ପୃଷ୍ଠା:Chha mana atha guntha.pdf/୧୧୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଇସ୍ତାହାର ସବୁ ମୋ ପାଖରେ ଅଛି, ଭଗିଆକୁ କିଛି ଦିଆଯାଇ ନାହିଁ । ଅଦାଲତର ପିଆଦା ଆସି ସାଆନ୍ତଙ୍କଠାରୁ ବକ୍‌ସିସ ନେଇ ମୋ ପାଖରୁ ରସିଦ ଲେଖାଇନେଇ ଚାଲିଯାଏ । ସାରିଆ କିପରି ମଲା, ମୁଁ ଜାଣେ ନାହିଁ । ଏହି ଗାଈଟା ଭଗିଆର ।
"(ସ୍ୱାକ୍ଷର) ବାଇଧର ମହାନ୍ତି ।

୫ ନମ୍ବର ଗୁହା - 'ମୋ ନାମ ଚମ୍ପା, ବାପର ନାମ ଜଣା ନାହିଁ, ଜାତି ଏହି ଘର ମନୁଷ୍ୟ, ସା। ଗୋବିନ୍ଦପୁର ଜି। କଟକ । ମୁଁ ସାରିଆକୁ ଚିହ୍ନେନାହିଁ, ତା ଘର ଏ ଗାଁରେ ନୁହେଁ, ସେ ଆମ ଦୁଆରେ ମରିନାହିଁ, ଆଉ କୁଆଡ଼େ ମରିଯାଇ ଆମ ଦୁଆରେ ପଡ଼ିଥିଲା, ତାକୁ ଜର ହୋଇଥିଲା, ମରିଗଲା । ଆମ ସାଆନ୍ତ ତାକୁ କିଛି କହିନାହାନ୍ତି । ସାଆନ୍ତ ବଡ଼ ଭଲଲୋକ, ହଲିଲା ପାଣିରେ ଗୋଡ଼ ଦିଅନ୍ତି ନାହିଁ । ସାଆନ୍ତାଣୀଙ୍କୁ ଜର ହୋଇଥିଲା, ସେ ମରିଗଲେ । ତାଙ୍କପାଇଁ ମୁଁ ଭାତଖାଉନାହିଁ । ଢେର କାନ୍ଦୁଛି । (ଗୁହା କାନ୍ଦିବସିଲା, ଦାରୋଗା ଧମକ୍ ଦେବାରୁ ତୁନି ହେଲା) ଏଇ ଗାଈଟା ଆମର ଘର ବାଛୁରୀ, (ପୁନର୍ବାର କହିଲା) ସାରିଆକୁ ଟଙ୍କା ଦେଇ କିଣିଛୁ ।"
ଠାଏ ମୁଦି ସନ୍ତକ ଚମ୍ପାର ସହି

ଅଧିକ ରାତି ହେବାରୁ କଚେରୀ ବନ୍ଦ ହେଲା । ଦାରୋଗା, ମୁନ୍‌ସି, ଚୌକିଦାର, ଗୋବରା ଜେନା ଅନେକ ରାତି ପର୍ଯ୍ୟନ୍ତ ବସି ପରାମର୍ଶ କଲେ । ଉପଯୁକ୍ତ ଗୁହା ଠିକଣା କରାଯାଉ ତହିଁ ପରଦିନ ପୁନର୍ବାର ସାକ୍ଷୀ ଜମାନବନ୍ଦୀ ଆରମ୍ଭ ହେଲା ।

୬ ନମ୍ବର ସାକ୍ଷୀ - "ମୋ ନାମ ବନା ଜେନା, ବାପର ନାମ ଦନା ଜେନା, ଜାତି ପାଣ, ବୟସ ୧୮, ପେଷା ହଳିଆଗିରୀ । ସା। ମକ୍ରାମ ପୁର । ପ୍ର ବାଲୁବିଶି ଗି କଟକ - ମୁଁ ସାରିଆକୁ ଚିହ୍ନେ, ତା ଦୁଆରକୁ ଢେର ଥର ଯାଇଛି । ତା ଘର ସଉତୁଣିଆ ମୌଜା ବ୍ରାହ୍ମଣ ସାହିରେ, ନା ନା, ପାଣ ସାଇରେ (ପୁନର୍ବାର କହିଲା) ନା ନା, ଏହି ଗ୍ରାମରେ ରାମଚନ୍ଦ୍ର ମଙ୍ଗରାକ ଆଜକୁ ଆଠଦିନ ହେଲା ତାହାକୁ ଧରିଆଣି ବାଡ଼େଇଥିଲେ । ଏହି ବାଉଁଶବାଡ଼ିରେ ବାଡ଼ଉଥିଲେ । (ସାକ୍ଷୀ ବାଡ଼ି ଦେଖାଇଦେଲା) ଗଲା ଦ୍ୱାଦଶ ଦିନ ଅଧରାତି