ବେଳେ ରାମଚନ୍ଦ୍ର ମଙ୍ଗରାଜ ବାଡ଼ଉଥିଲେ; ଦେଖିଅଛି । ସାରିଆ ପିଠିରେ କୋଡ଼ିଏ ପାହାର ବାଡ଼େଇଲେ । ମୁଁ ସାଉଘର ଗୋରୁ ଖୋଜି ଆସିଥିଲି । ମୋ ଘର ଏଠାକୁ ଦୁଇ କୋଶ ବାଟ । ସାଆନ୍ତଙ୍କ ସାଙ୍ଗରେ ମୋର ତରକାର ନାହିଁ । ଗୋବରା ଜେନା ଚୌକିଆ ମୋ ଭିଣୋଇ ନୁହେଁ ।
ଏ ବାଡ଼ି ସନ୍ତକ ବନା ଜେନାର ସହି ।
୭ ନମ୍ବର ଗୁହା - 'ମୋ ନାମ ଧକେଇ ଜେନା, ବାପର ନାମ ନାଙ୍ଗୁଡ଼ ଜେନା, ଜାତି ପାଣ, ବୟସ ଜଣା ନାହିଁ, ପେଷା ହଳିଆଗିରୀ, ସା ରାଇପୁର । ପ୍ର ବାଲୁବିଶି ଜି କଟକ ।
ଗଲା ନବମୀ ଦିନ ଅଧରାତି ବେଳେ ମୁଦଲା ରାମଚନ୍ଦ୍ର ମଙ୍ଗରାଜ ଏହି ବାଉଁଶ ବାଡ଼ିରେ ସାରିଆକୁ ବାଡ଼ୋଉଥିଲେ, ମୁଁ ଦେଖିଅଛି । ମୁଁ ଲୁଣ କିଣିବାକୁ ଦୋକାନକୁ ଆସିଥିଲି । ରାତି ହୋଇଯିବାରୁ ଦୋକାନ ପିଣ୍ତାରେ ଶୋଇଥିଲି । ଗୁମ୍ଗୁମ୍ ଶଦ୍ଦ ଶୁଭିବାରୁ ମୁଁ ଦୋକାନ ଚାଳ ଉପରେ ଚଢ଼ି ଅନାଇଲି, ଦିଶୁଥିଲା । ମୁଁ ଏହି ଗାଈକୁ ଚିହ୍ନେ, ନିଜେ ଢ଼େର ଥର ଦୁହିଁଛି । ଏ ଗାଈର ନାମ ବଉଳା । ଏ ଗାଈ ଭଗିଆ ତନ୍ତୀର । ରାମଚନ୍ଦ୍ର ତା ଘରୁ ଚୋରି କରି ଆଣିଛନ୍ତି ।
ମୁଦାଲାର ସୁଆଲରେ ଜବାବ ଦେଲା -"ଗୋବରା ଜେନା ମୋ ମାଉସୀ ପୁଅ ଭାଇ ନୁହେଁ । ସେ ମୋତେ ଡାକିଆଣି ନାହିଁ । ମୁଁ ଗୁହାଇ ଦେବା ସକାଶେ ଆପଣା ଇଛାରେ ଆସିଅଛି । ସେ ମୋତେ ଖାଇବାକୁ ଦିଏନାହିଁ । ମୁଁ ଘରୁ ଚୂଡ଼ା ଚାଉଳ ବାନ୍ଧି ଆଣିଅଛି । ନବମୀ ଆଜକୁ କୋଡ଼ିଏ କି ବାଇଶ ଦିନ ହେଲା ଗଲାଣି । ଆଜି ତିଥି କଣ ମୋତେ ଜଣାନାହିଁ ।
ଏହି ବାଡ଼ି ସନ୍ତକ ଧକେଇ ଜେନାର ସହି ।
୮ ନମ୍ବର ଗୁହା -" ମୋ ନାମ ଖତି ଚନ୍ଦ, ବାପର ନାମ ନିତା ଚନ୍ଦ । ଜାତି ତନ୍ତୀ, ବୟସ ୨୮, ପେଷା ଲୁଗାବୁଣା । ସା - ଗୋବିନ୍ଦପୁର । ଜି - କଟକ ।
ଏ ଗାଈ ଭଗିଆର ଜାଣେ । ଭଗିଆ ମୋ ପଡ଼ିଶା । ଯେଉଁ ଦିନ ସରକାରୀ ଜମାଦାର ଆସି ଭଗିଆର ଘର ଭଙ୍ଗାଇ ଦେଲେ, ସେଦିନ ମଙ୍ଗରାଜେ ଗାଈ ବାନ୍ଧିଆଣି ଉଆସରେ ରଖିଅଛନ୍ତି । କି ସକାଶେ ଗାଈ ବାନ୍ଧିଆଣିଲେ