ପୃଷ୍ଠା:Chha mana atha guntha.pdf/୧୩୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗୋବିନ୍ଦ - ଟଙ୍କା ତ ପୋତିଥିଲ, ସବୁ କରିଥିଲ, କଞ୍ଚି ନ ପାଇଥିଲେ କିଛି ପାଇଥାନ୍ତ କି ? କଞ୍ଚି ଆଣିବା ବୁଦ୍ଧି କିଏ କାଢ଼ିଲା ?

ଚମ୍ପା - 'ଏହିକି ଏତେ ନା - ମୁଦି ନାହିଁ ଗୋଡ଼ କଚାଡୁ କେତେ ? ବଡ଼ ବୁଦ୍ଧିଟାଏ କାଢ଼ିଲା ରେ ! ମତେ ଆଉ ବୁଦ୍ଧି ଆସନ୍ତା ନାହିଁ । ଦେଖୁଛି, ସେ ଦିନ ସାଆନ୍ତଙ୍କ ପଛେ ପଛେ ତତଲା ବାଲିରେ ଦୁଇକୋଶ ବାଟ ଧାଇଁ ଗୋଡ଼ରେ ଫୋଟକା ବାହାରି ପଡ଼ିଡିଲା, କାନ୍ଦି କାନ୍ଦି ତୋଟି ବସିଗଲା, କହୁଛି କଣ ନା, ବୁଦ୍ଧି କହିଲି । 'ବୁଦ୍ଧିରେ ବୁଦ୍ଧିନା - ବଳେଇପଡ଼ି ଯାଇଛି କୁଦି ?' ଆଚ୍ଛା କହିଲୁ, ମୁଁ ସେ ରାଣ୍ତୀ ବ୍ରାହ୍ମଣୀ ସାଙ୍ଗରେ ବସି ରାତିଏ ରହି ତା ଘର ଜମିର ସନନ୍ଦ ଆଡ଼ଖୁର ଭିତରୁ ଘେନିଆସିଲି, ସେ ବୁଦ୍ଧି ତୁ କହିଦେଇଥିଲୁ ?

ଗୋବିନ୍ଦ ଆଉ କିଛି ନ କହି ରୁଷି ଆସି ପିଣ୍ତାରେ ବସିଲେ । ଚମ୍ପା ମଧ୍ୟ ତୁନି । ଏକ ଚାହାଳୀର ପାଠ, ଏକ ଅବଧାନର ଚାଟ, ଚତୁର ଚତୁରା କଥା, କେହି କାହାକୁ ଉଣା ନୁହେଁ, ସହଜରେ କିଏ ପଛଘୁଞ୍ଚା ଦେବ ? ଦୁଇଜଣଙ୍କୁ ଦୁଇଜଣ ଚିହ୍ନନ୍ତି । ଚମ୍ପାର ଭାବନା, ଯଦି ଗୋବିନ୍ଦା ଘରକୁ ଯାଏ, ଟଙ୍କା ସୁନା ଗୁଡ଼ାକ ତା ହାତରୁ ଯାଇ ଭଣ୍ତାରୀ ଘରେ ପଶେ, ପୁନର୍ବାର ହାତପୈଠ ହେବା ସହଜ ନୁହେଁ ! ପୁଣି ଗୋବିନ୍ଦାର ମା ଓ ଭାର୍ଯ୍ୟା କଥା ମଧ୍ୟ ତା ମନରେ ପଡ଼ିଲା । ଏଣେ ଗୋବିନ୍ଦାର ଭାବନା, ଚମ୍ପା କଟକ ସହରରେ ପଶିଲେ ତାକୁ ଆୟତ୍ତ ରଖିବା ସହଜ ହେବ ନାହିଁ । ଅଇଣ୍ଠା ଖାଈ କୁକ୍‌କୁରୀ ଆଉ ଖଣ୍ତିଏ ଅଇଣ୍ଠା ପତ୍ର ସମ୍ମୁଖରେ ଦେଖିଲେ ପୂର୍ବପତ୍ର ଗୋଡ଼ରେ ଦଳିଦେଇଯାଏ । ବିପରୀତମୁଖ ଦୁଇ ବଳ ସମାନ ହେଲେ ଦୁହେଁ ସ୍ୱ ସ୍ୱ ସ୍ଥାନରେ ସ୍ଥିର ହୋଇ ରହନ୍ତି ।

ରାତ୍ର ଅନ୍ଦାଜ ପାଞ୍ଚ ଘଡ଼ି କି ଛ ଘଡ଼ି, ଭାତ ଡାଲି ପ୍ରସ୍ତୁତ ହୋଇଗଲାଣି, ଚମ୍ପା ଅଳ୍ପକାଳ ଛିଡ଼ା ହୋଇ କଣ ଭାବିଲା, ପାଖକୁ ଆସି ସାକୁଲେଇ କହିଲା, "ଦେଖ୍ ଗୋବିନ୍ଦା, ତୁ ତ କହୁଛୁ ନଈ ଆରପାରି ଚାରିକୋଶ ବାଟରେ ତୋ ଘର । ହଉ ଚାଲ, କଟକ ଚାଲ, ମୁଁ କିଛି ଟଙ୍କା ଦେବି, ତୁ ଘରେ ଦେଇଯିବୁ । ତୁ ଯଦି ମୋ କଥା ନ ଶୁଣୁ, ଟଙ୍କା ତ ଟଙ୍କା, ସୁନା ତ ସୁନା, କାଣି କଉଡ଼ି ଧୋଇ ପାଣି ଟୋପାଏ, ! ଆ, ଆ ବଡ଼ ଭୋକ ଲାଗିଗଲାଣି, ଖାଇବା ଆ ।' ଗୋବିନ୍ଦା ମଧ୍ୟ ଭୋକରେ କାଉଳି ହେଲା, ବୋଧହୁଏ ସେ ଏଥିରେ ଅଧା ରାଜି