ପୃଷ୍ଠା:Chha mana atha guntha.pdf/୧୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏକବିଂଶ ପରିଚ୍ଛେଦ

କଟକ ସେସନ୍ ଜଜକୋର୍ଟ :

ଆଜି ଜଜ୍ କୋର୍ଟରେ ଭାରି ଭିଡ଼ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଅଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମିଯାଅନ୍ତି, ସେହିପରି ଜଣଜଣ କରି କଚେରୀ ପୂରିଗଲେଣି । ଭାରି ଭିଡ଼, ଗୋଳମାଳ, ଦୁଇଜଣ ଚପରାଶି ଚୋଓପ ଚୋ-ଓ-ପ କହି ଆହୁରି ଗୋଳମାଳ ବଢ଼ାଉଛନ୍ତି । ମଫସଲରେ ଜଣେ ମାନ୍ୟବର ଜମିଦାର ମଣିଷମାରୁ ମାମଲାରେ ଚଲାଣ ହୋଇ ଆସଛି । ମେଜେଷ୍ଟର ସାହେବ ଦୋହରା ସମ୍ପ୍ରୋଦ କରିଥିଲେ, ପାଞ୍ଚଦିନ ହେଲା ମକଦ୍ଦମା ଚାଲିଛି, ଆଜି ଶେଷ ବିଚାର ଦିନ, ମାମଲା ଏପର୍ଯ୍ୟନ୍ତ ପଡ଼ିନାହିଁ । କାଲି ବୁଧବାର ବିଲାତୀ ମେଲ୍ ଯିବ । ସାହେବ ମାଇଁ ଡିଅର୍ ଲେଡି ଆରମ୍ଭ କରି ଚଞ୍ଚଳ ଚିଠିଖଣ୍ତ ଲେଖି ପକାଉଛନ୍ତି । ଫୌଜଦାରୀ ମାମଲା ପଡ଼ିଲେ ହାକିମ ସାହେବ ବିଲାତୀ ଛାପା କାଗଜ ମେଲାଇ ବସନ୍ତି କିମ୍ବା ଚିଠିଲେଖା ଆରମ୍ଭ କରନ୍ତି, ପେସ୍କାର ଜିମା ସବୁ କାର୍ଯ୍ୟ । ସାହେବ ଜମାନବନ୍ଦୀ କାଗଜରେ ଗାଁରେ ଗାଁରେ ଦସ୍ତଖତ ଟାଣିଦେବା ଆଉ ରାୟ ଶୁବାଇବାରେ ମାଲିକ । ଆଜି ସାହେବଙ୍କୁ ସବୁ କାର୍ଯ୍ୟ ହାତରେ କରିବାକୁ ହେବ, କାରଣ ଆଜି ସାକ୍ଷୀ ଜଣକ ଇଂରାଜ, ଇଂରାଜୀରେ ମଧ୍ୟ ରାୟ ଲେଖିବାକୁ ହେବ । ଆଜିକାର କାରଖାନା ସବୁ ଇଂରେଜୀମୟ; ମାତ୍ର ଆମ୍ଭେମାନେ ଓଡ଼ିଆ, ପାଠକମାନେ ମଧ୍ୟ ସେହିପରି ଛାପାଖାନା ଅକ୍ଷରଗୁଡ଼ାକ ମଧ୍ୟ ଏହି ଦେଶୀ, ସୁତରାଂ ଆମ୍ଭମାନଙ୍କୁ ତରଜମା କରି ସମସ୍ତ କଥା ଲେଖିବାକୁ ହେଉଛି । ସାହେବ ମେଞ୍ଚାଏ ଛେପରେ ଲଫାପା ବନ୍ଦ କରି ଚପରାସୀ ହାତରେ ଡାକଘରକୁ ପଠାଇଦେଇ କହିଲେ, ଉଏଲ ବାବୁ ! ମକଦ୍ଦମା ପେଶ୍ କର । ସରକାର ତରଫ ଓକିଲ ଇଶାନ ଚନ୍ଦ୍ର ସରକାର ଏବଂ ପୋଲିସ ଦାରୋଗା ଇନାଏତ ହୋସନ ମୁଦାଲା ଓରଫ ରାମ ରାମ ଲାଲା ହାଜର ।