ପୃଷ୍ଠା:Chha mana atha guntha.pdf/୧୩୧

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରିପୋର୍ଟକାରୀ ଗୋବରା ଜେନା ଚୌକିଦାର ସୂତ୍ରପାତକାରୀ ଅଟେ । ତାହାର ପ୍ରଥମ ରିପୋର୍ଟ ସହିତ ଶେଷ ଜମାମନନ୍ଦୀ ମିଳାଇ ଦେଖିଲେ ସ୍ପଷ୍ଟ ଜଣାଯାଏ, ସେ ମିଥ୍ୟାକୁ ସତ୍ୟରୂପେ ପ୍ରତିପନ୍ନ କରାଇବା ନିମନ୍ତେ ଯଥେଷ୍ଟ ଚେଷ୍ଟା କରି ଅଦାଲତରେ କୁଟ ପ୍ରଶ୍ନରେ ଆତ୍ମରକ୍ଷା କରି ବାକୁ ଅସମର୍ଥ ହୋଇଛି । ମକଦ୍ଦମାର ଚାକ୍ଷୁସ ସାକ୍ଷୀ ବନା ଜେନା ଏବଂ ଧକେଇ ଜେନା କି ଯେଉଁମାନେ ଆସାମୀ ବାଉଁଶ ବାଡ଼ିରେ ସାରିଆକୁ ମାରିପକାଇଥିବାର ବୟାନ କରନ୍ତି, ସେମାନେ ଚୌକିଦାରର ଆତ୍ମୀୟ, ସେମାନଙ୍କ ଘର ଆସାମୀ ଘର ଠାରୁ ଦୁଇ କୋଶ ଦୂର, ଅର୍ଦ୍ଧରାତ୍ର ସମୟରେ ଜାଗରିତ ହୋଇ ଆସାମୀର କାର୍ଯ୍ୟମାନ ଦେଖିବା ନିତାନ୍ତ ଅସମ୍ଭବ ।

ପୋଲିସ ମାମଲା ଉକ୍ତ ସ୍ଥାନର ଯେଉ ନକ୍‌ସା ଦାଖଲ କରିଅଛି, ସେଥିରୁ ସ୍ପଷ୍ଟ ଜଣାଯାଏ, ଆସାମୀ ଯେଉଁ ସ୍ଥାନରେ ଠିଆ ହୋଇଥିବାର ପ୍ରକାଶ କରନ୍ତି, ତହିଁ ମଧ୍ୟରେ ତିନି ପରସ୍ତ ଘର ବ୍ୟବଧାନ, ସୁତରାଂ ଦୃଷ୍ଟିରେଖା ଭେଦ କରି ଚଳିବା ନିତାନ୍ତ ଅସମ୍ଭବ ଏବଂ ଅନ୍ୟାନ୍ୟ ପାର୍ଶ୍ୱଘଟଣା ଏବଂ କୁଟ ପ୍ରଶ୍ନରେ ସାକ୍ଷୀ ମାନଙ୍କର ବିଶୃଙ୍ଖଳ ଜବାବଦ୍ୱାରା ଏମାନଙ୍କୁ ଅବିଶ୍ୱାସ କରିବାର ଯଥେଷ୍ଟ କାରଣ ବିଦ୍ୟମାନ ରହିଅଛି । ଏହି ହତଭାଗ୍ୟମାନେ ସରଳ ଗ୍ରାମ୍ୟଲୋକ ଥିବାଯୋଗୁଁ ଅନ୍ୟ ଲୋକର କୁମନ୍ତ୍ରଣାରେ ପ୍ରତାରିତ ହୋଇ କିପରି କାର୍ଯ୍ୟ କରିବାକୁ ପ୍ରବୃତ୍ତ ହୋଇଅଛନ୍ତି, ସେଥିରେ ଭୀଷଣତ୍ୱ ହୃଦୟଙ୍ଗମ କରିବାକୁ ସେମାନେ ଅକ୍ଷମ ଏବଂ ଗୋବରା ଜେନା କୂଟପରୀକ୍ଷାରେ ବାରମ୍ବାର ମିଥ୍ୟା କଥା କହୁଥିବାର ପ୍ରକାଶ ପାଇଛି, ଅତଏବ ଆମ୍ଭେ ତାହାକୁ ଫୌଜଦାରୀ ସମ୍ପ୍ରୋଦ କଲୁଁ ।

ଆସାମୀର ପୂର୍ବ ଦୁଶ୍ଚରିତ୍ରତା ପ୍ରମାଣ କରାଇବା ସକାଶେ ପୋଲିସ କେତେଜଣ ସାକ୍ଷୀର ଜମାନବନ୍ଦୀ କରାଉଛି; କିନ୍ତୁ ତଦ୍ଦ୍ୱାରା ଆମ୍ଭେ ଏହି ପ୍ରମାଣ ପାଇଅଛୁଁ କି, ଆସାମୀ ଅନ୍ୟ ଲୋକର ସମ୍ପତ୍ତି ହରଣ କରିବା ସକାଶେ କୂଟିଳ ବୁଦ୍ଧି ପ୍ରୟୋଗ କରିବା ବିଷୟରେ ନିପୁଣ ଅଟେ, ମାତ୍ର କାହାରି ପ୍ରତି ଦୋଷ ଯୁକ୍ତ ବଳପ୍ରକାଶ କରିବାର ପ୍ରମାଣ ନାହିଁ । ସୁତରାଂ ଏପରି ଲୋକ ଦ୍ୱାରା ନରହତ୍ୟା ଘଟଣ ହେବା ଅସମ୍ଭବ ଅଟେ ଏବଂ ହତ୍ୟା କରିବାର କୌଣସି କାରଣ ମଧ୍ୟ ଦେଖୁନାହିଁ ।