ପୃଷ୍ଠା:Chha mana atha guntha.pdf/୧୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୋତେ ଜଣାନାହିଁ । ମଙ୍ଗରାଜଙ୍କର ହଳିଆମାନେ ଯାଇ ଘର ଭାଙ୍ଗି ପକାଇଲେ, ଘରର ସବୁ ଜିନିଷ ବୋହି ଆଣିଲେ । ଭଗିଆ, ସାରିଆ ଦୁଇଜଣ ଡକାପାତି ଦାଣ୍ତରେ ଗଡୁଥାନ୍ତି । ସରକାରୀ ଜମାଦାର ଆସିଥିବାରୁ ଆମ୍ଭେମାନେ କବାଟ କିଳିଦେଇ ଜଳାରେ ଅନାଇଥାଏ । ଚୌକିଆ ଗୋବରା ଜେନା ମୋତେ ଡାକୁଥାଏ । ମୁଁ ଜବାବ ଦେଲି ନାହିଁ । ମୋ ଭାରିଯା ଜବାବ ଦେଲା, ମୁଁ ଘରେ ନଥିବାର କହିଲା ।"
( ) - ଏ ଡଙ୍ଗି ସନ୍ତକ ଖତୁ ଚନ୍ଦର ସହି ।

ଜବାବ ଆସାମୀ ରାମଚନ୍ଦ୍ର ମଙ୍ଗରାଜ ପିତାର ନାମ ଧନୀ ନାୟକ, ଜାତି ଖଣ୍ତାୟତ, ବୟସ ୫୨, ପେଷା ଜମିଦାରୀ । ଗୋବିନ୍ଦପୁର । ଜି - କଟକ ।

ଜବାବ ଦେଲା- "ନୁଁ ସାରିଆକୁ ମାରିନାହିଁ । ଭଗିଆ ମୋପାଖରୁ ଟଙ୍କା କରଜ ନେଇଥିଲା, ନାଲିସ କରି ତା 'ଛମାଣ ଆଠଗୁଣ୍ଠ' ଜମି ଡିଗ୍ରୀ କରି ନେଇଅଛି, ମୋକଦ୍ଦମା ଖର୍ଚ୍ଚାକୁ ତାହାର ଗାଈ ନେଇଅଛି ।"
(ସ୍ୱାକ୍ଷର) ରାମଚନ୍ଦ୍ର ମଙ୍ଗରାଜ

ଠିକ୍ ଏହି ସମୟରେ ଗୋଟାଏ ବାୟା ସେଠାରେ ପହଞ୍ଚିଲା । ଅଣ୍ଟାରେ ଖଣ୍ତେ ଛିଣ୍ତାକନା ଗୁଡ଼ାଇଛି, ମୁଣ୍ତବାଳ ମୁକୁଳା, ଦେହ ଯାକ ଧୂଳି କାଦୁଅ, ହାତରେ ଗୋଟିଏ ବାଇଜି ହାଣ୍ତି ଧରିଅଛି, ଖୁବ୍ ନାଚିଲା, ସାରିଆ ସାରିଆ ବୋଲି ଗୀତ ଗାଇଲା । ତାକୁ ଦେଖି ଗାଁ ଲୋକମାନେ ହାହାକାର କରି କହିଲେ, "ଆରେ ଭଗିଆ, ତୋ କପାଳରେ ଏହା ଥିଲା ।" ମଙ୍ଗରାଜଙ୍କ ଉପରେ ନଜର ପଡ଼ିଯିବାରୁ ବାୟା ତାକୁ କାମୁଡ଼ିବାକୁ ଧାଇଁଲା । ଚଉକିଆମାନେ ତାକୁ ଧରିପକାଇଲେ; ସମ୍ଭାଳି ନପାରି ଦାରୋଗାଙ୍କ ଅନୁସାରେ ବାନ୍ଧି ପକାଇଲେ ।

ଦାରୋଗା ମାମଲା ତଦାରଖି ଖତମ କଲେ; ବତ୍ରିଶ ଜଣ ଗୁହାର ଜମାନବନ୍ଦୀ ହୋଇଥିଲା । ସେଥିମଧ୍ୟରୁ ଚାରିଜଣ ଗୁହାଙ୍କୁ ବାହାଲ ରଖି ଆଉ ଆଉ ଲୋକମାନଙ୍କୁ ରୋକସାତ୍ ଦେଲେ ।