠରେ କିନ୍ତୁ ମନରେ ଆଣି ପାରେନି । ମନରେ ଦେହରେ ଆଲୋକ ପାଇଁ ଆବଶ୍ୟକ ଶିକ୍ଷା । ବାସ୍ତବରେ ଜ୍ଞାନ ବିନା ଦୁନିଆ ଅନ୍ଧାର । ବିରାଟ ଆଶା ଉଚ୍ଚ ଆକାଂକ୍ଷା ନେଇ ମଣିଷ ଗତିଶୀଳ, ହେଲେ ବାସ୍ତବତା ତକିଆ ଉପରେ ଶୋଇଛି । ଜୀବନରେ ଦିନେ ବଡ଼ ହେବାର ସ୍ୱପ୍ନ ନେଇ ବାପାଙ୍କ ପାଦ ଛୁଇଁ ସିନା ଶପଥ ନେଇଛି କିନ୍ତୁ ସତଟା ପୂରା ଭିନ୍ନ ।

ନିଦରୁ ଉଠିବା କ୍ଷଣି ଚଟାପଟ୍ ଟିଭି ପାଖରେ ବସିପଡ଼ିଲି ଗୋଟିଏ ଆଧ୍ୟାତ୍ମିକ ଚ୍ୟାନାଲ ଖୋଲି । ଆପଣଙ୍କୁ କ’ଣ ଲାଗୁଛି? ମୁଁ ଗୋଟେ ଆଧ୍ୟାତ୍ମିକବାଦୀ ପିଲା !? ଯଦି ଆପଣ ଭାବୁଛନ୍ତି ତା’ହାଲେ ଭୁଲ ଭାବୁଛନ୍ତି । ମୁଁ ସୁନାପିଲା ଭଳି ବସି ରାଶିଫଳ ଦେଖୁଛି । ସନିଆ, ପିଣ୍ଟୁ ଆଉ ବାପିର ମଧ୍ୟ ରାଶିଫଳ ଦେଖି ତାଙ୍କୁ ସ୍କୁଲରେ କହିବାରେ ଅଛି । ଘଣ୍ଟାରେ ସମୟ ଦେଖିକରି ଜୋର୍ ଜୋର୍ ଡାକଛାଡ଼ିଲି,

- ମାଆ... ମାଆ... ଓଃ ମାଆ ! କିଛି ଗୁଡ଼, ଆଉ କିଛି ଦୂବ ଘାସ ରେଡି କରିକି ରଖ ମାଆ । ସ୍କୁଲ୍ ଯିବାପାଇଁ ଡେରି ହେଲାଣି ପରା ! ତୁମେ ରେଡ଼ି କରି ରଖ ମୁଁ ଗାଧେଇ ଆସୁଛି ।

- ତୁ ତ ସ୍କୁଲ୍ ଯିବୁ, ପୁଣି ଏଇ ଦୁବ ଘାସ, ଗୁଡ଼ ନେଇ କ’ଣ କରିବୁ କି??

- ତୁମେ କ’ଣ ଜାଣିନ କି? ସବୁ ସେଇ ସ୍ୱାଇଁ ସାର୍‌ଙ୍କ ପାଇଁ । ଆଜି ଟିଭିରେ ଜ୍ୟୋତିଷ କହିଛି ପିମ୍ଫୁଡ଼ିକୁ ଗୁଡ଼ ଆଉ ବାଛୁରୀକୁ ଦୁବଘାସ ଖୁଆଇଲେ କୁଆଡ଼େ ସବୁ ରିଷ୍ଟ ଖଣ୍ଡନ ହେବ । ଦେଲୁ ଦେଲୁ ଜଲଦି ଦେଲୁ, ମୋର ସ୍କୁଲ୍ ବେଳ ଲେଟ୍ ହେଲାଣି ।

ଅଙ୍କା ବଙ୍କା କାଦୁଅର ରାସ୍ତା । ବୁଲି ବୁଲି ଗଲେ ପଡ଼େ ଆମ ସ୍କୁଲ୍ । ସ୍କୁଲ ଷ୍ଟାଣ୍ଡ ପାଖରେ ହୋଇଥିବାରୁ ଘର ଲୋକଙ୍କୁ ଭାରି ଡର କିନ୍ତୁ ମୋତେ ଏହି ଗାଡ଼ିଘୋଡ଼ା ଦେଖି ଯେତିକି ଡର ଲାଗେନି ତା’ଠୁ ଅଧିକ ଡର ଆମ ବିଜ୍ଞାନ ଓ ଗଣିତ ଶିକ୍ଷକ ସ୍ୱାଇଁ ସାର୍‌ଙ୍କୁ