ବରଷା ହେଊ, ତୋଫାନ ହେଉ, ଝଡ଼ି ହେଉ ମଙ୍ଗରାଜେ ଏହି ବିଧି ଲଙ୍ଘନ କରିଥିବାର କେବେ କେହି ଦେଖିନାହିଁ । ଶାସ୍ତ୍ରରେ ଲେଖାଅଛି -
"ଯେତେକ ଦେଖ ନଦନଦୀ,
ସମସ୍ତେ ମିଳନ୍ତି ଜଳଧି ।
ଆପଣାଗୁଣ ପାସୋରନ୍ତି,
ଲବଣ ଗୁଣକୁ ଭଜନ୍ତି ।"
ଠିକ କଥା । ସେହିପରି ସ୍ତ୍ରୀ, ଦାସ ଦାସୀ ସମସ୍ତେ ସାଆନ୍ତଙ୍କ ଗୁଣକୁ ଉଣା ଅଧିକରେ ଲାଭ କରିଥାନ୍ତି । ଆମ୍ଭେମାନେ ସାଆନ୍ତଙ୍କ ଘର ଦାସ ଦାସୀ ମାନଙ୍କୁ ଦେଖି ଏହି ଶିକ୍ଷା ଲାଭ କରିଅଛୁଁ । ମଙ୍ଗରାଜ ବ୍ରାହ୍ମମୁହୂର୍ତ୍ତରେ ଉଠି ଦାନ୍ତ ଘଷି ପକାନ୍ତି । କଲିକତା ସହରରେ ଦୁଇ ଥର ତୋପ ପଡ଼େ । ପ୍ରାତଃ କାଳ ତୋପ ରାତ୍ରି ଶେଷଜ୍ଞାପକ । ମଙ୍ଗରାଜେ କଚେରୀ ପିଣ୍ଡାରେ ଠିଆହୋର ହଳିଆକୁ ଡାକିଦେଲେ ଗ୍ରାମର ଲୋଜେ ଆଖିବୁଜି ମଧ୍ୟ ଜାଣିପାରନ୍ତି, ରାତିପାହିଲାଣି, ବୋହୂ ଭୂଆଶୁଣିଏ ବାସିପାଇଟିରେ ଲାଗିଯାନ୍ତି । ମଫସଲରେ ଲୋକେ ଘଣ୍ଟା ଫଣ୍ଟା ବୁଝନ୍ତି ନାହିଁ । ସୂର୍ଯ୍ୟ ମୁଣ୍ତ ଉପରକୁ ଆସିଲେ ବଳଦ କାନ୍ଧରେ ଯୁଆଳି ବାହାରେ । ଆଖ ପାଖ ଚାଷିମାନେ ଦୂରରୁ ଅନାଇ ଦେଖନ୍ତି, ମଙ୍ଗରାଜଙ୍କ ବଡ଼ ତାଳ ପତ୍ର ଛତା ହିଡ଼ ଉପରୁ ଉଠିଲାଣି କି ନାହିଁ । ମଙ୍ଗରାଜେ ତାଙ୍କର ହଳିଆ ମାନଙ୍କୁ ପୁଅ ପରି ପାଳିଛନ୍ତି । ମା- ବାପ ପିଲାମାନଙ୍କ ଖିଆ ପିଆ ନିଜେ ନଦେଖିଲେ ସେମାନଙ୍କ ମନ ମାନେ ନାହିଁ । ହଳିଆମାନେ ଧାଡ଼ିହୋଇ ଖାଇବାକୁ ବସିଗଲେ ସାଆନ୍ତେ ରାନ୍ଧୁଣିଆକୁ ଉଚ୍ଚସ୍ୱରରେ ଡାକ ଦିଅନ୍ତି, ଆରେ ତୋରାଣି ଆଣ, ଏମାନଙ୍କ ତଣ୍ଟି ଶୁଖିଯାଇଛି । ରାନ୍ଧୁଣିଆ ଅଭ୍ୟସ୍ତ ବିଦ୍ୟା ପ୍ରଭାବରେ ଫି ଜଣକୁ ଦୁଇ କଂସା କରି ତୋରାଣି ଦିଏ । ହଳିଆ ଏତେଗୁଡ଼ାଏ ତୋରାଣୀ ପିଇବାକୁ ନାରାଜ ହେଲେ ସାଆନ୍ତେ ତାହାର ଉପକାରିତା ଓ ବଳକାରିତ୍ୱ ସମ୍ବନ୍ଧରେ ଖୁବ୍ ବକୃତା କରି ତାହା ପିଆଇ ଦେଇ ତହିଁ ଉତ୍ତରେ ଭାତରବ୍ୟବସ୍ଥା କରି ଆପେ ସ୍ନାନ କରିବାକୁ ବାହାରିଯାନ୍ତି । ସାଆନ୍ତଙ୍କ ବଗିଚାରେ ସତରଟା ସଜନାଗଛ । ସଜନାଶାଗ