ପୃଷ୍ଠା:Chha mana atha guntha.pdf/୧୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସରଞ୍ଜାମ ଅଛି, ଘରେ ଛିଣ୍ତା ପଟିଖଣ୍ତ ମେଲାଇଦେଲା । ସ୍ତ୍ରୀ ଲୋକଟି ଆଗେ ଗୋଡ଼ଧୋଇ ଓଦାଲୁଗା ପାଲଟି ପଟିରେ ଯାଇ ଚକାପାରି ବସିଲେ । ଦେହର ଅଳଙ୍କାର ଦେଖି ଗୋପୀ 'ଆଜ୍ଞା' 'ସାଆନ୍ତ' 'ସାଆନ୍ତାଣୀ' ଇତ୍ୟାଦି ସମ୍ବୋଧନ କଥାମାନ ପ୍ରତି କଥା ଆଗରେ ବୋଲି ଯାଉଅଛି । ଏଣେ ସ୍ତ୍ରୀ ଲୋକ ଗୋପର ଭକ୍ତି ଦେଖି ଖୁସି ହୋଇଗଲେଣି, ପଣତକାନିରୁ ଚାରିଅଣାଟିଏ ଫିଟାଇ ଗୋପ ପାଖକୁ ଫୋପାଡ଼ିଦେଇ କହିଲେ, 'ଏ ବୁଢ଼ାପୁଅ ରୋଷେଇ ସରଞ୍ଜାମ ଦେ' । ଗୋପ ଲଣ୍ତଭଣ୍ତ ହୋଇ ସୁଉକିଟିଏ ଉଠାଇନେଇ ଦୁଇ ହାତରେ ଲେଉଟା ଲେଉଟି କରି ଦୁଇ ତିନି ଥର ଦେଖିଲା, ତାହା ବାଦ୍ ଦୁଇ ଥର ଚୁମା ଖାଇ ଦୁଇଥର ମରେ ମାରି କୁଞ୍ଚର ତଳ କାନିରେ ବାନ୍ଧି ନାହି ପାଖରେ ଖୋସି ଦେଲା । ଗୋପ ମୁଖ ଦେଖି ଜଣାଯାଏ, ସେ ଆଉ ଥରେ ମନ ମଧ୍ୟରେ ବୋଲିଥିବ, "ଆଜି ସକାଳେ କାହା ମୁହଁ ଚାହିଥିଲି, ସଉଦା ନହେଉଣୁ ସୁଉକିଟାଏ । "ଦୋକାନ ଆରମ୍ଭ ଦିନରୁ ଏଟା ନୂଆକଥା । ଗୋପୀ ରୋଷେଇ ସରଞ୍ଜାମ ସମସ୍ତ, ଅର୍ଥାତ୍ ଚାଉଳ, ଚୋପାଳିଆ ବିରିଜାଈ; ଲୁଣ ଆଣି ଥୋଇ ଦେଇ ଆଗେ ନିଆଁ ବରିହା ଫୁଙ୍କି ଚୁଲୀ ଲଗାଇ ଦେଲା । ସ୍ତ୍ରୀ ଲୋକଟି ଭାତ ରାନ୍ଧିବାକୁ, ପୁରୁଷ ମାଠିଆ ଡେବିରି ହାତରେ ଧରି ପାଣି ଆଣିବାକୁ ବାହାରିଲେ । ସ୍ତ୍ରୀ ଲୋକଟି କହିଲେ, "ଆରେ ବୁଢ଼ାପୁଅ, ଏଠି ଦୁଧ ଘିଅ ମିଳିବ? ଦୁଧ ଘିଅ ନ ହେଲେ ମୁଁ ଖାଏ ନାହିଁ । "ଗୋପୀ କ ହିଲା 'ଆଜ୍ଞା ସତକଥା, ସତକଥା ନ ମିଳିବାକୁ ସିନା, ଏସବୁ କଣ ଛାମୁଁ ଠା' ବସିବା ଜିନିଷ ? ଜଳଖିଆ ପାଇଁ ଆଚ୍ଛା କାଣ୍ତିଆ ସରୁଚୂଡ଼ା ହୁଅନ୍ତା, ନିରୂତା ଗାଈଦୁଧ ହୁଅନ୍ତା, ନବାତ ନୋହିଲେ ଦକ୍ଷିଣୀ ନୂଆଗୁଡ଼ ହୁଅନ୍ତା, ଆଉ ଖନ୍ଦା ପାଇଁ ବଡ଼ ଶେଉଳ ନୋହିଲେ ବାଳିଆମାଛ, ବନ୍ତଳକଦଳୀ, ମୁଗଜାଈ, ଦୁଧଘିଅ ହୁଅନ୍ତା । କଣ କରିବି? ଅଜ୍ଞା ଏଉଟା ତ କାଙ୍ଗାଳି ଦେଶ, ଆପଣା ପଦାରବିନ୍ଦ ଧୂଳିରଜ କିପରି ମୋ କପାଳକୁ ପଡ଼ିଗଲା । ଆଜ୍ଞା ଗୋଟାକେତେ ପଇସା ଦିଅନ୍ତୁ, ଗାଁ ବୁଲି ଦେଖେ । 'ସ୍ତ୍ରୀଲୋକଟି ପୁନର୍ବାର ଗୋଟାଏ ସୁଉକି ଫୋପାଡ଼ି ଦେଲେ । ଗୋପ ପୂର୍ବପରି କାନିରେ ବାନ୍ଧି ଗ୍ରାମକୁ ଧାଇଁଲା । ରାତି ଅଧଘଡ଼ି ସମୟରେ ଗୋପର ସାନ ପୁଅ ବୃନ୍ଦାବନ ଖଣ୍ତେ କଦଳିପତ୍ର ଠୋଲାରେ ଦୁଇ ତିନି ତୋଳା ଘିଅ, ଗୋଟାଏ ମାଟି ଠେକିରେ ମାଣେ ଅନ୍ଦାଜ ଦୁଧ, ଯୋଡ଼ାଏ ବାଇଗଣ