ପୃଷ୍ଠା:Chha mana atha guntha.pdf/୧୧୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭଗିଆ ବାୟା ହୋଇ ଗାଁରେ ବୁଲୁଛି, ସାରିଆ ସାତ ଆଠ ଦିନ ହେଲା ମଙ୍ଗରାଜଙ୍କ ବାଡ଼ି ଦୁଆରେ ବସି କାନ୍ଦୁଥିବାର ମୁଁ ଶୁଣିଅଛି ।"

ସୁଆଲରେ ଜବାବ ଦେଲା - "ମଙ୍ଗରାଜେ ଭଗିଆକୁ ଟଙ୍କା ଦେଲେ ମୁଁ ଜାଣେ ନାହିଁ, କେବଳ ତମସୁକ ରେଜଷ୍ଟ୍ରୀ କରିବା ସକାଶେ କଟକକୁ ଘେନିଯାଇଥିବା ସମୟରେ ସାରିଆ ସକାଶେ ଯୋଡିଏ ଶଗଡ଼ ଅନ୍ଦାଜ ପଥର ମଙ୍ଗରାଜେ ମଙ୍ଗଳାଙ୍କ ନିକଟରେ ପକାଇଅଛନ୍ତି । ମଙ୍ଗରାଜେ ସେହିଦିନ ମୋତେ ଚାରିଅଣା ପଇସା ଦେଇଥିଲେ, ଆଉ କିଛି ଦେଇ ନାହାନ୍ତି । ମୁଁ ଡରରେ ମାଗେ ନାହିଁ । ମୁଁ ଆଉ କିଛି ଜାଣେ ନାହିଁ ।"

୩ ନମ୍ବର ଗୁହା - ମୋ ନାମ ମରୁଆ, ବାପର ନାମ ଲକ୍ଷ୍ମଣ ତିହାଡ଼ି, ଜାତି ବ୍ରାହ୍ମଣ, ବୟସ ଜଣା ନାହିଁ । ସା:ହାଲ ଗୋବିନ୍ଦପୁର ଜି:କଟକ ।

ସୁଆଲରେ ଜବାବ ଦେଲା ସାରିଆ କି ରୋଗରେ ମଲା ମୋତେ ଜଣାନାହିଁ । ଆଜକୁ ଆଠ ଦିନ ହେଲା ଆମ ବାଡ଼ି ଦୁଆରେ ବସିଥିଲା । ଦିନରାତି ଏକଜାଗାରେ ବସିଥାଏ ଯାହାକୁ ଦେଖେ ଡକାପାଡ଼େ "ମୋ ଛମାଣ ଆଠଗୁଣ୍ଠ, ମୋ ଛମାଣ ଆଠଗୁଣ୍ଠ, ମୋ ନେତ, ମୋ ନେତ" - ଏତିକି କହି ଡକାପାଡ଼ିଥାଏ । ସାଆନ୍ତାଣୀକୁ ହେଖିଲେ ଗୋଡ଼ତଳେ ପଡ଼ି ଗଡ଼େ କାନ୍ଦେ । ସାଆନ୍ତାଣୀ ମଧ୍ୟ କାନ୍ଦନ୍ତି । ଚମ୍ପା ତାକୁ ତିନିଥର ଛାଞ୍ଚୁଣୀ ମାରି ତଡ଼ିଦେଲା । ସେ ଗଲା ନାହିଁ । ସେ ଆଠଦିନ ହେଲା କିଛି ଖାଇନାହିଁ । ସାଆନ୍ତାଣୀ ଆପଣା ଭାତ ଖଣ୍ତେ କଦଳୀ ପତ୍ରରେ ତା ପାଖରେ ଥୋଇଦିଅନ୍ତି, ସେ ଖାଏ ନାହିଁ । ଭାତ କୁକୁର ନୋହିଲେ ଘାଈ ଖାଇଯାଏ । କେବେ କେବେ ସାଆନ୍ତାଣୀ ବସି କୁହାବୋଲା କଲେ ଦୁଇଗୁଣ୍ତା ଗୁଣ୍ତାଏ ଖାଏ । ସାଆନ୍ତାଣୀ ମଧ୍ୟ ସାତଦିନ ହେଲା ଖାଇନାହାନ୍ତି । ଖାଇବାକୁ କହିଲେ ସେ ଅଧିକ କାନ୍ଦନ୍ତି । ସେଥିସକାଶେ ମୁଁ କିଛି କହେ ନାହିଁ । ସପ୍ତମୀ ଦିନ ଏକବାର ରାତି ବୁଢ଼ୀମଙ୍ଗଳାଠାକୁ ଯାଉଥିଲେ, ତେତିକିବେଳେ ସାରିଆ ପାଟି କରିବାରୁ ହବିଷ ଭାତ ତା ପାଖରେ ବସାଇଦେଲେ । ସେତିକିବେଳୁ ସାଆନ୍ତାଣୀ ଘରକୁ ଆସି ଯେ ପଡିଅଛନ୍ତି, ସେ ପଡ଼ିଛନ୍ତି । ଗଲା ଅଷ୍ଟମୀ ଦିନ ତାଙ୍କର କାଳ ହେଲା ।'