ପୃଷ୍ଠା:Chha mana atha guntha.pdf/୧୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁନର୍ବାର ଓକିଲ ସୁଆଲରେ ସାକ୍ଷୀ କିଞ୍ଚିତ୍ ଖପା ହୋଇ ଜବାବ ଦେଲେ, ଆମ୍ଭେ ଆଜକୁ ସାଢ଼େ ଦଶ ବରଷ ହେଲା ସିଭିଲସର୍ଜନୀ କରି ଆସିଅଛୁଁ, ପ୍ରଥମେ ମିଲିଟାରୀ ଡିପାର୍ଟମେଣ୍ଟରେ ଥିଲୁ, ଆମ୍ଭେ ଲଣ୍ତନ କଲେଜରେ ଡାକ୍ତରୀ ପଢ଼ି ପାଶ୍ କରିଛୁ ।

ପୁନର୍ବାର ସୁଆଲରେ ଜବାବ ଦେଲେ - ପ୍ରଥମେ ଆମ୍ଭେ ହସ୍‌ପିଟାଲ ଆସିଷ୍ଟାଣ୍ତ ଥିଲୁ, ବର୍ମା ଯୁଦ୍ଧରେ ଆମ୍ଭର ପ୍ରମୋଶନ ହୋଇଛି ।

ଜଜ୍ ସାହେବ ଆସାମୀ ଓକିଲକୁ ଅନାଇ କହିଲେ - ତୁମାରା କୁଛ୍ ସବାଲ ହେ ? ଆସାମୀ ତରଫ ଓକିଲ ରାମରାମ ଲାଲାଙ୍କ ସୁଆଲ - ଡାକ୍ତର ସାହେବଙ୍କୁ ଅନାଇ କହିଲେ, "ଆଚ୍ଛା, ମିସଲ ଉପରେ ଆସାମୀର ଯେଉଁ ବାଉଁଶ ଠେଙ୍ଗା ଅଛି, ଏହି ଠେଙ୍ଗାର କିଛି ଦାଗ ଲାସ୍ ପିଠିରେ ଅଛି କି ?

ଜଜ୍ ସାହେବ -"ନନ୍‌ସେନ୍‌ସ ! ଆଉର କ୍ୟା ପୁଚ୍ଛ୍ ନେକା ହେ ପୁଚ୍ଛେ ।

ଓକିଲ ସାକ୍ଷୀକୁ ପୁନର୍ବାର ଜେରା କଲେ - ଆଚ୍ଛା, ଆପଣ କହୁଛନ୍ତି ସାରିଆ ଉପାସ ରହି ମରିଛି, ସେ ଆପେ ଉପାସ ରହିଥିଲା କି ଆସାମୀ ତାକୁ ଉପାସ ରଖାଇଥିଲା ।

ଜଜ୍ ସାହେବ - "କୁଛ ବାତ୍ ନେହି, ଗୋ ଅନ୍ ଚଲୋ ଚଲୋ ।"

ପୁନର୍ବାର କେରା - "ଆଚ୍ଛା,ସାରିଆ ଆସାମୀ ଦୁଆରେ ମରିଥିବା କିଛି ପ୍ରମାଣ ଅଛି ?" ଜଜ୍ ସାହେବ ଖପା ହୋଇ କ ହିଲେ - "ଦେଖୋ, ତୁମ୍ ଏସା ବେହୁଦା ସବାଲ କରୋଗେ ତ ତୁମାରା ଓକିଲାତି କେନ୍‌ସଲ କର ଦେଗା ।"

ଓକିଲ - "ହଜୁର ଖୋଦନ୍ଦ୍ - ମା ବାପ ଦୁନିଆକା ବାସସା । "

ଆସାମୀର ଜବାବ ନିଆଗଲା ଉତ୍ତାରେ ଦୁଇପକ୍ଷ ଓକିଲଙ୍କ ବକ୍ତୃତା ହେଲା, ଭାରି ଝଟାପିଟା ଲାଗିଲା, ଊଣା ନୁହେଁ, ଅଢ଼େଇ ଘଣ୍ଟା କାଳ ବତ୍କୃତା । ଏହି ଅବକାଶରେ ସାହେବ ବେଲମ୍ବର ଖଣ୍ତେ ଛପା କାଗଜ ପଢ଼ିପକାଇ ଟିଫିନ୍ ଖାଇ ଆସିଲେଣି ! ହାକିମ ବନ୍ଦ କରାଇ ନ ଥିଲେ ବତ୍କୃତା ବରାବର ଚାଲିଥାନ୍ତା ।

ହାକିମଙ୍କ ହୁକୁମ ଅନୁସାରେ ସେରସ୍ତଦାର ରୋବକାରୀ ଲେଖି ପ୍ରକାଶ କଲେ ସେହି ରୋବକାରୀଟା ବାରଫର୍ଦ୍ଧ କାଗଜରେ ଲେଖଗଲା । ରୋବକାରୀ