ମାତା', କହି ନାଆରେ ଉଠିବସିଲା । ଉପର ପାଣି ତୋଡ଼ ପଡ଼ିଛି, ସମ୍ଭାଳି ହେଉ ନାହିଁ, ଆଉଲା ବାହୁ ବାହୁ ଡଙ୍ଗାଟା ଢେର ତଳକୁ ଭାସିଗଲା । ସମ୍ଭାଳି ଟେକୁ ଟେକୁ ନଦୀ ଛ'ପଣି ଦଶପଣି ହୋଇଅଛି, ରାତି ପ୍ରାୟ ପାହିଆସିଲାଣି । ଗୋପାଳପୁର ତୋଠପାଖରୁ ଗୋଟାଏ ଗୀତ ଶୁଭିଲା -
'ଏ-ଏ-ଏ-ରାମ ଯେ ଲଇକ୍ଷଣ ହେ ଗଲେ ମୃଗ ମାରି
କୁଡ଼ିଆ ଦୁଆରେ ଆସି ଉଭା ବ୍ରହ୍ମଚାରୀ
ବୋଇଲେ ସୀତୟା ଗୋ ଭିକ୍ଷା ଦିଅ ଆମ୍ଭଙ୍କୁ,
ନୋହିଲେ ଅଭିଶାପ ଗୋ ଦେବୁ ରାମ ଲଇକ୍ଷଣକୁ ।'
ବାଟୋଇ ଡଙ୍ଗାରେ ବସି ବାରମ୍ବାର ଗୋପାଳପୁର ତୋଠଆଡ଼କୁ ଚାହିଁଛି । ଗୀତର ଶବ୍ଦ ଅବିରଳ ଅନ୍ଧକାରରାଶି ଭେଦ କରି କାନରେ ପଡ଼ିବାରୁ ବାଟୋଇ ଚଙ୍ଗ ଚଙ୍ଗ ହୋଇ ଠିଆ ହୋଇ ସେ ଦିଗକୁ ଅନାଇଲା । ନାଉରି କାନକୁ ଶବ୍ଦ ଯାଇ ନାହିଁ, ଏକମନରେ ଡଙ୍ଗା ବାହୁଥିଲା, ଡଙ୍ଗା ଟଳ ଟଳ ହେବାରୁ ଡାକି ଦେଲା, 'ଆରେ ବସିପଡ଼ ।' ବାଟୋଇର ଭାବ ଦେଖି ନାଉରି ମଧ୍ୟ ତୋଠାଆଡ଼କୁ ଚାହିଁ କହିଲା, ଓହୋ; ଟପାଟା ହାବୁଡ଼ିଲା ଯେ ।' ଏହା କହି ଡଙ୍ଗା ମଙ୍ଗ ଫେରାଇଦେଲା । ବାଟୋଇ ବ୍ୟାକୁଳ ହୋଇ କହିଲା, "ଏ ନାଉରୀ ଭାଈ, ଡଙ୍ଗା ଫେରା ନା, ଫେରା ନା, ମୋତେ ଆଗ ପାରି କରିଦେ । "ନାଉରୀ କହିଲା, "ମଲା ଯା, ସରକାରୀ କଥା, ମୁଁ କଣ ଜେଲ ଯିବି ?" ରାତ୍ର ଶେଷ, ଅଳ୍ପ ଅଳ୍ପ ଆଲୁଅ ପଡ଼ିଲାଣି, ନାଉରୀ ଦେଖିଲା ବାଟୋଇର ସର୍ବାଙ୍ଗ ରକ୍ତମୟ, ଲୁଗାରେ ରକ୍ତ, ବୋକଚାରେ ରକ୍ତ । ଦୋଳରେ ଫଗୁ ଖେଳିଲାପରି ଲାଲ ଟହ ଟହ ଦିଶୁଅଛି । ନାଉରୀ ଚମକିପଡ଼ି କହିଲା, "କଣ ହେ ! ରକ୍ତ କାହୁଁ ଅଇଲା ? ତୁମେ କଣ କାହାକୁ ମାରିଛ ? ବାଟୋଇ ଚଞ୍ଚଳ ଗଣ୍ଠିରାଟି ଧରି, ନାଉରୀ ହାଁ ହାଁ କହୁଁ କହୁଁ ନଦୀକୁ ଡେଇଁ ପଡିଲା । ପନ୍ଦର କୋଡ଼ିଏ ହାତ ପହଁରି ଯାଉଁ ଯାଉଁ କାହୁଁ ଗୋଟିଏ ଗୋମୁହଁଅ କୁମ୍ଭୀର ଆସି ଟପ୍କରି ଧରିପକାଇଲା, ଗଣ୍ଠିରାଟି ଅଳ୍ପ ଦୂର ଭାସିଯାଇ ବୁଡ଼ିଗଲା । ଚାନ୍ଦିଆ ଚାହିଁଥାଏ । ଏ ଲୋକଟା କିଏ, କେଉଁଠାରୁ ଅଇଲା, କାହିଁ ଯାଉଁଥିଲା ? ବୁଝିବା ହେଲେ ପାଠକ ଅବଧାନ ! ଆମ୍ଭେମାନେ ହେଲୁ ଗ୍ରନ୍ଥକାର, ସୁତରାଂ ସର୍ବଜ୍ଞ । ଏହି ସେ କୁମ୍ଭୀର ଲୋକଟାକୁ