ପୃଷ୍ଠା:Chha mana atha guntha.pdf/୧୧୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଠେଙ୍ଗା ବରାମଦ ହେଲା । ବାଡ଼ି ପଛ ଓଳିତଳେ ଗୋଠାଏ ସ୍ତ୍ରୀଲୋକର ଲାସ୍ ଖଣ୍ତେ ପୁରୁଣା ହେଁସରେ ଘୋଡ଼ାହୋଇଥିବାର ବରାମଦ ହୋଇ ଦାଣ୍ତ ଦୁଆରକୁ ଅଣାଗଲା । ସେହି ଲାସ୍ ତନ୍ତୀଆଣୀ ସାରିଆର ଥିବାର ଗୋବରା ଜେନା ସନାକ୍ତ କଲା । ଦାରୋଗା ଦାଢ଼ିରେ ହାତ ବୁଲାଇ କହିଲେ, "କେଉଁ ରାମଚନ୍ଦ୍ର ମଙ୍ଗରାଜ ! ଅବ୍ କ୍ୟା ମତଲବ୍ ହୈ-ରତନପୁର ଡୋମ ଲୋକମାନେ ମାମଲା ଇଆଦ ହୈ କି ନାହିଁ ?" ମୁନ୍‌ସି କହିଲେ, "ଏକା ମାଘରେ ଶୀତ ଗଲା ବୋଲି ମଙ୍ଗରାଜେ ମନେକରିଥିଲେ ପରା !" ଆମ୍ଭେମାନେ ଗୋପନରେ ସନ୍ଧାନ କରି ବୁଝିଲୁ, ରତନପୁର ଡୋମମାନଙ୍କୁ ଜେଲ କରାଇଦେବା ସକାଶେ ମଙ୍ଗରାଜେ ଦାରୋଗାଙ୍କୁ ହଜାରେ ଟଙ୍କା ଲାଞ୍ଚ ଯାଚିଥିଲେ; ମାତ୍ର ଫାଙ୍କି ଦେବାରୁ ଦାରୋଗା ସେହି କଥାଟା ମନେ କରାଇଦେଲେ ।

ମାମଲା ତଦାରଖି ଆରମ୍ଭ ହେଲା । ମୁନସି ଚକ୍ରଧର ଦାସ ବିଶାଳ ବସ୍ତାନି ଫିଟାଇ ସେରସ୍ତ ମେଲିଦେଲେ । 'ବେକରେ ଦଉଡ଼ିବନ୍ଧା' ମୁହଁରେ ସୋଲବିଣ୍ତା ଦିଆ ଚେନିବାସନର ଦୁଆତ ଆଗରେ ଥୁଆଗଲା । ପାହାଡ଼ୀ ଗୋଟାଏ ଶରକଲମ ଶିଶୁକାଠବେଣ୍ଟିଆ ଛୁରୀରେ କାଟ ଖଣ୍ତେ ସାନ କାଗଜରେ ପରୀକ୍ଷା କଲେ, "ଶ୍ରୀଗୁରୁଦେବ ଉଦ୍ଧାର କରିବେ" "ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚରଣେ ଶରଣ" "ଶ୍ରୀବଳଦେବଜୀଉଙ୍କ ଚରଣେ ଶରଣ," ଇତ୍ୟାଦି ଦେବାଦେବୀଙ୍କ ନାମ ଲେଖି କଚେରୀ କାମରେ ହାତ ଦେଲେ ।

ସରକାର କମ୍ପୁନୀ ବାହାଦୂର ମୁଦେଇ । ରାମଚନ୍ଦ୍ର ମଙ୍ଗରାଜ । ସା: ଗୋବିନ୍ଦପୁର । ଜି:କଟକ, ମୁଦାଲା ।

ସାରିଆ ନାମକ ତନ୍ତୀଆଣୀକୁ ବଧ କରି ତାହା ଘରୁ ନେତ ନାମକ ଗାଈ ଏକରାଶ ଏବଂ ଅନ୍ୟାନ୍ୟ ମାଲ ଲୁଟତରାଜ କରି ଆଣିଥିବାର ମୋକଦ୍ଦମା ।

ଗୁହା ତଲାସ ହେଲା - ବରକନ୍ଦାଜ ଚୌକିଦାରମାନେ ଗ୍ରାମଯାକ ବୁଲିଆସି ଖବର ଦେଲେ, ଗ୍ରାମରେ ପୁରୁଷ ଲୋକ ଜଣେ ନାହିଁ, କବାଟ ଫାଙ୍କରୁ ସ୍ତ୍ରୀଲୋକମାନେ ଯେ ଜବାବ ଦେଲେ, ସେଥିରୁ ଜଣାଗଲା, ଆଠପଣ ଲୋକ ଯାଇଛନ୍ତି କୁଣିଆ ଘରକୁ, ଚାରିପଣ ଗୋରୁ ଖୋଜି, ଦୁଇପଣ ଜଗନ୍ନାଥ ଦର୍ଶନକୁ, ଦୁଇପଣ ପଡ଼ିଛନ୍ତି ବାଧିକି । କେବଳ ଦୁଇପଣ ଭଲ ଲୋକ