ପୃଷ୍ଠା:Chha mana atha guntha.pdf/୧୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଲେଖିଥିଲେ । ଏହିସବୁ ଜିନିଷ ଖରିଦରେ ବାସ୍ତରି ହଜାର ଟଙ୍କା କରଚ ପଡ଼ିଥିଲା । ନଗଦ ତ ଖରିଦ ଛାଡ଼ି ସମସ୍ତ ଜମିଦାରୀ ଭେଟିରେ ଅନେକ ଜିନିଷ ଦେଇଥିଲେ । ଆମ୍ଭେମାନେ ଘର ତୟାରିର ଗୋଟିଏ ହିସାବ ଦେଉଅଛୁ, ବୁଦ୍ଧିମାନ ପାଠକମାନେ ତାକୁ ଧରି ମୋଟ ଖରଚ କଥା ବୁଝିପାରିବେ । ଧାନଘର ପାଞ୍ଜିରୁ ଆମ୍ଭେମାନେ ଠିକ୍ ହିସାବ ପାଇଅଛୁ । ବଢ଼େଇ, କମାର ବେଠିଆଙ୍କ ପଛେ ପନ୍ଦର ଭରଣ ବାଇଶି ନଉତି ଧାନ ଖରଚ ପଡିଥିଲା ।

ମଙ୍ଗରାଜଙ୍କ ମୁହଁରୁ ଅନେକ ଥର ଶୁଣାଯାଇଅଛି, ସେ କେବଳ ପରର ବିକଳ ସହିନପାରି ଧାନ ଟଙ୍କା କରଜ ଦିଅନ୍ତି । ନୋହିଲେ ସେଥିରେ ତାଙ୍କର ନିଜର କିଛିଲାଭ ନାହିଁ । ଆମ୍ଭେମାନେ କହୁ, ବରଞ୍ଚ ଲୋକସାନ । ଧାନ ଦେଢ଼ିରୁ ବେଶି କରଜା ନାହିଁ, ଏଥିରେ ଲାଭ କଣ? ଦିଅନ୍ତି ଶୁଖିଲା ପୁରୁଣା ଧାନ, ନେବା ବେଳକୁ ନୂଆ କଞ୍ଚା । ଆଛା ପାଠକ, ଆପଣଙ୍କ ଓଦା ଲୁଗାଟା ଆଗେ ଓଜନ କରନ୍ତୁ, ଦେଖିବେ ଓଦା ଶୁଖିଲାର କେତେ ପ୍ରଭେଦ । ଗଲା ଅଙ୍କ ପାଞ୍ଜିଆ ଯେ ସାଲତମାମି ଦାଖଲ କରିଥିଲା, ସେଥିରେ ମହାଜନୀ କରଜରେ ଆଠ ଟଙ୍କା ଛଅଅଣା ଦୁଇକଡ଼ା ଦୁଇକ୍ରାନ୍ତି ଛାଡ଼ ତଳେ ପଡ଼ିଥିବାର ଦେଖାଯାଇଅଛି । ଏତେଗୁଡ଼ାଏ ଟଙ୍କା ଛାଡ଼ ସକାଶେ ପାଞ୍ଜିଆ ଗାଳି ଖାଇ ଯେଉଁ ପରି କୈଫିୟତ୍ ଦେଇଥିଲେ, ସେଥିର ସାରମର୍ମ ଏହି ଭିକାରି ପଣ୍ଡା କରଜ ନେବାର ମୂଲ୍ୟ ପାଞ୍ଚଟଙ୍କା । ସେଥିରେ କଳନ୍ତର ଚକ୍ରବୃଦ୍ଧି ପ୍ରମାଣେ ବାରଟଙ୍କା ପାଞ୍ଚଅଣା ଏଗାର ଟଙ୍କା ଦୁଇକଡ଼ା, ଗାଏ ଦୁଇ ପଦକୁ ମୋଟ ଆଦାୟ ସତରଟଙ୍କା ପାଞ୍ଚ ଅଣା ଦୁଇପଇସା ବାଦେ ବାକି ଛାଡ଼ ଦେଢ଼ ଗଣ୍ଡା