ପୃଷ୍ଠା:Chha mana atha guntha.pdf/୧୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦ୍ୱାବିଂଶ ପରିଚ୍ଛେଦ

ଗୋପୀସାହୁର ଦୋକାନ ଘର :

ବିରୂପା ନଦୀକୂଳ-ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ତ; ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠ ଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢ଼ିରେ ଭାସିଯାଇଅଛି । ଗ୍ରାମ ଗଲାଣି, ନାମ ଯାଇ ନାହିଁ । ତୁଠ ଉପରେ ଗୋଟିଏ ଭାରି ବଡ଼ ବରଗଛ । ଗଛମୂଳରେ ଗୋପୀସାହୁର ଦୋକାନ ଘର, ଘରଟି ସାତପାଞ୍ଚ । ସେଥିମଧ୍ୟରୁ ଅଧକରେ ଗୋଟିଏ କୋଠରୀ, ଅଧେ ମେଲା । ଆଗରେ ଦୁଇହାତ ଲମ୍ବ ପିଣ୍ତା । ଦୈବ ଦୁର୍ବଳେ କେହି ବାଟୋଇ ରହିଗଲେ ମେଲାରେ ରୋଷେଇ କରନ୍ତି । ଗୋପୀ ବୁଢ଼ା ହୋଇଗଲାଣି, ବିଲବାଡ଼ିକି ଆଉ ପାରେ ନାହିଁ । ଗଲା ଅଙ୍କରେ ବୁଢ଼ୀ ଚାଲିଗଲା ଦିନରୁ ତା ଅଣ୍ଟା ବସିଗଲାଣି । ପୁଅମାନେ ମଧ୍ୟ ବୁଢ଼ାକୁ ଧନ୍ଦାରେ ପକାନ୍ତି ନାହିଁ । ଗୋପୀ ତୁଚ୍ଛା ବସିବା ଲୋକ ନୁହେଁ, ବସିବାଠାରୁ କାଷିବା ଭଲ, ବରଷେ ହେଲା ଫନ୍ଦାଟାଏ ଫାନ୍ଦିଛି । ଦିନ ପ୍ରହରକବେଳେ ଚାରିଟା ମୁହଁରେ ଦେଇ ଦୋକାନକୁ ଆସେ, ସଞ୍ଜବେଳେ ଦୋକାନ ଘରେ ଲମ୍ବା ନଳୀ କୋଲପଟାଏ ପକା ଘରକୁ ଚାଲିଯାଏ । ଦୋକାନଠାରୁ ଅଧକୋଶ ଛଡ଼ା । ଦୋକାନରେ ଚାଉଳ, ଡାଲି, ଲୁଣ, ଚୁଡ଼ା, ଧୂଆଁପତ୍ର ରଖିଥାଏ । ସଞ୍ଜବେଳେ ଘରକୁ ଯିବାବେଳେ ପସରା ସବୁ ଗୋଟାଏ ଟୋକେଇରେ ଭରତି କରି ଘରୁକୁ ଘେନିଯାଏ । ଗୋପୀ ଗାଁ ଲୋକଙ୍କ ପାଖରେ କହେ, ସେ ଏଣିକି ବଡ଼ ସାହାଖର୍ଚ୍ଚୀ ହୋଇପଡ଼ିଲାଣି । ସଞ୍ଜବେଳେ ସୋରିଷେ ସୋରିଷେ ଆପୁ ନ ଖାଇଲେ ରାତିରେ ନିଦ ହୁଏ ନାହିଁ । ଆପୁ ଖାଇସାରି ଚୂଡ଼ା ଗୁଣ୍ତି ଦି'ଟା କିମ୍ବା ମୁଢ଼ିଗୁଣ୍ତ ଦି'ଟା ପାଟିରେ ନ ପକାଇଲେ ନୁହେଁ । ଧୂଆଁ ଅଭ୍ୟାସ ତ ଅଛି । ହେଲେ ଖର୍ଚ୍ଚ ନିଜ ଅର୍ଜନରୁ ଚଳାଏ । ପୁଅମାନେ ଦୋକାନ କରିବା ସକାଶେ ଯେ ଆଠଣିଟିଏ ହେଇଥିଲେ, ସେଥିରୁ ଯେ ପଇସାଏ ଅଧଲାଏ ବାହାରେ, ସେଥିରେ ଚଳିଯାଏ, ପାଣ୍ଠିରେ ହାତ ଲାଗେ ନାହିଁ ।

ଅଶିଣମାସିଆ ଦିନ, ଦିନ ଯାକ ମେଘଟା ଘୋଡେଇଛି, ଦୁଇ ଦିନ ଅସରା ପାଣି ମଧ୍ୟ ହୋଇଗଲାଣି । ବର୍ଷା ପଡ଼େ ଟପର ଟପର, ବାଟଟା କାଦୁଅରେ ଚପର