ପୃଷ୍ଠା:Chha mana atha guntha.pdf/୧୪୪

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଚାନ୍ଦିଆ ଆଉ ସମ୍ଭାଳିପାରିଲା ନାହିଁ, ଖଜାଖିଆ ନାଁ ଶୁଣି ଦୁଇ ତିନିଥର କାଶିଲା । ଖଜାଖିଆ ଶବ୍ଦରେ କିପରି ଗୋଟାଏ ମନମୋହନ ଶକ୍ତି ଅଛି, ନାଉରି ତ ନାଉରି, ଖଜାଖିଆ ଶବ୍ଦ ଶୁଣିଲେ କେଡ଼େ କେଡ଼େ ଲୋକମାନେ କାଶିପକାନ୍ତି । ଚାନ୍ଦିଆ ପଲା ମଧ୍ୟରୁ ଜବାବ ଦେଲା, କିଏ ପାଟି କରୁଛ ହୋ, ରୁହ ରାତି ପାହୁ, ଲକ୍ଷେ ଟଙ୍କା ଦେଲେ ତ ମୁଁ ବାହାରକୁ ବାହାରକୁ ବାହାରିବି ନାହିଁ ।"

ବାଟୋଇ - ଦେଖ, ଭାଇ ନାଉରି, ମୋର କଟକରେ ମାମଲା ଅଛି, ଚଞ୍ଚଳ ଯିବି, ନେ ପାଞ୍ଚ ଟଙ୍କା ନେ ।

ପାଞ୍ଚ ଟଙ୍କା ! ଏ କ'ଣ ଏ ! ଗୋଟାଏ ପଝାରିକୁ ପାଞ୍ଚ ଟଙ୍କା ? ଚାନ୍ଦିଆ ଜୀବନରେ କେବେ ଏପରି ଘଟନା ଘଟି ନାହିଁ, ଏକା ବେଳକେ ପାଞ୍ଚ ଟଙ୍କା ତା ହାତରେ ପଡ଼ିଛି କି ନାହିଁ, ସେ ବିଷୟ ଆମ୍ଭମାନଙ୍କର ଘୋର ସନ୍ଦେହ ଅଛି । ସେ ପୂର୍ବ ମୁହୂର୍ତ୍ତରେ ପ୍ରତିଜ୍ଞା କରିଥିଲା, ଲକ୍ଷେ ଟଙ୍କା ପାଇଲେ ମଧ୍ୟ ବାହାରନ୍ତା ନାହିଁ, ଲକ୍ଷକରୁ ପାଞ୍ଚ ଫେଡ଼ି ଦେଲେ ବାକି କେତେ ଊଣା ହେଲା, ଏ କଥା ଆଲୋଚନା କରିବା ବୋଧହୁଏ ଅନାବଶ୍ୟକ ବୋଧ କଲା । ଏଣେ ଡର, ବାଟୋଇ ଯେବେ ବାହୁଡ଼ିଯାଏ, ଅବା ରାତି ପାହିଗଲେ ପଇସାଟିଏ ନୋହିଲେ ଯୋଡ଼ାଏ । ଚାଳିଆ ପଲାଭିତରୁ ଡାକ ଦେଲା, "ରହ ତେବେ ରହ, ମୁଁ ଯାଏ ।" ନିଆଁ ଉପରେଫୁଙ୍କି ଫୁଙ୍କି କାହାଳି ଲଗାଇ ହାରତେ ଆଭୁଲାଟାଏ ଧରି ପଲାରୁ ବାହାରିପଡ଼ିଲା, ପିନ୍ଧିଲା ଲୁଗାପଟା ଅଣ୍ଟାରେ ଭିଡ଼ି ଦେଇ ମୁଣ୍ତରେ ଗାମୁଛାଟା ଗୁଡ଼େଇ ଟୋପରଟା ଥୋଇଦେଲା । ବାଟୋଇକୁ କହିଲା "ଆଣ ଆଣ କଣ ଦେଉଛ ଦିଅ । ତୁମେ ବୋଲି ମୁଁ ବସାରୁ ବାହାରିଲି, ଆଉ କେହି ହେଇଥିଲେ ମୁଁ କି ଉଠିଥାନ୍ତି ?" ବାଟୋଇ ପାଞ୍ଚଟି ଟଙ୍କା ବଢ଼ାଇଦେଲା । ନାଉରି ଦୁଇ ହାତରେ ଏକ, ଦୁଇ, ତିନି, ଚାରି, ପାଞ୍ଚ, ଏ ହାତ ସେ ହାତ କରି ତିନିଥର ଗଣିଲା । 'ଟଙ୍କା ନେବ ଗଣି, ପାଣି ପିଇବା ଛାଣି ।' କାହାଳିଟା ବଳରେ ଭିଡ଼ିନେଇ ଆଲୁଅରେ ଥରେ ଟଙ୍କା ଗୁଡ଼ାକ ଦେଖିନେଲା । କୁଞ୍ଚକାନିରେ ବାନ୍ଧି ଅଣ୍ଟାରେ ଭଲ କରି ଖୋଷିଦେଇ ଆକାଶକୁ ପୁଣି ଚାରିଆଡ଼କୁ ଅନାଇଲା, ଆଉ ରାତି ନାହିଁ । ବାଟୋଇ ନାଆ ଆଗ ମଙ୍ଗରେ ବସିସାରିଲାଣି । ନାଉରି ଡାକିଦେଲା "ଭଲ କରି ସମ୍ଭାଳି ବସ ।" ଡଙ୍ଗାରେ ଡାହାଣ ହାତ ତିନି ଥର ଲଗାଇ ମୁଣ୍ତରେ ମାରି ଫିଟାଇଦେଲା, 'ଜେ ଗଙ୍ଗା