ପୃଷ୍ଠା:Chha mana atha guntha.pdf/୧୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାନ୍ଧବଃ ଅର୍ଥାତ୍ ଓକିଲମାନେ କଚେରିରେ ଆଉ ବିଲୁଆମାନେ ମଶାଣିରେ ଥାଆନ୍ତି, ଏମାନେ ବାନ୍ଧବ । କେବଳ ଜୀବିତ ଆସାମୀକୁ ବହୁତ ବେଳ ଯାଏ ଭକ ଭକ କରି ଚାହିଁ ରହିବାକୁ ହେଲାନାହିଁ । ପହରା ବରକନ୍ଦାଜ ଗୋପୀ ସିଂହ ଚିହ୍ନାଇଦେଇ ହିଲା, "ଦେଖ, ଏହାଙ୍କର ନାମ ରାମ ରାମ ଲାଲା, କଚେରୀରେ ବଡ଼ ଓକିଲ, ୟାଙ୍କୁ ଆଚ୍ଛା କରି ଧର, ସାହାବ ଏହାଙ୍କ କଥା ଖୁବ୍ ଶୁଣନ୍ତି ।" ଓକିଲବାବୁ ଖୁସିହୋଇ ଛାତି ଆଉ ଦୁଇ ବାହୁରେ ଦୁଇଥର ଆଖି ବୁଲାଇଲେ, ଦୁଇଥର ଗଳା ଖଙ୍କାରି ପୁରୁଣା ସ୍ନେହୀ ମଣିଷ ପରି କହିଲେ, "ମଙ୍ଗରାଜେ; ମାମଲାଟା ଏତେ ବଢ଼ିଗଲା, ଆଗରୁ ମୋତେ ଖବର ଦେଲେନାହିଁ ? ସଂସାର ଯାକ ମାମଲା ମୋ ପାଖରେ ଲୋକମାନେ ଥୁକ ପକାଇବାକୁ ସୁଦ୍ଧା ବେଳ ଦେଉନାହିଁନ୍ତି । ତେବେ ମଧ୍ୟ ଆପଣଙ୍କ ନାମ ଯେପରି କାନରେ ପଡ଼ିଲା ଧାଇଁଛି ।" ମଙ୍ଗରାଜେ ଫଁ କରି ନିଃଶ୍ୱାସଟାଏ ପକାଇ ଭୋ କରି କାନ୍ଦି ପକାଇଲେ, ହାତ ଯୋଡ଼ି ଭୂଇଁରେ ମୁଣ୍ତ ଲଗାଇଦେଲେ ।

ଓକିଲ - "ଉଠନ୍ତୁ, ଉଠନ୍ତୁ, ଏଣିକି ସବୁ ମୋତେ ଲାଗିଲା, ଆପଣ ନିଶ୍ଚିନ୍ତରେ ବସନ୍ତୁ, କିଛି ପରବାଏ ନାହିଁ । କାଲି ରାତିରେ ସାହେବଙ୍କ କୋଠିକି ଯାଇଥିଲି, ଢେର ଢେର ମାମଲା କଥା ପଡ଼ିଲା । ଆପଣଙ୍କ କଥା ମୋତେ ଜଣାଥିଲେ ଆଜି କଣ ବୋଲି କଣ କରି ପକାଇଥାନ୍ତି, ଆପଣଙ୍କ ମକଦ୍ଦମା ହାଲ ମୁଁ ସବୁ ବୁଝିଗଲିଣି, ସବୁ ମିଛ, ସବୁ ମିଛ । ସେହି ମୁହଁପୋଡ଼ା ଦାରୋଗା; ତାହାରି ଏତେ ଖେଳ । ସେହି ଦାରୋଗା ହାଲ କଣ କରିବି, ଦେଖିବେ । ଥରେ ସାହେବଙ୍କ ସଙ୍ଗରେ କଥାହେଉ । "ମଙ୍ଗରାଜେ - (ହାତ ଯୋଡ଼ି) 'ଓକିଲ ସାହେବ, ମୁଁ କଣ କରିବି, ମୋତେ ବଞ୍ଚାନ୍ତୁ, ମୋତେ ପ୍ରାଣ ଦିଅନ୍ତୁ, ଆପଣ ମୋର ଧର୍ମର ବାପ, ମୁଁ ପିଲାଲୋକ, ପିଲା ବୁଦ୍ଧି, ଆପଣଙ୍କୁ ସବୁ ଲାଗିଲା ।"

ଓକିଲ - "ଆପଣଙ୍କୁ କିଛି କହିବାକୁ ହେବ ନାହିଁ, ମୁଁ ତ ସବୁ ଜାଣେ, ସବୁ କରିବି । ତେବେ ଗୋଟାଏ କଥା ଜାଣନ୍ତି, ମାମଲାଟା କିଛି ଟାଣ, ଭାରି ଟାଣ, ଫାଶିର ମାମଲା, ବେଳରୁ ନ ଜାଣିଲେ ଫାଶି ଠିକ୍ । ପୁଣି ସେହି ପୋଡ଼ାମୁହାଁ ଦାରୋଗାର ପିଛା ଧରି ଚାଲିଛି । ଆପଣ ତ ବୁଦ୍ଧିମନ୍ତ ଲୋକ, ଅଧିକ କଣ କହିବି, କଚେରୀ ମାମଲା କଥା ସବୁ ଆପଣଙ୍କୁ ଜଣା, କିଛି ଖରଚ ଲାଗିବ,