ପୃଷ୍ଠା:Chha mana atha guntha.pdf/୧୪୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଧୀରେ ଆଣି ସେଥିରୁ କ'ଣ ଫିଟାଇ ଅଣ୍ଟାରେ ଭଲ କରି ଲୁଗା ଭିଡ଼ି ଦେଇ ସେହି ପଦାର୍ଥଟା ଦୃଢ଼ ରୂପେ ଧରିଲା, ଧୀରେ ଧୀରେ ଯାଇ ଚମ୍ପାକୁ ଏକ ଧ୍ୟାନରେ ଅନାଇଲା । ଭୂମି ଉପରେ ପଡ଼ି ନିଦ୍ରିତା ଶୂକରୀକୁ ବଣ ମଧ୍ୟରୁ କେନ୍ଦୁଆ ଯେପରି ଅନାଏ, ସେହିପରି ଏକ ଧ୍ୟାନରେ ଚାହିଁଅଛି ତାହାର ଆଖି ଦୁଇଟା ଜଳୁଅଛି, ଡାହାଣ ହାତରେ ଦୃଢ଼ କରି କଣ ଧରିଅଛି; ଏତେ ସାବଧାନ, ଏତେ ଧୀର ଯେ, ନିଃଶ୍ୱାସଟା ମଧ୍ୟ ବଳରେ ପକାଉ ନାହିଁ । ଡାହାଣ ଗୋଡ଼କୁ ଆଗକୁ ପକାଇବା ମାତ୍ରେ ଗୋଟିଏ ଜ୍ୟୋତି ଚକ୍ ଚକ୍ କରି ଚମ୍ପା ଉପର ଦେଇ କନ୍ଥାରେ ବୁଲିଗଲା, ଗୋବିନ୍ଦ ଚମକିପଡ଼ି ଏକାବେଳକେ ପିଣ୍ତାତଳକୁ ଓହ୍ଲାଇ ପଡ଼ିଲା । ଚତୁର୍ଦ୍ଦିଗକୁ ସାବଧାନରେ ଅନାଇଲା, କାହିଁ କିଛି ନାହିଁ, କେବଳ ପୂର୍ବପରି ଚତୁର୍ଦ୍ଦିଗରେ ଘୋର ପୈଶାଚିକ ଶବ୍ଦ, ଗଛତଳ ଡାଳରୁ କେତେ ଖଣ୍ତ ଅନ୍ଧାର ଫଡ଼ ଫଡ଼ ହୋଇ ଉଡ଼ି ପଳାଇଲେ, ବିଲୁଆଟା ଚରୁଥିଲା, ପଳାଇଗଲା । ତାହା ହସ୍ତରେ ଥିବା ପଦାର୍ଥ ବିଶେଷରେ ଆଲୁଅ ପଡ଼ି ଚକ୍ ଚକ୍ ଦିଶିଲା । ଗୋବିନ୍ଦା ସମସ୍ତ ବୁଝିପାରିଲା ପୂର୍ବଠାରୁ ଅଧିକ ସାହସ ବାନ୍ଧି ଧୀରେ ଧୀରେ ଗୋଡ଼ ପକାଇ ଘର ମଧ୍ୟକୁ ଗଲା । ଶୁକରୀ ଉପରେ କେନ୍ଦୁଆ ଯେପରି ଝାମ୍ପି ପଡ଼େ, ସେହିପରି ଚମ୍ପା ଉପରକୁ ଝାମ୍ପି ପଡ଼ିଲା । ଠିକ୍ ସେ ସମୟରେ ଦୀପଟା ପୋଡ଼ିଯାଇ ଦପ୍ କରି ଜଳିଉଠି ଲିଭିଯିବାରୁ କିଛି ଦିଶିଲା ନାହିଁ । ଘର ମଧ୍ୟ ଉତ୍କଟ ଗଁ ଗଁ ଶବ୍ଦ ଗୋଡ଼ ହାତ ବାଡ଼େଇବା ଶବ୍ଦ ଶୁଭି ନିସ୍ତବଧ୍ ହୋଇଗଲା । ସେହି ଶବ୍ଦ ଶୁଣି ବିଲୁଆ ଧଡ଼ପଡ଼ ହୋଇ ପଳାଇଗଲା । ଗଛଟାରୁ ଅନ୍ଧକାରଖଣ୍ତ ବୁଣିଗଲା ପରି ବାଦୁଡ଼ିଗୁଡ଼ା କର୍କଶ ଡେଣା ଶବ୍ଦ କରି ଉଡ଼ିବାକୁ ଲାଗିଲେ । ଏହି ସମୟରେ ଗୋଟାଏ ପ୍ରବଳ ଝଞ୍ଜା ପବନ ଆସି ଗଛର ଡାଳମାନଙ୍କୁ ଦୋକାନ ଘରକୁ କଡ଼କରି ଦେହଲାଇଦେଲା । ମୁହୂର୍ତ୍ତକ ସକାଶେ ସେଠାରେ ଅଦୃଶ୍ୟ ଅନ୍ଧକାର ମଧ୍ୟରେ ପ୍ରଳୟ ଉପସ୍ଥିତ ହେଲାପରି ଜଣାଗଲା ।