ପୃଷ୍ଠା:Chha mana atha guntha.pdf/୧୧୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସୁଆଲରେ ଜବାବ ଦେଲା, 'ସାଆନ୍ତାଣୀଙ୍କର କି ବେମାର ହୋଇଥିଲା, ଜାଣେ ନାହିଁ । ସ୍ନାନପୂର୍ଣ୍ଣମୀ ଆଠ ଦଶ ଦିନ ଆଗରୁ ତାଙ୍କୁ ଅଳ୍ପ ବେମାରୀ ଧରିଥିଲା । ସ୍ନାନପୂର୍ଣ୍ଣମୀ ଦିନ ଚମ୍ପା କୁଆଡ଼େ ସୁଆରି ଚଢ଼ିଯାଉଥିଲା, ହସି ହସି ଆସି କଣ କହିଲା । ସେହିଦିନୁ ସାଆନ୍ତଣୀଙ୍କର ବେମାରୀ ବଢ଼ିଅଛି, ରାତିରେ କିଛି ଖାଆନ୍ତି ନାହିଁ, ଦିନବେଳେ ଖିଆ ମଧ୍ୟ ସେହିପରି, ସବୁବେଳେ କାନ୍ଦନ୍ତି । ସାରିଆ ଜମି ଛାଡ଼ିଦେବା ସକାଶେ ସାଆନ୍ତଙ୍କ ଗୋଡ଼ତଳେ ପଡି ଢେର କହିଲେ । ସାଆନ୍ତେ ଶୁଣିଲେ ନାହିଁ । ଚମ୍ପା ଖପା ହେବାରୁ ସାଆନ୍ତାଣୀ ଆଉ କହିଲେ ନାହିଁ, ଅନ୍ନ ଛାଡ଼ିଦେଲେ । ମୁକୁନ୍ଦ ବଇଦ ପାଖରୁ ତାଙ୍କ ବେମାରୀ ସକାଶେ ଔଷଧ ଆଣି ଦେଇଥିଲା । ସେ ଔଷଧ ଖାଇଲେ ନାହିଁ, ମୁଣ୍ତରେ ମାରି ଥୋଇଦେଲେ ।"

ସୁଆଲରେ ଜବାବ ଦେଲା - "ମୁଁ, ମୁଁ ଆଜକୁ ଦଶବରଷ ହେଲା ଏହି ଘରେ ଅଛି । ମୋ ବାପଘର ବ୍ରାହ୍ମଣ ଶାସନରେ ଥିଲା । ମୋ ସ୍ୱାମୀର ନାମ ଟାଗନାଥ ତିହଡି । ଶୁଣିଛି, ବିଭାବେଳେ ମୋର ସାତବରଷ ବୟସ ହୋଇଥିଲା, ସ୍ୱାମୀର ବୟସ ହୋଇଥିଲା ତିନିକୋଡ଼ି ଚାରି ବରଷ । ମୋ ସ୍ୱାମୀ ତାଙ୍କ ଜମି ବିକି ମୋ ବାପାଙ୍କୁ ଆଠ କୋଡ଼ି ଟଙ୍କା ଦେଇଥିଲେ । ବିଭାବେଳେ ମୋ ସ୍ୱାମୀର ଶ୍ୱାସ ବେମାରୀ ଥିଲା । ସେହି ବେମାରୀରେ ସେ ମଲେ । ମୋ ସ୍ୱାମୀଘରେ ଆଉ କେହି ନଥିଲେ । ନନା ଯାଇ ତାଙ୍କ ଜମି ବାଡ଼ି ବିକିଦେଇ ମୋତେ ଘରକୁ ଘେନି ଆସିଲେ । ନନାଙ୍କ ଘରେ ପାଞ୍ଚ ସାତ ବରଷ ରହିଲିଣି । ଗ୍ରାମରେ ଲଳିତା ଦାସ ବାବାଜି ଥିଲେ । ମୁଁ ତାଙ୍କ ପାଖକୁ ଚୈତନ୍ୟ ଚରିତାମୃତ ଶୁଣିବାକୁ ଯିବାରୁ ଭାଇମାନେ କଳି ଲଗାଇଲେ । ମୁଁ ବୃନ୍ଦାବନ ଯିବା ସକାଶେ ବାବାଜି ସାଂଗରେ ଦିନେ ରାତିରେ ପଳାଇ ଆସି କଟକ ତେଲଂଗା ବଜାରରେ ଥିଲି । ସାଆନ୍ତ ମାମଲା କରିବା ସକାଶେ କଟକ ଯାଇଥିଲେ । ତାଙ୍କ ସାଂଗରେ ଆସି ଏହି ଘରେ ଅଛି ।"
ଠାଏ ଏ ମୁଦି ସନ୍ତକ ମରୁଆର ସହି ।

୪ ନମ୍ବର ଗୁହା - "ମୋ ନାମ ବାଇଧର ମହାନ୍ତି, ବାପର ନାମ ଡମ୍ବରୁଧର ମହାନ୍ତି, ଜାତି କରଣ, ବୟସ ୫୬ ବରଷ, ସା:କନକପୁର, ପ୍ର:ଝଙ୍କଡ, ଜି:କଟକ ।