Jump to content

ପୃଷ୍ଠା:Chha mana atha guntha.pdf/୧୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାହିଲାଣି, ତା'ପରି ଜଣେ ଆଣ୍ଟୁଆ ନାଉରୀ ଏ ଖଣ୍ତମଣ୍ଡଳରେ ଦେଖାନାହିଁ ।"

ରାତି ଶେଷ ହୋଇଆସିଲାଣି । ରାତିରେ ଭାରି ବର୍ଷା; ଭାରି ତୋଫାନ ଥିଲା, ବର୍ତ୍ତମାନ ପାଣି କିମ୍ବା ପବନ ନାହିଁ, ମେଘଟା ସେହିପରି ଘୋଡ଼ାଇଛି, ଅକାରଣ କେଉଁଠି କିପରି ଫାଙ୍କରେ ସାନ ସାନ ତରାଟିମାନ ଜୂଳୁ ଜୂଳୁ କରି ଅନାଇ ଲୁଚିଯାଉଛନ୍ତି । ଠିକ୍ ଏହି ସମୟରେ ଜଣେ ବାଟୋଇ ସାନ ଗଣ୍ତିରାଟିଏ ପିଠିରେ ବୋକଚା କରି ତୋଠ ପାଖରେ ନଦୀ କୂଳେ କୂଳେ ବୁଲୁଅଛି, ନଦୀ କୂଳେ କୂଳେ ଚାରି ପାଞ୍ଚଶ ହାତ ଚାଲିଯାଇ ପୁନର୍ବାର ତୋଠ ଠାକୁ ଫେରିଆସୁଅଛି । ଜଣାଯାଏ ପହଁରି ନଦୀପାର ହେବାର ଲୋକଟାର ଇଚ୍ଛା, ହେଲେ ବଳ ଖଟୁ ନାହିଁ । ତୋଠାରେ ଠିଆ ହୋଇ ଡାକିଲା, "ଏ ନାଉରି ଭାଇ, ଏ ନାଉରି ଭାଇ !" ଚାନ୍ଦିଆ ବେହେରା, ବାଲିରେ କାତଟା ପୋତି ଖଣ୍ତେ ଲମ୍ବା ଦଉଡ଼ିରେ ଡଙ୍ଗାଟା ଖଟାଇ ଦେଇ ତୁଠ ପାଖରେ ଭୂଇଁପଲାରେ ଶୋଇଅଛି । ବାଟୋଇ ପୁନର୍ବାର ଥରେ ଅତି ସାବଧାନରେ ଡାକିଲା, "ଏ ନାଉରି ଭାଇ, ଏ ନାଉରି ଭାଇ !" ବାଟୋଇ ଡାକିସାରି ଚମକି ପଡ଼ିଲାପରି ଥରେ ପଛକୁ ଅନାଇଲା । ନାଉରି କି ଶୋଇ ଯାଇଛି ? ଏତେ ଡାକର ଜବାବ ନାହିଁ କ୍ୟା ? ମାତ୍ର ଆମ୍ଭମାନେ ନିଶ୍ଚୟ ଜାଣୁ, ନାଉରି ରାତି ଘଡ଼ିଏ ଥାଉଁ ଉଠି ବସିଥାଏ । ଶାସ୍ତ୍ରକାରମାନେ ବୋଲି ଅଛନ୍ତି, ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବ । ଶାସ୍ତ୍ରବିଧି ପାଳିବା ସକାଶେ ଯେ ଚାନ୍ଦିଆ ଉଠିଥାଏ, ଏହା ନୁହେଁ । ଦିନେ ଦିନେ ରାତି ପିଛିଲା ପହରରେ ଡାକ ଆସି ପଡ଼ିଯାଏ, ସେଥିସକାଶେ ସେ ଜାଗ୍ରତ ତାଏ । ଆଉ ଗୋଟିଏ କଥା, ସଞ୍ଜ ବେଳକୁ ଘାଟ ବନ୍ଦ ହୋଇଯାଏ, ସଅଳେ ସଅଳେ ଚାରିଟା ଖାଇଦେଇ ଶୋଇପଡ଼ିଥାଏ । ରାତିଟାଯାକ କେତେ ଶୋଇବ ? ଚାନ୍ଦିଆ ପଲା ମଧ୍ୟରେ ଦୁଇ ଆଣ୍ଠୁ ଉପରେ ମୁଣ୍ତଟି ଦେଇ ଠୁଙ୍ଗା ହୋଇ ବସିଛି, ଆଗରେ ନିଆଁ ଉହ୍ମେଇ, ଚଷୁ ନିଆଁକୁ ଦୁଇହାତ ବଢାଇ ଦେଇଅଛି । ବୋଧହୁଏ ସେ ମନ ମଧ୍ୟରେ ଭାଳୁଅଛି, ଅବେଳରେ ଏ ବାଟୋଇଟା କିଏ ? ସରକାରୀ ଲୋକ ତ ନିଶ୍ଚୟ ନୁହେଁ, ଏ ଲୋକଟା 'ଭାଇ ଭାଇ' ଡାକୁଛି, ସରକାରୀ ଲୋକ ହୋଇଥିଲେ ତା ଘରଆଡ଼ ଭାଇ ଲେଖା କରି ଡାକନ୍ତା । ଯିଏ ହେଉ ଡାକୁଥାଉ, ରାତି ପାହୁ ଦେଖିବି । ପୁନର୍ବାର ଡାକ "ଏ ନାଉରି ଭାଇ, ଆ ବାହାରି ଆ, ଖଜାଖିଆ ଦେବି ।"