ଚପର, ବାଟୋଇ କେହି ନାହାନ୍ତି । ବେଳ ଆହୁରି ଦଣ୍ତେ ଅଛି, ମାତ୍ର ମେଘ ଘୋଟିଥିବାରୁ ଅନ୍ଧାର ହୋଇ ଆସିଲା ପରି ଜଣାଯାଅଛି । ଗୋପୀ ଦୋକାନକୁ ଅନାଇ କହିଲା, "ସକାଳୁ କାହା ମୁହଁ ଚାହିଁଥିଲି, ଅଧାଲାଟିକର ଧୂଆଁପତ୍ର ମଧ୍ୟ ସରିଲା ନାହିଁ ।" ଗୋପୀ ଦୋକାନକୁ ଗୋଟିଏ ଟୋକେଇରେ ପୁରାଇ ଗାମୁଛା ମୁଣ୍ତରେ ବାନ୍ଧି ପିଣ୍ତାରେ ବସିଲା; ଆକାଶକୁ ଅନାଇ ଆପେ ଆପେ କହିଲା - "ବେଳ ବୁଡିନାହିଁ । ନଦୀଘାଟକୁ ଅନାଇ ଅଛି; କେହି ବାଟୋଇ ପାରିହୋଇ ଆସିବ ପରା ! ନଦୀ ତୁଠକୁ ଏକ ଧ୍ୟାନରେ ଅନାଇ ଭଜନ ଆରମ୍ଭ କରିଅଛି -"
"ଦିନ ଗଲାଟିରେ ସରି
ବୃଥା କାଳ କାଟିଦେଲି ନ ଭଜି ଶ୍ରୀହରି । ଘୋଷା ।
ବହିଯାଇଅଛି ଆୟୁ ନଦୀସ୍ରୋତ ପରି
ପଡିଲେ କାଳ ସାଗରେ ନ ଆସିବ ଫେରି ।
ବିଷୟରେ ମତ୍ତ ହୋଇ ଦିବସଶର୍ବରୀ,
ଆପଣାଅର ନିଜ ଧାମ ରହିଛି ପାସୋରି ।
ଦୀନ ଜନେ ଦୟା କର ଦୟାମୟ ହରି
ନିରନ୍ତର ତୁମ୍ଭ ନାମ ଥିବି ହୃଦେ ଧରି ।"
"ଏ ଦୋକାନି - ! ରହିବାକୁ ଜାଗା ମିଳିବ ?" ଗୋପୀ ଚମକିପଡ଼ି ଅନାଇଲା ଦୋକାନ ଆଗରେ ଦୁଇଜଣ ବାଟୋଇ । ଜଥାଟି ପିନ୍ଧା, ମୁଣ୍ତରେ ଗାମୁଛାଗୁଡ଼ିଆ ପିଠିରେ ସାନ ଗୋଟାଏ ବୋକଚା, କାନ୍ଧରେ ତାଳପତ୍ର ଛତାଟିଏ, ଜଣେ ପୁରୁଷ, ତା' ପଛାଅଟେ ଗୋଟିଏ ସ୍ତ୍ରୀ, ପାଟଶାଢ଼ୀ ଖଣ୍ତିଏ ପିନ୍ଧା, କୁମ୍ଭକର୍ଣ୍ଣ ଧଡ଼ି, ସୂତାଶାଢ଼ୀ ଖଣ୍ତିଏ ଚଉତା ହୋଇ ଉପରାଣ ପଡିଛି, ସର୍ବାଙ୍ଗ ଢଙ୍କା, କେବଳ ନାକର ଫୁଲଗୁଣା ଆଉ ନାଟମୟୂର ଦିଶିଛି । ଲୋକେ କହନ୍ତି, "ଭେକ ଥିଲେ ଭିକ ।" ଲୁଗାପଟାରୁ ଗୋପୀ ବୁଝିଗଲା ଆଣ୍ଟୁଆ ମହାଜନ । ଗୋପୀ ଚଞ୍ଚଳ ଦୋକାନ ପିଣ୍ତାରୁ ଓହ୍ଲାଇପଡ଼ି ଦୁଇଜଣଙ୍କୁ ଦୁଇଟା ଦଣ୍ତବତ ହୋଇ କହିଲା, "ଆଜ୍ଞା ଆସନ୍ତୁ, ଦୋକାନ ଉପରକୁ ଆସନ୍ତୁ, ରୋଷେଇ କରନ୍ତୁ ସବୁ