ପୃଷ୍ଠା:Chha mana atha guntha.pdf/୧୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋଟାଏ ହାତରେ ଧରି, ମୁହଁ ଗୋଟାଏ ହାତରେ ଧରି, ଗୋଡରେ ମାଡ଼ିବସି ଖୁରରେ ତା ବେକ କାଟିଅଛି । କଟାବେଳେ ସ୍ତ୍ରୀ ଲୋକଟା ଗୋଡ଼େଇ ହେବାରୁ ଘର ଖୋଳି ହୋଇଯାଇଅଛି । ଦୁର୍ଗନ୍ଧ ଆଉ ଭୟଙ୍କର ମୂର୍ତ୍ତି ଯୋଗୁଁ ଜମିଦାର ବେଶି ବେଳ ଯାଇ ରହିପାରିଲେ ନାହିଁ । ବାହାରକୁ ବାହାରି ଆସି ଆପଣା ଜ୍ଞାନ ବଳରେ ଠିକ୍ କଲେ, ଏ ମକଦ୍ଦମା ଖୁଣୀ, ଲେକିନ୍ ଡକାୟତି ନୁହେଁ ଆଗେଜ ଡକାୟତି ହୋଇଥିଲେ ଲାସ ଦେହରେ ଅଳଙ୍କାର ଥାନ୍ତା ନାହିଁ । ଜମିଦାରଙ୍କ ହୁକୁମରେ ଦୁଇ ଜଣ ହାଡ଼ି ଲାସ୍ ଗୋଡ଼ରେ ଦଉଡ଼ି ଲଗାଇ ଘୋଷାରି ଘୋଷାରି ଆଣି ନଈ ଅତଡ଼ାରେ ପକାଈଲେ । ଘୋଷାରି ଆଣିବାବେଳେ ତାହାର ପାଟଶାଢ଼ୀ ଖଣ୍ତ ଲଙ୍ଗଳାକରି କାଢ଼ିନେବାରୁ ଲାସ୍‌ଟା ଆହୁରି ଭୟଙ୍କର ଦିଶିଲା । ସରକାରକୁ ଭେଜିବା ସକାଶେ ଲାସ ଦେହରୁ ଅଳଙ୍କାରସବୁ ବାହାର କରାଇ ଜମିଦାର ଥଳିରେ ରଖିଲେ, କେବଳ ଗୋଡର କଂସା ପାହୁଡ଼ ନ ବାହାରିବାରୁ ମେହନ୍ତରମାନେ ଲାସ୍‌ର ଦୁଇଗୋଡ଼ ଗୋଛି କୁରାଢ଼ୀରେ ହାଣୀ ପାହୁଢ଼ ବାହାର କରି ଘେନିଗଲେ ।

ତହିଁ ଆରଦିନ ପ୍ରାତଃକାଳରୁ ମକଦ୍ଦମା ତଦାରଖ ଆରମ୍ଭ ହେଲା, ଆଖପାଖ ପାଞ୍ଚଖଣ୍ତ ଗ୍ରାମରୁ ବରକନ୍ଦାଜ ଏବଂ ଚୌକିଦାରମାନେ ଯାଇ ଆସାମୀ ଗ୍ରେପ୍ତାରକରି ଆଣିଲେ । ଜମାଦାର ସାହେବ ବରଗଛମୂଳରେ ବସି ମକଦ୍ଦମା ତଦାରଖ କରିଅଛନ୍ତି, ତିନିଚାରିଶ ଆସାମୀ ଧରା ହୋଇ ଆସିଲେଣି ମାତ୍ର ସମସ୍ତେ ଜମା ହୋଇନାହାନ୍ତି, ତଦାରଖ ଉତ୍ତାରେ ରୋକସତ୍ ହୋଇଯାଉଛନ୍ତି । ଆସାମୀ ଧରା ହୋଇଆସିଲେ ତାକୁ ଲାସ୍ ନିକଟରେ ବସାଇ ରଖାଯାଏ, ଲାସଟା ଫୁଲି ଚାରିଗୁଣ ମୋଟା ହୋଇଗଲାଣି, ଜିଭଟା ଗୋଟିଏ ସାନ କଦଳୀ ଭଣ୍ତାପରି ଦିଶୁଛି, ଦୁର୍ଗନ୍ଧକଥା ଛାଡ଼ । ଉଲଙ୍ଗ ସ୍ତ୍ରୀ ମୂର୍ତ୍ତି ତ, ସତ, ଏହାର ଗୋଡ଼ ପାପୁଲି ନାହିଁ, ଚାଲୁଥିଲା କିପରି ? ଏଟା କି ରାକ୍ଷସୀ ? ଆସାମୀମାନଙ୍କୁ ବହୁତ ବେଳ ଯାଏ ଲାସ୍ ନିକଟରେ ବସିବାକୁ ହୁଏ, ଦୁର୍ଗନ୍ଧ ଏବଂ ତ୍ରାସରେ ଶୀଘ୍ର ଜମାଦାରଙ୍କ ନିକଟରେ ହାଜର ହୋଇଯିବାକୁ ହେଉଅଛି । ବରଗଛର ମୂଳରେ ଜମାଦାରଙ୍କ କଚେରୀ । ନଦୀ ବାଲିରେ ଦଶ ପନ୍ଦର ଗଣ୍ତା ଶାଗୁଣା ଏକାଧ୍ୟାନରେ ଅନାଇ ବସିଛନ୍ତି, କେତେଟା ଉଡ଼ି ଆସୁଛନ୍ତି, ଦଶପନ୍ଦର ଗୋଟା ବିଲୁଆ କୁକୁର ଜମା