ପୃଷ୍ଠା:Chha mana atha guntha.pdf/୧୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଆସାମୀ ଚଲାଣି :

ବେଳ ପ୍ରହରକ ସମୟରେ ମଙ୍ଗରାଜ ଚଲାଣ ହେଲେ । ହାତରେ ହାତକଡ଼ି, ଚୌକିଆ ବରକନ୍ଦାଜ ଘେରିଛନ୍ତି, ମଧ୍ୟରେ ମଙ୍ଗରାଜେ ମୁଣ୍ତରେ ଖଣ୍ତେ ଗାମୁଛା ମୁଣ୍ତପୋତି ଚାଲିଛନ୍ତି । ଗ୍ରାମଲୋକମାନେ ଯାତ୍ରାକାଳୀପରି ଛିଡ଼ାହୋଇ ଚାହିଁଅଛନ୍ତି । ଆଗରେ ଦାରୋଗା, ପଛରେ ମୁନସି । ମଙ୍ଗରାଜଙ୍କର ଏହି ଦୁର୍ଦ୍ଦଶା ଦେଖି ଗ୍ରାମର କେହି ବ୍ୟାକୁଳ ହୋଇଥିଲା କି ନାହିଁ, ଆମ୍ଭେମାନେ ଠିକ୍ କହିବାକୁ ଅକ୍ଷମ । କେବଳ ଚମ୍ପା "ମୋ ସାଆନ୍ତ, ମୋ ସାଆନ୍ତକୁ କାହିଁ ଘେନିଯାଉଚ, ମୋ ସାଆନ୍ତ" ଇତ୍ୟାଦି କରୁଣ ରାଗିଣୀରେ ଡକାପାଡ଼ି ଧାଇଁଥିବା ବେଳେ ବାଟ ଉଛୁଳିପଡୁଥାଏ । ସାଆନ୍ତେ ପଛକୁ ମୁହଁ ବୁଲାଇ ଦୁଇ ତିନି ଥର ଫେରିଯିବାକୁ କହିଲେ । ଦାରୋଗା ମୁନସି ଦିକ୍ଦାର ହେଲେଣି, ଶୁଣିବାକୁ ନାହିଁ, ମୁଣ୍ତରେ ଲୁଗା ନାହିଁ, କାନ୍ଦିଅଥୟ ହୋଇଯାଉଛି । "ଗନ୍ତାଘର ଜିନିଷଗୁଡ଼ାକୁ ଉଇ ଧରିଯିବେ, ମୂଷା ଖାଇଯିବେ, କଣ ହେବ ?" ମଙ୍ଗରାଜେ ଟିକିଏ ଛିଡ଼ା ହୋଇଯାଇ ଲମ୍ବ ଲମ୍ବ ଦୁଇଟା ନଳୀକଞ୍ଚି ତା ହାତରେ ଦେଇ କହିଲେ, 'ସବୁ ସାବଧାନରେ ରଖିବୁ, କିଛି ଚିନ୍ତା କରିବୁ ନାହିଁ ।' ଚମ୍ପା କଞ୍ଚି ଦୁଇଟା ଖୁବ୍ ସାବଧାନରେ ଅଣ୍ଟାରେ ଖୋସିଦେଇ କହିଲା, 'ଆପଣ ଠା'ରେ ବସୁଥିବେ, ଓପାସ ରହିବେ ନାହିଁ ।' ଗୋବିନ୍ଦ ଭଣ୍ତାରୀ ସାଂଗେ ସାଂଗେ ଥିଲା । ଦୁଇଜଣ ସାଂଗ ହୋଇ ଘରକୁ ବାହୁଡ଼ିଲେ । ବାହୁଡ଼ିବା ସମୟରେ ଚମ୍ପାର କାନ୍ଦଣା କେହି ଶୁଣିନାହିଁ ।

ଦାରୋଗା ସାହେବ ଥାନାରେ ପହଞ୍ଚି ଗୁହା ଜମାନବନ୍ଦୀ ସମସ୍ତ ପୁନର୍ବାର ଥରେ ଶୁଣି ମୁନସିଙ୍କ ପରାମର୍ଶ ଅନୁସାରେ କାଟକୁଟ କରି ଗୁହାମାନଙ୍କୁ ସଦୁପଦେଶ ଦେଲେ । ତାହା ବାଦ ରିର୍ପୋଟ ସହିତ ଆସାମୀକୁ କଟକ ମେଜେଷ୍ଟର ସାହେବଙ୍କ ହଜୁରକୁ ଚାଲଣ ଦେଲେ । ଆମ୍ଭେମାନେ ଦାରୋଗାଙ୍କ ରିପୋର୍ଟର ଏକପ୍ରସ୍ତ ସଇମୋହର ନକଲ ହାସଲ କରିଅଛୁ । ଆପଣଙ୍କର ଇଚ୍ଛା ହେଲେ ଶୁଣନ୍ତୁ । ଦାରୋଗା ରିପୋର୍ଟର ନକଲ ଧର୍ମାବତାର, ଚଳିତ ଅକ୍‌ଟୋବର ମାସ ତିନି ତାରିଖ ଭୋର ଆଠ ବଜେ ଅତ୍ରାଧୀନ ଆପଣା ଏଲାକା ମଧ୍ୟରେ ଆପଣା କଚିରି ଜାଗାରେ ବସି ସରକାରୀ କାମ ଅଞ୍ଜାମ କରୁଥିବା ହାଲତ - ମୁନ୍‌ସି ଚକ୍ରଧର ଦାସ ବନ୍ଦା ଡାହାଣ