ପୃଷ୍ଠା:Chha mana atha guntha.pdf/୧୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଚତୁର୍ଥ ପରିଚ୍ଛେଦ

ଅହଂ ନିଜଃ ପରୋବେତ୍ତି

ଅହଂ ନିଜଃ ପରୋବେତ୍ତି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କହିଲେ ଜ୍ଞାନୀ ପାଠକମାନେ ସେଥିରୁ ସବୁ ଜାଣିଯିବେ । ଭାତହାଣ୍ତିରୁ ଗୋଟିଏ ଚିପିଲେ ସବୁ ଜଣାପଡ଼େ । ସରଦାର ହଳିଆ ଗୋବିନ୍ଦ ପୁରାଣ ସକାଳେ ଆସି ଜଣାଇଲା, ଆଜ୍ଞା, ଦେଢ଼ମାଣ ବିଲ ଅରୁଆ ରହିଲା, ତଳି ନିଅଣ୍ଟ । ସାଆନ୍ତେ ହୁଁ କହି ତୁନି ହେଲେ । ହଳିଆ ହାତଯୋଡ଼ି ଦୁଆରେ ଛିଡ଼ାହେଲା ।

ସାଆନ୍ତେ ବିଲ ବୁଲି ବାହାରିଛନ୍ତି । ପରିଧାନ ଖଣ୍ତିଏ ତେଲ ଚିକିଟା ମଠାଲୁଗା, ଅଣ୍ଟାରେ ଗେରୁରଙ୍ଗିଆ ଗାମୁଛାଭିଡ଼ା, କାନ୍ଧରେ ବିଶାଳ ତାଳପତ୍ର ଛତା । ପଛରେ ଗୋବିନ୍ଦ ପୁହାଣ ବିଲର ହାଲଚାଲ କହି ଚାଲୁଅଛି, ଆଉ ଜଣେ ହଳିଆ କାନ୍ଧରେ ଯୋଡ଼ାଏ ଯୁଆଳି ପକାଇ ଚାଲିଅଛି, ତାହାର ନାମ ପାଣ୍ତିଆ । ଗାଁର ସବୁ ଲୋକ ଉଠି ନାହାଁନ୍ତି । ଶିବୁ ପଣ୍ତିତଙ୍କ ସଙ୍ଗରେ ଭେଟ ହେଲା ।

ପଣ୍ତିତେ ନାଶ ସୁଙ୍ଘି ସୁଙ୍ଘି ବାଁ ହାତରେ ଢାଳଟିଏ ଧରି ପୋଖରୀପାଣି ବାହାରିଛନ୍ତି । ସାଆନ୍ତଙ୍କୁ ହଠାତ୍ ପଛରେ ଦେଖି ତରବର ହୋଇ ସାଢ଼େ ସାତହାତ ଆଡ଼ ହୋଇଗଲେ ଏବଂ ଢାଳଟା ତଳେ ଥୋଇଦେଇ ଧନୁକାକାରଧାରଣ ପୂର୍ବକ 'ଅଞ୍ଜଳିବଧ୍ଵୋ ଭୂତ୍ଵା' ସାଆନ୍ତଙ୍କର 'କୀର୍ତ୍ତିମାୟୁର୍ଯଶଃଶ୍ରିୟଂ' କାମନା କଲେ । ସାଆନ୍ତଙ୍କର ତେଣିକି ଦୃଷ୍ଟି ନାହିଁ, ଏକମୁହାଁ ଚାଲିଛନ୍ତି । ସାଆନ୍ତେ ଖଣ୍ତେ ବାଟ ଚାଲିଗଲା ବାଦ୍ ପଣ୍ତିତେ ଧୀରେ ଧୀରେ ଢାଳଟି ଉଠାଇ ଶ୍ଳୋକଟିଏ ପଢ଼ିଲେ, 'ଆଦ୍ୟ ପ୍ରାତରେବାନିଷ୍ଟ ଦର୍ଶନଂ ଜାତଂ ନ ଜାନେ କିମନଭିମତଂ ଦର୍ଶୟିଷ୍ୟତି ।'