ପୃଷ୍ଠା:Chha mana atha guntha.pdf/୧୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଶ୍ୱବିଧାତା ସମାନ ଉପାଦାନରେ ଜଗତରେ ସମସ୍ତ ନରନାରୀକୁ ସୃଷ୍ଟି କରିଅଛନ୍ତି । ରକ୍ତ, ମାଂସ, ଅସ୍ଥି, ମଳ, ମୂତ୍ରରେ ଯେପରି ଶରୀର ଗଠିତ, ସେହିପରି ଦୟା, ମାୟା, ସ୍ନେହ, ମମତା, ହିଂସା, ଦ୍ୱେଷ, ନିଷ୍ଠୁରତା ପ୍ରଭୃତି ବୃତ୍ତିମାନଙ୍କରେ ମନ ଗଠିତ । ସେହି ସମସ୍ତ ବୃତ୍ତି ଉପଯୁକ୍ତରୂପେ ସମାନ ଭାବରେ କାର୍ଯ୍ୟକାରୀ ହେଲେ ମନୁଷ୍ୟ ହୋଇଥାଏ; ମାତ୍ର ଯେବେ ଗୋଟିଏ ଉପାଦାନ ବଳବତ୍ତର ହୋଇ ସୀମା ଲଙ୍ଘନପୂର୍ବକ ଅନ୍ୟ ବୃତ୍ତି ମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରେ, ତେବେ ସେ ମନୁଷ୍ୟର ମନୁଷ୍ୟତ୍ୱ ଲୁପ୍ତ ହୋଇଯାଏ, ତେତେବେଳେ ହୁଏତ ସେ ଦେବତା, ନଚେତ୍ ରାକ୍ଷାସ ରୂପରେ ପରିଣତ ହୁଏ, ଅର୍ଥାତ୍ ମନୁଷ୍ୟର ମନ ସ୍ୱର୍ଗୀୟ ଓ ନାରକୀୟ ବୃତ୍ତି ରାକ୍ଷାସ କରି ପକାଏ । ଯଦି ତୁମ୍ଭେ ଶୁଣ ଗୋଟିଏ ଲୋକ ଦୟାପରବଶ ହୋଇ ଅନ୍ୟର ଜୀବନ ରକ୍ଷା କରିବାକୁ ଯାଇ ଆପଣା ଜୀବନ ବିସର୍ଜନ କଲା, ସେତେବେଳେ ତାହାକୁ କି ଦେବତା କହିବ ନାହିଁ ? ଯେତେବେଳେ ଶୁଣ, ଜଣେ ଲୋକ କେତେକ ଖଣ୍ତ ସୁନା ଅଳଙ୍କାର ସକାଶେ ଗୋଟିଏ ଶିଶୁହତ୍ୟା କଲା; ମିଳାଇ ଦେଖ, ପୁରାଣବର୍ଣ୍ଣିତ ରାକ୍ଷାସ ସହିତ ତାହାର ମେଳ ହେଉଛି କି ନା ? ମାତ୍ର ଏପରି ଦୃଷ୍ଟାନ୍ତ ବିରଳ ଥିଲେ ମଧ୍ୟ ସଚରାଚର ଦେଖାଯାଏ ନାହିଁ । ମନୁଷ୍ୟ ଚିରକାଳି ମନୁଷ୍ୟ ଏବଂ ମନୁଷ୍ୟ ମନର ମୂଳ ଉପାଦାନ ସମାନ ଥିଲେ ମଧ୍ୟ ବାହ୍ୟ ପ୍ରକୃତି ଆସାମଞ୍ଜସ୍ୟମୟ କୋଟି କୋଟି ମନୁଷ୍ୟ ମଧ୍ୟରେ ଜଣକ ରୂପ ସହିତ ଅନ୍ୟ ଜଣକର ରୂପରେ ମିଳନ ନାହିଁ, ମାନସ ପ୍ରକୃତି ମଧ୍ୟ ସେହିପରି । କାହାରି କାହାରି କୌଣସି ଚିରବୃତ୍ତି ବଳବତୀ, କାହାର କାହାର ଚିରନିଦ୍ରିତା । ସମୟ ବିଶେଷରେ ଘଟନାଚକ୍ର ପରିବର୍ତ୍ତରେ ନିଦ୍ରିତା ବୃତ୍ତି ସମସ୍ତ ଜାଗରିତ ହୋଇ ଉଠିବାର ଦେଖାଯାଏ । ମଦ୍ୟପ ଦୂରାଚର ଜଗାଇ ମାଧାଇ ପରମ ବୈଷ୍ଣବ ହେବେ, କିଏ ଜାଣିଥିଲା ? ଆଉ ଖ୍ରୀଷ୍ଟ ବିଦ୍ୱେଷୀ ଅତ୍ୟାଚାରୀ ପାଉଲ୍ ଆଜି ପୂଜନୀୟ ମହର୍ଷୀ ପଦବାଚ୍ୟ । ଗାଧିନନ୍ଦନ ରାଜର୍ଷି ବିଶ୍ୱାମିତ୍ରଙ୍କର ସହସ୍ର ସହସ୍ର ଯୁଗବ୍ୟାପୀ ତପସ୍ୟା ତତୋକଧିକ ଜ୍ୱଳନ୍ତ ବ୍ରାହ୍ମନିଷ୍ଠା ମେନକାର ନିମେଷ ମାତ୍ର ଅପାଙ୍ଗ