ପୃଷ୍ଠା:Chha mana atha guntha.pdf/୧୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖରଚକୁ ଡରିଲେ ହେବ ନାହିଁ, ହାତ ଫିଟାଇବାକୁ ହେବ । ଦାରୋଗା କଣ କହି ବୁଲୁଚି, ଶୁଣିଲେଣି ତ ? ଫାଶି ମକଦ୍ଦମା । ପ୍ରାଣ ଥିଲେ ସବୁ । ଟଙ୍କା ଆପଣ ଅର୍ଜିଛନ୍ତି କି ଟଙ୍କା ଆପଣଙ୍କୁ ଅର୍ଜିଛି ? ଆପଣ ସେଥିର ଗୋଟାଏ ଠିକ୍ କରିପକାନ୍ତୁ ।"

ମଙ୍ଗରାଜେ - (କାନ୍ଦି କାନ୍ଦି) "ଆଜ୍ଞା, ଏଥିରେ କେତେ ଟଙ୍କା ଲାଗିବ? ମୋ ହାତରେ ତ ଗୋଟିଏ ପଇସା ନାହିଁ, ସାଙ୍ଗରେ କେହି ଲୋକ ନାହିଁ । ଯେ ଗୁମାସ୍ତା ଚାକର ଆସିଛନ୍ତି, ଦାରୋଗା ସେମାନଙ୍କୁ ମୋ ସାଙ୍ଗରେ କଥା କହି ଦେଉନାହିଁ । ମୋତେ ଖଲାସ କରିଦେଉନ୍ତୁ, ଘରକୁ ଗଲେ ହଜାର ଟଙ୍କା ଆପଣଙ୍କୁ ଦେବି ।"

ଗୋପୀ ସିଂହ - "ଆହା ମଙ୍ଗରାଜେ, ତୁମେ କି ଏହି ବୁଦ୍ଧିରେ ଜମିଦାରୀ କରୁଥିଲ ? ଏଠାରେ କଣ କିଣା ବିକା କଥା ଯେ ଧାର ଉଧାର ଚଳିବ ? ମକକେଲ ବୋଲେ ରଖ ମଉସା, ଓକିଲ ବୋଲେ ଆଣ ପଇସା । ଟଙ୍କାଟି ଥୁଅ, କଥାଟି କୁହ, ଟଙ୍କା କାଢ଼, ଟଙ୍କା କାଢ଼ । ମାମଲା ଜିଣିବ ତ ଟଙ୍କା କାଢ଼ । ଓକିଲ ସାହେବ, ମୁଁ ଆଉ ଆସାମୀ ସାଙ୍ଗରେ କଥା କହିବାକୁ ଦେବି ନାହିଁ । ନାଜର ଦୁଇପଦ କଥା କହିବାକୁ ହୁକୁମ ଦେଇଥିଲେ । ମୁଁ କିଛି ଏକଲା ନାହିଁ ; ଆମ୍ଭେମାନେ ଚାରିଜଣ ।"

ଓକିଲ - "ଶୁଣୁଛ ତ ମଙ୍ଗରାଜେ ! ସହଜ କଥା ନୁହେଁ, ବରକନ୍ଦାଠାରୁ ହାକିମ ପର୍ଯ୍ୟନ୍ତ ସମସ୍ତଙ୍କୁ ହାତ କରିବାକୁ ହେବ । ମାମଲା ଯେପରି ଟାଣ, ଆଉ କେହି ଓକିଲ ହୋଇଥିଲେ ନଗଦ ଦଶହଜାର ଧରି ମଧ୍ୟ ମୁହଁ ଦେଇପାରନ୍ତା ନାହିଁ,ମୁଁ ବୋଲି ଏଥିରେ ପଶୁଛି । ଆପଣ ଯେତେବେଳେ ଧର୍ମ ବାପ ବନାଇଲେଣି, ଆଉ କଣ ଭସାଇଦେବି ? ଆଚ୍ଛା, ଏହି ମାମଲାରେ ଯେତେ ଟଙ୍କା ଖରଚ ହେବ, ମୁଁ ଖରଚ କରୁଛି, ଏଥରେ ତ ଦଶହଜାରରୁ ପଇସାଏ ଊଣା ନୁହେଁ । ଆପଣଙ୍କ ଜମିଦାରୀ ମୋତେ କଟକବାଲା ଲେଖି ଦେଉନ୍ତୁ । ସବୁ ଟଙ୍କା ଯେ ଏବେ ଖରଚ ହୋଇଯିବ; ଏପରି ନୁହେଁ । ଆପଣ ଖଲାସ ହେଲେ ମୁଁ କଡ଼ା ଦାମ ହିସାବ ବୁଝାଇଦେବି ।"

ମଙ୍ଗରାଜେ ଗାଲରେ ହାତ ଦେଇ ଦଣ୍ତେ ବସି କଣ ଭାବିଲେ, ସାପର ଗୋଡ଼ ସାପକୁ ଦିଶେ । କଟକବାଲା ଅର୍ଥ ମଙ୍ଗରାଜେ ଭଲ ଜାଣନ୍ତି ।