ପୃଷ୍ଠା:Chha mana atha guntha.pdf/୧୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୨ ନମ୍ବର ଗୁହା-ସନା ରଣା ପ୍ରଥମେ ହାଜର ହୋଇ କୌଣସି କଥା ଜାଣି ନ ଥିବାର ପ୍ରକାଶ କଲା । ଦାରୋଗା ସାହେବ ଭାରି ଖପ୍‌ପା ହୋଇ ତାହାକୁ ଚାଟଶାଳୀ ବୁଲାଇ ଆଣିବା ସକାଶେ ହୁକୁମ ଦେବାରେ ସେ ଦୁଇଜଣ ବରକନ୍ଦାଜ ହେପାଜତରେ ଅଧଘଣ୍ଟା ବାଦ୍ ମୁକୁଳା ବାଳ, ଧୂଳିଆ ଦେହ, ପିଠି, ହାତ ଗାଲରେ ମାଡ଼ର ଦାଗ ସହିତ ହାଜର ହୋଇ କହିଲା, "ହଜୁର,ମୁଁ ସବୁ ସତ କହିବି । ମୋ ନାମ ସନା ରଣା, ବାପର ନାମ ବନା ରଣା, ଜାତି ମାଳୀ, ବୟସ ତିରିଶ, ପେଷା - ଗ୍ରାମଦେବୀଙ୍କ ପୂଜା ଆଉ ଚାଷ । ସା-ଗୋବିନ୍ଦପୁର । ପ୍ର - ବାଲୁବିଶ । ଜି - କଟକ ।

"ମୁଁ ସାରିଆକୁ ଚିହ୍ନେ, କିପରି ମଲା ଜାଣେ ନାହିଁ । ଆଜକୁ ଅନ୍ଦାଜ ବରଷେ କି ଦେଢ଼ ବରଷ ହେବ ସକାଳ ଓଳି ମଙ୍ଗରାଜେ ମୋତେ ଜଣେ ହଳିଆ ହାତରେ ତୋଟା ମଧ୍ୟରେ ନିରୋଳାରେ କହିଲେ; ଦେଖ୍ ସନା, ତୋତେ ମୁଁ କହୁଛି, ତୁ ଗୋଟାଏ କାର୍ଯ୍ୟ କରିବୁ । ମୁଁ ଯାହା କହୁଛି, ସେ କାମଟା କରିଦେଲେ ତୋତେ ଭଲ ଗହୀର ଜମି ଦୁଇମାଣ ଚଷିବାକୁ ଦେବି, ଆଉ ଦୁଇଟଙ୍କା ଖଜାଖାଇବାକୁ ଦେବି । ପଚାରିଲି 'କଣ କରିବି ?' ସାଆନ୍ତେ କହିଲେ, ଏହି ଯେ ଭଗିଆ ତନ୍ତୀ ଅଛି - ତା ମାଇପ ଯେ ସାରିଆ, ସେଟା ବାଞ୍ଝ । ପୁଅ ହେବାପାଇଁ ପ୍ରତିଦିନ ବୁଢ଼ୀମଙ୍ଗଳାଙ୍କ ପାଖରେ ମୁଣ୍ତିଆ ମାରେ । ତୁ ଯାଇ ତାକୁ କହିବୁ, ଠାକୁରାଣୀ ସ୍ୱପ୍ନରେ କହିଛନ୍ତି, ତୁ ପୂଜା ଦେ, ଠାକୁରାଣୀ ତୋ ସାଙ୍ଗରେ ଆପେ କଥା କହିବେ, ଆଉ ତୋତେ ପୁଅ ଦେବେ । ମୁଁ ଯାଇ ଦୁଇ ତିନି ଥର ଭଗିଆକୁ ଆଉ ସାରିଆକୁ ସାଆନ୍ତେଙ୍କ କହିବା ମାଫିକେ କହିଲି, ସେମାନେ ଭଲକରି ଶୁଣିଲେ, ମାତ୍ର କିଛି ଜବାବ ଦେଲେନାହିଁ । ଦିନେ ଉପର ଓଳି ଭଗିଆ ମୋତେ ତା ଦୁଆରକୁ ଡାକି ଘେନିଗଲା, କିପରି ପୂଜା ହେବ, କି ଦ୍ରବ୍ୟ ଲୋଡ଼ା, କେତେ ଖରଚ ହେବ, ସବୁ କଥା ପଚାରିଲା । ମୁଁ ତାକୁ ସବୁ ବୁଝାଇଦେଲି । ପୂଜାଦ୍ରବ୍ୟ କିଣିବା ସକାଶେ ତା ପାଖରୁ ଦଶ ଅଣା ଦୁଇ ପାହି ପଇସା ଆଣିଲି । ଦିନେ ଶନିବାର ସଞ୍ଜବାଦ ମୁଁ ମଙ୍ଗରାଜେ ଆଉ ଜଗା ଭଣ୍ତାରୀ, କୋଡ଼ି ଧରି ହଳିଆ ଚାରିଜଣ, ମଙ୍ଗଳାଙ୍କ ନିକଟକୁ ଗଲୁ । ମଙ୍ଗରାଜ କହିବା ଅନୁସାରେ ଠାକୁରାଣୀଙ୍କ ସ୍ଥାନ ତଳୁ ପଛ ଦିଗକୁ ଗୋଟାଏ ବଡ ଗାଡ଼ ଖୋଳାଗଲା । ଗାଡ଼ ମଧ୍ୟରେ ଜଗା ଭଣ୍ତାରୀ ଲୁଚିରହିଲା ।