ପୃଷ୍ଠା:Chha mana atha guntha.pdf/୧୦୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଭୁଜା ଉଖୁଡ଼ା ଦୁଇମାଣ ମୁକୁନ୍ଦ ହାତରେ କିଣେଇଦିଅନ୍ତି କିମ୍ବା କାହାରି ଘରେ ଖାଇବାର ନ ଥିଲେ ତାହା ଭାଗ୍ୟରେ ପଡ଼େ । ଏପରି ଦେବାର ଶୁଣାଯାଏ, କିନ୍ତୁ କେହି କେବେ ଦେଖି ନାହିଁ । ଯାହାହେଉ, ସାଆନ୍ତାଣୀଙ୍କର ଦୋଷ ଥାଉ ବା ଗୁଣ ଥାଉ, ଘରଠାରୁ ବାହାର ପର୍ଯ୍ୟନ୍ତ ସମସ୍ତେ ହାୟ ହାୟ କରୁଛନ୍ତି । କେବଳ କାନ୍ଦୁ ନାହିଁ ଜଣେ । ମୁକୁନ୍ଦା ହଳିଆ ପାକୁଆ ପାଟିଟାକୁ ଆଁ କରି, ଆଖିବୁଜି, ମାଂସଶୂନ୍ୟ ଡେଙ୍ଗା ହାଡୁଆ ଗୋଡ଼ ଦୁଇଟା ଲମ୍ବାଇଦେଇ ବାଡ଼କୁ ଆଉଜି ବସି ପଡ଼ିଅଛି । ମୁକୁନ୍ଦାର ତିନିକୂଳରେ କେହିଥିବାର ଜଣା ନାହିଁ । ତାହାର ବୟସ, ଜାତି, କୁଳ, ଗୁଣ ଗ୍ରାମର କଥା ଶୁଣିବେ? ହଳିଆ ବାପୁଡ଼ା କଥା କିଏ ପଚାରେ ? ସେ ନିଜେ କହେ ସାଆନ୍ତାଣୀଙ୍କ ଜନ୍ମସମୟରେ ଧାଈକୁ ଡାକିଦେବାକୁ ଯାଇଥିଲା । ତାହା କୋଳରେ ସାଆନ୍ତାଣୀ ଏଡ଼େଟିଏ, ବାପଘରୁ ସାଙ୍ଗେ ସାଙ୍ଗେ ଆସିଅଛି । ହାଉଡ଼ା କଥା ହାଉଡ଼ା ମା ଜାଣେ । କେବଳ ମୁକୁନ୍ଦା ସାଆନ୍ତାଣୀ ମନ କଥା ବୁଝୁଥିଲା । କୌଣସି କଥାରେ ସାଆନ୍ତାଣୀ ମନ ଦୁଃଖ କଲେ ମୁକୁନ୍ଦା ଆସି ଜଳ ଜଳ କରି ତାଙ୍କ ମୁହଁକୁ ଚାହିଁରହେ । ସାଆନ୍ତାଣୀ ତା ମୁହଁକୁ ଚାହିଁ ମୁଣ୍ତ ତଳକୁ ପୋତିଦିଅନ୍ତି । ସେ ଚାହାଣୀ ଅର୍ଥାତ୍ ନୀରବ ବକ୍ତୃତାରେ ସବୁ କଥା ଛିଡ଼େ । ସାଆନ୍ତାଣୀ ସାନ୍ତ୍ୱନାପାଇ ତୁନି ହୁଅନ୍ତି । ସାଆନ୍ତାଣୀ କିଛି ମାତ୍ର ମନ ଦୁଃଖ କଲେ ତାହା ଆଖିରୁ ଝରଝର ହୋଇ ପାଣି ବୋହି ପଡୁଥିଲା; ଆଜି ମରି ପଡ଼ିଛନ୍ତି, ସେ କାନ୍ଦୁନାହିଁ । ଯାହାର ଜଗତର ସମସ୍ତ ସୁଖ, ସମସ୍ତ ଶାନ୍ତି, ସମସ୍ତ ଭରସା, ସମସ୍ତ ଆଜ୍ଞା, ସମସ୍ତ ସାନ୍ତ୍ୱନା, ସମସ୍ତ ସ୍ନେହ ଏକ ସଙ୍ଗରେ ଶେଷ ହୋଇଯାଏ, ସେ କାନ୍ଦେ ନାହିଁ । କେବଳ ସେ ବେଳେବେଳେ ଫଁ ଫଁ ନିଃଶ୍ୱାସ ପକାଉଅଛି । ବୋଧହୁଏ ସେଥିସକାଶେ ତାହାର ଶୁଷ୍କ ହୃଦୟ ଫାଟିଯାଉ ନାହିଁ ।

ମଙ୍ଗରାଜେ ମୁଣ୍ତ ପାଖରେ ବସି ଏକଧ୍ୟନରେ ସାଆନ୍ତାଣୀଙ୍କ ମୁହଁକୁ ଅନାଇ ଅଛନ୍ତି । ନିଶ୍ଚଳ, ସ୍ତବ୍ଧଧ ଦୁଇ ଆଖିରୁ ଲୋତକ ବହିଯାଉଅଛି । ମଙ୍ଗରାଜଙ୍କ ଆଖିରେ କେହିତ କେବେ ଲୋତକ ଦେଖିନାହିଁ, ଆଜି ନୂତନ ଦେଖାଗଲା । ଲୋକେ କହନ୍ତି ସ୍ନେହ, ମାୟା, ମମତା, ଚକ୍ଷୁଲଜ୍ଜା, ଧର୍ମକର୍ମ ମଙ୍ଗରାଜଙ୍କ ମନକୁ ଛୁଇଁନାହିଁ । ସେ ଭଲକରି ବୁଝିଥିଲେ "ଟଙ୍କା