ପୃଷ୍ଠା:Chha mana atha guntha.pdf/୧୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆସାମୀ ରାମଚନ୍ଦ୍ର ମଙ୍ଗରାଜ ଆସାମୀ କାଠଗଡ଼ା ଭିତରେ ହାତ ଯୋଡ଼ି ଠିଆ ହୋଇଅଛନ୍ତି । ଜଜ୍ ସାହେବଙ୍କ ଡାହାଣ ପାଖରେ ଚଉକିରେ ବସି ହୋଲି ବାଇବେଲ ଧରି ଡାକ୍ତର ସାହେବ ଜମାନବନ୍ଦୀ ଦେଲେ -

ମୋର ନାମ ଏ.ବି.ସି.ଡି. ଡଗ୍‌ଲାସ, ବାପର ନାମ ଇ.ଏଫ୍.ଜି.ଏଇଚ ଡଗଲସ୍ ଜାତି ଇଂରେଜ, ବୟସ ୪୦ ହାଲ ସାକିନି କଟକ, ଆମ୍ଭେ କଟକ ଜିଲ୍ଲାରେ ସିଭିଲ ସର୍ଜନ । ଗତ ତାରିଖ ଭୋର ସାତଟା ତିରିଶ ମିନିଟ ସମୟରେ ସରକାରୀ ଲାସ୍ ମାଇନା ଘରେ ଆମ୍ଭ ସାକ୍ଷାତରେ ସାରିଆର ଲାସ୍ ପୋଷ୍ଟମର୍ଟମ ଏକ୍‌ଜାମିନ କରାଯାଇଛି । ଚୌକିଦାର ଗୋବରା ଜେନା ଚିହ୍ନିତ ଦେବା ଅନୁସାରେ ଆମ୍ଭେ କହୁଛୁ ତାହା ସାରିଆର ଲାସ୍ ଥିଲା । ଆମ୍ଭେ ଯେତେଦୂର ପରୀକ୍ଷା କରିଅଛୁ, ସାହସ କରି କହିପାରୁଁ କୌଣସି ପ୍ରାଣନାସକ ଅସ୍ତ୍ର ବା ଅନ୍ୟ ପଦାର୍ଥ ଏହାର ମୃତ୍ୟୁର କାରଣ ନୁହେଁ । ଦୀର୍ଘକାଳ ଉପବାସ ରହି ବିଶେଷ ମାନସିକ ଯନ୍ତ୍ରଣା ଭୋଗକରି ମରିଯାଇଥିବାର ଆମ୍ଭେ ଯଥେଷ୍ଟ ପ୍ରମାଣ ପାଇଅଛୁ । ଜଜ୍ ସାହେବ ସୁଆଲରେ ସାକ୍ଷୀ ଜବାବ ଦେଲେ, ଲାସ୍ ଦେହରେ କୌଣସି ପୀଡ଼ାର ଲକ୍ଷଣ ଥିଲା ନାହିଁ, ଅଥଚ ତାହା ଦେହର ରକ୍ତ ଶୁଖିଯାଇଥିଲା, ହୃଦୟରେ ପ୍ରାୟ ରକ୍ତ ଥିଲା ନାହିଁ । ପାକସ୍ଥଳୀ ପ୍ରାୟ ଶୂନ୍ୟ ଥିଲା । ମୂତ୍ରଧାର, ମଳବାହିନୀ ନାଡ଼ିରେ କିଛି ପଦାର୍ଥ ନ ଥିଲା । ଏହି ସମସ୍ତ ଲକ୍ଷଣ ଦ୍ୱାରା ଜାଣୁଅଛୁଁ , ସେ ଉପବାସରେ ମରିଚି ।

ସରକାରୀ ଓକିଲଙ୍କ ସୁଆଲରେ ଜବାବ-ହଁ, ଲାସ୍ ପିଠିରେ ତିନି ଜାଗାରେ ଚିହ୍ନଥିବାର ଗୋବରା ଜେନା ଆମ୍ଭଙ୍କୁ ବିଶେଷରୂପେ ଦେଖାଇଲା । ଆମ୍ଭେ ମଧ୍ୟ ଉତ୍ତମ ରୂପେ ପରୀକ୍ଷା କରି ଦେଇଅଛୁଁ, ତାହା ମାଡ଼ର ଦାଗ ନୁହେଁ, ପ୍ରାଣତ୍ୟାଗ ଉତ୍ତାରେ ଗରମ ଲୁହା କିମ୍ବା ଅନ୍ୟ କୌଣସି ଆଗ୍ନେୟ ପଦାର୍ଥରେ ଦାଗ ଦେଲେ ଚିହ୍ନ ହୁଏ, ଏହା ସେହିପରି ଈଷତ୍ ପୋଡ଼ା ଚିହ୍ନ ।

ପୁନର୍ବାର ସରକାରୀ ଓକିଲଙ୍କ ସୁଆଲରେ - ନା, ଆମ୍ଭେ ନିଜେ ଛୁରି ଧରି ଶବ କାଟି ନାହୁଁ, ନେଟିଭ ଡାକ୍ତର ଗୌରାଙ୍ଗ କର, ଆଉ କମ୍ପାଉଣ୍ତର ବାସୁଦେବ ପଟ୍ଟନାୟକ ଦୁଇ ଜଣ ଆମ୍ଭ ସାକ୍ଷତରେ ଶବଚ୍ଛେଦ କରିଛନ୍ତି ।