ପୃଷ୍ଠା:Chha mana atha guntha.pdf/୧୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାଡ଼ମୁଁହ ଡାଳପତ୍ରରେ ଲୁଚାଇଦିଆଗଲା । ମୁଁ ସକାଳୁ ଖବର ଦେଇ ସାରିଆ ଆଉ ଭଗିଆକୁ ଉପାସ ରଖାଇଥିଲି, ଅଧରାତିବେଳେ ଗ୍ରାମ ନିଶୋର ହେବାରେ ସେମାନଙ୍କୁ ଡାକିଆଣିପୂଜା କଲି, ଭୋଗ ଲଗାଇ ଠାକୁରାଣୀଙ୍କୁ ଅନେକ ଜଣାଣ କଲି । ମୋ କହିବା ଅନୁସାରେ ସାରିଆ ଏବଂ ଭଗିଆ ବେକରେ ଲୁଗା ପକାଇ ମୁହଁମାଡ଼ି ଠାକୁରାଣୀ ଆଗରେ ଧାରଣା ପଡ଼ିଥାନ୍ତି । ମୁଁ ଆହୁରି ଜଣାଣ କରି କହିଲି, 'ମା ମଙ୍ଗଳା ! ସାରିଆକୁ ଆପେ ବର ଦିଅ, ସେ ଅନେକ ଦିନହେଲା ତୁମର ସେବା କରୁଅଛି, ଅନେକ ଲୋକଙ୍କୁ ବର ଦେଲଣି, ଏମାନଙ୍କୁ ବର ଦିଅ । 'ଜଗା ଗାଡ଼ ଭିତରୁ ଜବାବ ଦେଲା, 'ଆଲୋ ସାରିଆ, ତୁ ଅନେକ ଦିନ ହେଲ ମୋର ପୂଜା କରୁଛୁ, ପ୍ରତିଦିନ ଗାଧୋଇ ଯିବାବେଳେ ମୋତେ ଜୁହାର ହେଇ ଯାଉ, ପାଣି ଚଳାଏ ଦେଉ, ମୁଁ ସେ ପାଣି ପାଏ, ତୋତେ ବର ଦେଉଛି, ତୋର ତିନିଗୋଟି ପୁତ୍ର ହେବ, ଆଉ ତୋହର ଢେର ଟଙ୍କା ସୁନା ହେବ, ତୁ ମୋହର ଦେଉଳ ତୋଲାଇଦେ । କାଲି ବଡ଼ି ସକାଳେ ଅଧୁଆ ମୁଁହରେ ଦୁଏ ପ୍ରାଣୀ ତନ୍ତୀତୋଠକୁ ଆସିବ, ମୋ ପୂଜା ମନ୍ଦାର ଫୁଲ ଯେଉଁଠାରେ ପଡ଼ିଥିବ ତା ତଳେ ଖୋଳିବୁ, ଯାହା ପାଇବୁ ଘରେ ନେଇ ରଖିବୁ, ପ୍ରତିଦିନ ପୂଜା କରିବୁ, ତୋତେ ସେହିପରି ଥଳି ଥଳି ଦେବି । ମୋ ଆଜ୍ଞା ନ ମାନିଲେ ଭଗିଆ ବେକ ମୋଡ଼ିଦେବି । 'ସାରିଆ ଭଗିଆ ଦୁଇ ଜଣ ଶୁଣି ଡରରେ ଥରୁଥାନ୍ତି, କିଛି କଥା କହିପାରିଲେ ନାହିଁ । ମୁଁ ପୂଜା ସାରି ସେମାନଙ୍କୁ କିଛି ଭୋଗ ଦେଇ ଘରେ ଛାଡ଼ିଆସିଲି, ବାକି ଭୋଗକୁ ବାନ୍ଧିଲି । ମୁଁ ସେମାନଙ୍କୁ ଛାଡ଼ିଆସିବା ବାଦ୍ ଜଗା ହସି ହସି ଗାଡ଼ରୁ ବାହାରି ଆସିଲା ! ଆମେ ଦୁଇ ଜଣ ସାଆନ୍ତେ ଦେଇଥିବା ଗୋଟିଏ ମୋହର ତୋଠ ପାଖରେ ପୋତି ତାହା ଉପରେ ମନ୍ଦାରଫୁଲ ଥୋଇଦେଇ ଘରକୁ ଗଲୁଁ । ତହିଁ ଆରଦିନ ମୁଁ ଭଗି ଦୁଆରକୁ ଯାଇଥିଲି । ମୋତେ ଦେଖି ସେ ଦୁଇଜଣ କାନ୍ଦଣୁ ମାନ୍ଦୁଣୁ ହୋଇ କହିଲେ, ମୋ କହିବା ଅନୁସାରେ ଦେଉଳ କିପରି ତୋଳାଇବୁ ବୁଦ୍ଧି କହିଦିଅ । 'ମୋ କହିବା ଅନୁସାରେ ତାହାର ଜମି 'ଛମାଣ ଆଠଗୁଣ୍ଠ' ମଙ୍ଗରାଜଙ୍କ ପାଖରେ ବନ୍ଧକ ଦେଇ ଟଙ୍କା ନେଲେ । ସରକାରରୁ ଜମାଦାର ଆସି ଭଗିଆ ଘର ଭାଙ୍ଗିଲେ, ଜମାଦାର ଛିଡ଼ା ହୋଇଥାଏ; ତାହାର ସବୁ ଜିନିଷ ବୋହି ଘେନିଗଲେ । ଘର ଭଙ୍ଗାଗଲା ଦିନଠାରୁ