ପୃଷ୍ଠା:Chha mana atha guntha.pdf/୧୦

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସରିଲେ ଆଉ କାହାରି ବିକିବାର ଅଧିକାର ନାହିଁ । ସେ ତ ଠିକ କଥା । ଭଲ ଜିନିଷ ଗୁଡ଼ାକ ପଡ଼ିରହିବ, ଖରାପ ଜିନିଷ ଆଗେ ବିକ୍ରି ହେବ, ଏହା ତ ଉଚିତ୍ ନୁହେଁ । ହାଟ ଯେ ନିଜ ଜମିଦାରୀ ମଧ୍ୟରେ, ଅନ୍ୟ ଲୋକର ହୋଇ ଥିଲେ ଅନ୍ୟ କଥା । ସୁନିଆ ଓ ପର୍ବ ପର୍ବାଣୀରେ ଯେ ସବୁ କଖାରୁ, ବାଇଗଣ, କଖାରୁ ଭେଟି ଆସେ, ସେ ସବୁ ସଳଖେ ହାଟକୁ ଯାଏ । ଚୀନ୍ ଦେଶର ପ୍ରାଚୀର ତୟାରୀ ହେଲା ଉତ୍ତାରେ ସମ୍ରାଟ ସମସ୍ତ ଇତିହାସ ଲେଖକଙ୍କୁ ଧରିଆଣି ହତ୍ୟା କରିଥିଲେ; କାରଣ ପ୍ରାଚୀରରେ କେତେ ଟଙ୍କା ଖରଚ ହେଲା, କାଳେସେମାନେ ଲେଖିପକାଇବେ । ଏଥକୁ ଆମ୍ଭେମାନେ ସମ୍ରାଟଙ୍କୁ ନିରହଙ୍କାରି ପୁରୁଷ ବୋଲି କହୁ । ମହତ ଲୋକମାନେ ମହତ କାର୍ଯ୍ୟ ସାଧନ କରି ସେଥିରେ କେତେ ଟଙ୍କା ଖରଚ ହେଲା, କହିବୁଲନ୍ତି ନାହିଁ । ମଙ୍ଗରାଜଙ୍କୁ ପଚାର, ଆପଣଙ୍କ ନଅର ବନାରେ କେତେଟଙ୍କା ଲାଗିଲା? ଉତ୍ତର 'ଢ଼େର ଟଙ୍କା, ଢ଼େର ଟଙ୍କା, ମୁଁ ତ ସେଥିରେ ମରିଗଲି । ପାଠକ ନିରାଶ ହେବେ ନାହିଁ, ଅଧିର ହେବେ ନାହିଁ ।

ପ୍ରତ୍ନତତ୍ତ୍ଵ ବିଦ୍ୟାଳୟରେ ସବୁ ପୁରୁଣା କଥାର ଠିକଣା ଲାଗିଯାଏ । ନଅଶ ବରଶ ଉତ୍ତାରେ ଜଣେ ସାହେବ ଆସି ପୁରୀ ମନ୍ଦିର ତୟାରିରେ କେତେ ଟଙ୍କା ଖରଚ ହେଲା, ତାହା ହିସାବ କରି ତାଲିକା ଦେଖାଇଲେ । ମଙ୍ଗରାଜଙ୍କର ଲେଉଟିଆ ଶାଗ ବିକ୍ରି ପର୍ଯ୍ୟନ୍ତ ପତ୍ର ରହିଅଛି, ଘର ତୟାରି ଖରଚର କି ହିସାବ ମିଳିବ ନାହିଁ ? ଦେଓଆନ ଗଙ୍ଗାଗୋବିନ୍ଦ ସିଂହଙ୍କ ମାତୃ କ୍ରିୟା ପରି କ୍ରିୟା ଭାରତ ବର୍ଷରେ ଆଜିଯାଏ କେହି କରିନାହିଁ, କରିବ ନାହିଁ । ବଙ୍ଗଳା ହତାର ସମୁଦାୟ ଜିଲ୍ଲାର କିଲଟର ସାହେବ ଡାଲି, ଚାଉଳ, ମଇଦା, ତେଲ, ଘିଅ, ନଡ଼ିଆ, କଦଳୀ କିଣି ପଠାଇବେ ବୋଲି ବଡ଼ଲାଟ ସାହେବ ସେମାନଙ୍କ ଉପରେ ଚିଠା ଜାରି କରିଥିଲେ । ନବଦ୍ଵୀପର ରାଜା ଶିବଚନ୍ଦ୍ର ସେହିପରି ମାତୃକ୍ରିୟା କରିବାକୁ ଇଛାକରି ଖରଚର ଡାବ ମାଗି ପଠାଇଲେ । ଦେଓଆନ୍ ଗଙ୍ଗାଗୋବିନ୍ଦ କେବଳ ଗଞ୍ଜେଇ, ଆପୁ, ଧୂଆଁପତ୍ର ଖରଚର ଡାବ ପଠାଇଦେଇ ତାହା ଅନୁପାତରେ ସମସ୍ତ ଖରଚର ଠିକଣା ଲଗାଇବାକୁ ସଙ୍କେତ କରି ଭାଷା