Jump to content

ପୃଷ୍ଠା:Chha mana atha guntha.pdf/୧୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇଗଲେଣି, ଚାରି ଛ'ଟା କୁକୁର ଗୋଟିଏ ଗୋଡ଼ର ପାପୁଲି ସକାଶେ କାମୁଡ଼ା କାମୁଡ଼ି ଲଗାଇଛନ୍ତି; କିଛି ଦୂରରେ ଆଉଗୋଟିଏ ଗୋଡ଼ ପାପୁଲିକୁ ସାତଟା ଶାଗୁଣା ଝିଙ୍କାଝଙ୍କି କରୁଥିଲେ, ଗୋଟିଏ ବିଲୁଆ ଆସି ସେମାନଙ୍କ ନିକଟରୁ ଛଡ଼ାଇ ଘେନିଗଲା, ଶାଗୁଣା ଗୁଡ଼ାକ ଅଳ୍ପ ଘୁଞ୍ଚିଯାଇ ଡେଣା ମେଲାଇ ବସିଅଛନ୍ତି । ଚାରିଜଣ ହାଡ଼ି ନାକରେ ଲୁଗା ବାନ୍ଧି ଠେଙ୍ଗା କାନ୍ଧରେ ପକାଇ କୁକୁର ଶାଗୁଣା ଘଉଡ଼ାଉଥାନ୍ତି । ଜମାଦାର ଅନେକ ଲୋକଙ୍କ ଇଜାହାର କଲମ ବନ୍ଦ କରି ପକାଇ ଦେଲେଣି ।

ଦୋକାନୀ ଗୋପୀସାହୁ ବୁଢ଼ା ଇଜାହାର ଦେଲା, "ଆଜ୍ଞା ମୋହର ତିନି କାଳଗଲାଣି, କାଳେ ଅଛି, ମୁଁ କି ଏବୟସରେ ମିଛ କହିବି ? ଆଜି ଏକାଦଶୀ, ଦାନ୍ତରେ ତିରଣ ଦେଇ ନାହିଁ, ଏହି ବିଷ୍ଣୁ ବୃକ୍ଷମୂଳରେ ସତ୍ୟ କହୁଛି, ମୁଁ ଏ ମାମଲା କଥା କିଛି ଜାଣେ ନାହିଁ, ଛ' ମାସ ହେଲା ଘରେ ବାଧିକି ପଡ଼ିଛି, ଦୋକାନକୁ ଆସିନାହିଁ ।"

ନାଉରିଆ ଚାନ୍ଦିଆ ବେହେରା ଇଜାହାର ଦେଲା, "ବରଷା ଆଉ ତୋଫାନ ହେବାରୁ କେହି ନଈ ପାର ହେଉନାହାନ୍ତି, ସେ ଚାରିଦିନ ହେଲା ନଈକୂଳକୁ ଆସିନାହିଁ ।" ଏହିପରି ଗ୍ରାମର ଅନେକ ଲୋକଙ୍କଠାରୁ ଇଜାହାର ନିଆଗଲା ।

ବେଳ ବୁଡ଼ିଆସିଲାଣି, ଗ୍ରାମରେ ଆଉ କେହି ଲୋକନାହାନ୍ତି, ସମସ୍ତଙ୍କ ଠାରୁ ତଦାରଖି ସରିଲାଣି, ମକଦ୍ଦମା କାଲି ପର୍ଯ୍ୟନ୍ତ ରଖାଯିବ କି ଆଜି ଖତମ କରାଯିବ, ଜମାଦାର ବରକାନ୍ଦାଜ ଦୁଇଜଣବସି ବିଚାର କରୁଅଛନ୍ତି, ଏହିସମୟରେ ଗଛଡାଳରୁ ଗୋଟାଏ ଶଙ୍ଖଚିଲ ପୋଖରୀପାଣି କରିଦେବାରୁ ଜମାଦାରଙ୍କ ଦାଢ଼ିର ଅଧା ଅଧି ଧଳା ହୋଇଗଲା । ତୋବା ତୋବା କହି ଜମାଦାର ଉଠିପଡ଼ିଲେ । ଚିଲମାନଙ୍କୁ ଅନାଇ କମବକ୍ତ, ବେକୁବ୍, ହାରାମ୍‌ଜାଦା ବୋଲି କ୍ରୋଧରେ ଗାଳିଦେବାକୁ ଲାଗିଲେ । ଚୌକିଦାରମାନେ ମଧ୍ୟ ଗାଳିଦେଇ ଚିଲମାନଙ୍କୁ ଟେକାମାରିବାକୁ ଲାଗିଲେ । ଜମାଦାରଙ୍କ ଲମ୍ବାଦାଢ଼ି ପରିଷ୍କାର କରିବାକୁ ତିନି ବଦନା ପାଣି ଲାଗିଲା ।

ଜମାଦାର ମାମଲା ଖତମ୍ କରିବାକୁ ବସି ଲୋକମାନଙ୍କୁ କହିଲେ, "ଦେଖ ଏହି ଲୋକ କିଏ ଜଣା ନାହିଁ, ବୋଧ ହୁଏ ଯାତ୍ରୀ । ଏହାକୁ ଖୁଣୀ