ଦୋକାନ ପିଣ୍ତାରେ ଥୋଇ ଦେଇ କହିଲା, "'ଆଜ୍ଞା, ବାପା ବଟେଇଦେଲା, ସେ ଅନ୍ଧାରକଣିଆ, ଆସିପାରିଲା ନାହିଁ ।'
ଦୋକାନରେ ତୃତୀୟ ଲୋକ ନାହିଁ, ସ୍ତ୍ରୀ ଲୋକଟି ଭାତ ରାନ୍ଧୁଛି, ପୁରୁଷଟି ଯୋଗାଇଦେଉଛି, ଦୁହେଁ କଥାବାର୍ତ୍ତା ଆରମ୍ଭ କଲେ ।
ସ୍ତ୍ରୀ -ଶୁଣିଲୁରେ ଗୋବିନ୍ଦ ! ଶୁଣିଲୁତ,କାନ ଲଗେଇ ଶୁଣିଲୁତ, ମତେ ସମସ୍ତେ ସାଆନ୍ତାଣୀ କହୁଥିଲେ, ଯେଉଁଠିକି ଯିବ ସମସ୍ତେ ସାଆନ୍ତାଣୀ କହିବେ, ତତେ ସାଆନ୍ତ କିଏ କହୁଥିଲା ? ଆରେ ଚାଲ, କଟକ ଚାଲ, ତତେ କଣ କରିଦେବି ଦେଖିବୁ, ତତେ ଚାରିଦିନ ହେଲା ବୁଝେଇ ବୁଝେଇ ଥକିଲିଣି ।"
ଗୋବିନ୍ଦା - ନା ଚମ୍ପା ସାଆନ୍ତାଣୀ, ଚାଲ ଆମ ଗାଁକୁ ଯିବା, ସେଇଠି ରହିବା, ବିଲବାଡ଼ି କିଣିବା, ଚାଷ କରିବା, ହଳିଆ ରଖିବା ।
ଚମ୍ପା - ଆରେ, ସତେ ଲୋକେ ଯାହା କହନ୍ତି,
'ଅତି ନିଉଁଛଣା ଅନ୍ଧାର ରାତି,
ଅତି ନିଉଁଛଣା ଭଣ୍ତାରି ଜାତି ।'
ବିଲବାଡ଼ି କ'ଣ ହବ ରେ ? ଆରେ ଯାହା ସାଙ୍ଗରେ ଆଣିଛି, ଶହେ ବରଷ, ଦି'ଶ ବରଷ ବସି ଖାଇଲେ ତ ସରିବ ନାହିଁ ।
ଗୋବିନ୍ଦା - ନା ସେ କଥା ହବ ନାହିଁ, ମୁଁ ଗାଁକୁ ଯିବି, ଘରୁ ଢେର ଦିନ ହେଲା ଖବର ପାଇ ନାହିଁ, ମୋ ମନ କେମିତି ଗୁଡ଼େପୁଡ଼େଇ ହେଉଛି, ନୋହିଲେ, ମୁଁ ଯାଏଁ, ତୁମର ଯାହା ମନ କର ।
ଚମ୍ପା - ଭାଗ ? ଭାଗ କଣ ? ଭାଇ ଭାଗ କଣ ? ଆରେ ଯାହା କହନ୍ତି -
'ପଡ଼ୋଶୁଣୀ ପିଠା ଦେଖି ରବାଇ ଖବାଇ,
ଘଷିଫଡାରେ ଗୁଡ ଲଗାଇ ଭଡ଼ ଭଡ଼ ଚୋବାଇ ।'
ଧନ ସେଠି ଥିଲା ମୋର - ଏଠି ବି ମୋର । ମୁଁ କଣ ଚୋରିକରି ଆଣିଛି? ସାତଦିନ ହେଲା ବରଷା ନାହିଁ, କାଦୁଅ ନାହିଁ, ଏ ଗାଁ, ସେ ଗାଁ, ୟା ଓଳି, ତା ଓଳି ବୁଲେଇ ବୁଲେଇ ମାରିଲାଣି । କହିଲୁ, ସାଆନ୍ତ ପହଡ଼ ଘର କଣରେ ତିନି ଜାଗାରେ ସୁନାଟଙ୍କା, କଳା ଟଙ୍କା, ସୁନା ଗହଣା ସବୁ ପୋତା ହୋଇଥିଲା, କିଏ ପୋତିଥିଲା ? ନିଶୂନ ରାତିରେ ମୁଁ ଗାତ ଖୋଳେ, ସାଆନ୍ତ ମୁଁ ଦୁହେଁ ପୋତୁଁ । ତୁ କଣ ଜାଣିଥିଲୁ ? ଏସବୁ ମୋର ନା ଆଉ କାହାର?