ପୃଷ୍ଠା:Chha mana atha guntha.pdf/୧୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭିନ୍ନ ଲୋକ ଗ୍ରାମବାସୀ ଗୁହା ଆପଣାର କର୍ତ୍ତବ୍ୟ ବୁଝି ଆପେ ହଜାର ହୋଇଗଲେ । ଗ୍ରାମର ଲୋକ ହାଜର ନ ହେବାରୁ ଦାରୋଗା ଖପା ହୋଇ ବରକନ୍ଦାଜମାନଙ୍କୁ ଉଲ୍ଲୁ, ଗଧା, ବେକୁଫ୍, ନାଲାଏକ୍ ଇତ୍ୟାଦି ସମ୍ବୋଧନ କରିବାରୁ ଗ୍ରାମଯାକ ହୁରି ହାଲର ପଡ଼ିଗଲା । ଯମକୁ ଫାଙ୍କିଦେଇ ଦୁଇ ତିନିଦିନ ରହିଯାଇପାରେ; ମାତ୍ର ପୁଲିସ୍‌କୁ ଫାଙ୍କିଦେବ କିଏ ? ପୁରୁଷ ଲୋକଗୁଡ଼ିକ ସଳଖ ଘରୁ ବାହାରି ଆସିଲେ । ଦୁଇଦିନ ପର୍ଯ୍ୟନ୍ତ ବତ୍ରିଶ ଜଣ ଗୁହାଙ୍କ ଜବାନବନ୍ଦୀ ଗ୍ରହଣ କରାଗଲା । ପ୍ରଥମ ଦିନରେ ଦୁଇ ଜଣ ଚୌକିଦାର ହମରାଏ ଲାସ୍ ମାଇନା ସକାଶେ ଚାଲାଣ ଦିଆଗଲା । ମୁନସି ସାହେବ ଜେଲକାନା କଏଦୀ ତୟାରି ଅଢ଼େଇ ଦିସ୍ତା ହରିତାଳି କାଗଜରେ ଜମାନବନ୍ଦି କଲମବନ୍ଦ କରି ପକାଇଲେ । ଆପଣ ଜାଣିବା ନିମନ୍ତେ ସେଥିରୁ କେତେ ଜଣ ସାକ୍ଷୀଙ୍କ ଜମାନବନ୍ଦି ଏଠାରେ ପ୍ରକାଶ କରୁଅଛୁଁ -

୧ ନମ୍ବର ଗୁହା ତରଫ ସରକାର କୁମ୍ପୁନୀ ବାହାଦୂର, "ମୋ ନାମ ଗୋବରା, ବାପର ନାମ ଗୁଡ଼ିଆ ଜେନା, ମୁତୋଫ ଜାତିର ପାଣ, ବୟସ ୪୫ ବର୍ଷ, ପେଶା-ଗ୍ରାମରେ ଚୌକିଦାର । ସା ଗୋବିନ୍ଦପୁର । ପ୍ର - ବାଲୁବିଶ । ଜିଲ୍ଲା - କଟକ ।

ମୁଁ ମୌଜା ମଜକୁର ଚୌକିଆ, ସାରାରାତି ଗ୍ରାମରେ ଠିଆ ପହରା ଦିଏ । ଗଲା ରାତିରେ ପହରା ଦେବା ସମୟରେ ଅଧରାତି ଅନ୍ଦାଜ ସାରିଆ ତନ୍ତୀଆଣୀ "ମାରିପକାଇଲା ମାରିପକାଇଲା" ବୋଲି ମଙ୍ଗରାଜ ବାଡ଼ି ପଛଆଡ଼େ ହୁରି ପକାଉଥାଏ, ମୁଁ ଶୁଣିଅଛି । ତାକୁ କେହି ବାଉଁଶ ବାଡ଼ିରେ ମାଇଲା ପରି ଜଣାଯାଉଥାଏ ।"

ସୁଆଲରେ ଜବାବ ଦେଲା, "ନା, ମୁଁ ସେ ସମୟରେ ମଙ୍ଗରାଜଙ୍କୁ ଦେଖି ନାହିଁ ।" ପୁନର୍ବାର କହିଲା, " ହଁ ହଁ ତାଙ୍କ ପାଟି ଶୁଣିଅଛି । ଏହିଗାଈ ସାରିଆର ଏହାର ନାମ ନେତ । ଆଜିକୁ ମାସେ ହେଲା ମଙ୍ଗରାଜଙ୍କ ଅଗଣାରେ ବନ୍ଧାହେବାର ଦେଖୁଅଛି । କିପରି ଏଠାକୁ ଆସିଲା ଜାଣେନାହିଁ ।" ପୁନର୍ବାର କହିଲା, "ମଙ୍ଗରାଜେ ବାନ୍ଧି ଆଣିଛନ୍ତି ।"

ଏ ବାଡ଼ି ସନ୍ତକ ଗୋବରା ଜେନାର ସହି ।