ପୃଷ୍ଠା:Chha mana atha guntha.pdf/୧୪୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଘେନିଗଲା, କି ପାଇଁ ଘେନିଗଲା, କାହିଁ ଘେନି ଗଲା, ତାହା ସହିତ ସଦ୍‌ ବ୍ୟବହାର କଲାକି ଅସଦ୍‌ ବ୍ୟବହାର କଲା, ଏ ସମସ୍ତ ଗୁପ୍ତ ବିଷୟ ଆମ୍ଭ ମାନଙ୍କୁ ଭଲ ଜଣା । ହେଲେ, ଚାନ୍ଦିଆ ବେହେରା କୌଣସି କାରଣରୁ ଏ କଥା ଅନେକ ଦିନ ପର୍ଯ୍ୟନ୍ତ ଲୁଚାଇଥିବାରୁ ଆମ୍ଭେମାନେ ପ୍ରକାଶ କରିବାକୁ ନାରାଜ । ଲୋକଟା ଡଙ୍ଗାରୁ ପାଣିକି ଡେଇଁ ପଡ଼ିବାବେଳେ ତାହା ଗଣ୍ଠିରିରୁ ଡେମ୍ପେ ଲମ୍ବ ବିଡ଼ାଏ ତାଳପତ୍ର ଡଙ୍ଗାରେ ପଡ଼ିଯାଇଥିଲା । ସେହିବିଡ଼ାଟା ଚାନ୍ଦିଆ ପଲା ମଧ୍ୟରେ ଲୁଚାଇ ରଖିଥାଏ । କିଛିଦିନ ଉତ୍ତାରେ ଜଣେ ପଝାରି ଅବଧାନକୁ ପଢ଼ାଇବାରେ ସେ ଖଣ୍ତେ ପତ୍ରରୁ ଏହିପରି ପଢ଼ିଲେ -

ଶ୍ରୀ ଶ୍ରୀ ମୁକୁନ୍ଦ ଦେବଙ୍କ ସାତ ଅଙ୍କ କୁମ୍ଭମାସ କୃଷ୍ଣପକ୍ଷ ଦ୍ୱିତୀୟା ଦିନ ବେଳ ଦୁଇ ଘଡ଼ି ସମୟରେ ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ମହାଜନଙ୍କ ସୁସାକ୍ଷାତକୁ ଏହି ଗ୍ରାମର ରହିବା ଲୋକ ତେଲିପୁଅ ଶ୍ୟାମସାହୁର ଦେଲି ଗୁଜା, ଏନିମନ୍ତେ ଗୁଜା ଲେଖିଦେଲେ କି ମୋ ପୁଅ ଭୀମା ବିଭାଘରକୁ ଆପଣଙ୍କଠାରୁ ଦଶଟଙ୍କା କରଜ ନେଲି; ଆସନ୍ତା ଧନୁ ମାସରେ ମୋ ଖଳା ଉପରୁ ଆପଣଙ୍କ ଖମାର ଗଉଣୀରେ ଦାଣ୍ତ ଭାଉ ପ୍ରମାଣେ ଧାନ ମାପିନେଇ ତହିଁ କଳନ୍ତରକୁ ଅଧା କି ମୂଳ ନଉତିକେ ଆଠ ବିଶ୍ୱା ପରିମାଣରେ ମାପିନେବେ । ଏ ପ୍ରମାଣ, ଏଥକୁ ସାକ୍ଷୀ ଚନ୍ଦ୍ର ସୂର୍ଯ୍ୟ ଦଶ ଦିଗପାଳ ।

ଚାନ୍ଦିଆ ବେହେରା ଡଙ୍ଗା ବାହିନେଲାବେଳେ ଢେର୍ ଦିନପର୍ଯ୍ୟନ୍ତ ଠିକ୍ ସେହି ସ୍ଥାନରେ ଥରେ ଅନାଏ ।