ପୃଷ୍ଠା:Chha mana atha guntha.pdf/୧୫୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରିନାହିଁ, ସାପକାଟି ।" ଗୋପୀସାହୁ ଦୋକାନୀ ଆଗକୁ ଆସି ସାକ୍ଷଦେଲା, "ଧର୍ମାବତାର, ଏଠାରେ ସାପର ଭାରି ଉପଦ୍ରବ, ନଈବଢ଼ିରେ କାହୁଁ ଭାସିଆସି ହଜାର ହଜାର ସାପ ଏଠି ଅଛନ୍ତି, ସାପ ଭୟରେ ଗ୍ରାମ ଭାଙ୍ଗିଗଲା, ମୁଁ କାଲି ଦୋକାନକୁ ଆସିଥିଲି, ଗୋଟାଏ ଲମ୍ବ କୋଳଥିଆ ନାଗ ବୁଲୁଥିଲା, ମୁଁ ଭୟରେ ପଳାଇଲି ।"

ଛାଟିଆମୁଟରୁ ମଳିକ କହିଲା, "ଧର୍ମାବତାର ! ଏଠେଇଁ ଅନେକ ସାପ, ମୁଁ ସେଦିନ ହଜୁରକୁ ଏଇବାଟେ ଯାଉଥିଲି, ଏହିଗଛମୂଳରେ ପନ୍ଦରଟା ନାଗସାପ ଶୋଇଥିଲେ, ମୁଁ ଦେଖି ପଳାଇଲି ।"

ଗତ ପରଦିନ ରାତ୍ରୀରେ ସ୍ତ୍ରୀ ଲୋକଟା ଘର ମଧ୍ୟରେ ଶୋଇଥିବା ସମୟରେ ଦୁଆରେ ଗୋଟାଏ ତମ୍ପସାପ ବୁଲୁଥିବା ବିଷୟରେ ମୁଗପୁର ମୌଜାର ଛାଟିଆ ଧପଟ ସିଂ ସାକ୍ଷ୍ୟ ଦେଲା ।

ଜମାଦାର ସମସ୍ତଙ୍କର ସାକ୍ଷ୍ୟ କଲମ ବନ୍ଦ କରି ଗୋଟିଏ ପଶ୍ଚିମା ଭିକାରୁଣୀ ଯାତ୍ରୀ ଗ୍ରାମର ଭିକ୍ଷା କରି ଖାଉଥିବା ଓ ତାହାକୁ ଗତ ପରଦିନ ରାତ୍ରିରେ ଗୋପାଳପୁର ମୌଜାରେ ସାପକାଟି ହୋଇଥିବା ଓ ଲାସ ଦେହରେ ସାପକାମୁଡ଼ା ଚିହ୍ନ ଜାହେର ଥିବା ଏବଂ ଏହାର ମୁତ୍ୟୁ ବିଷୟରେ ଅନ୍ୟ ପ୍ରକାର ସକ୍ କିମ୍ବା ଦାବିଦାବା ନ ଥିବା ଏକ ରିପୋର୍ଟ କେନ୍ଦ୍ରାପଡ଼ା ଥାନା ଦାରୋଗା ନିକଟକୁ ପଠାଇ ମାମଲା ଖତମ୍ କଲେ । ଦାରୋଗା ଏବଂ ମୁନ୍‌ସଙ୍କ ରୋସମ୍ ସହିତ ରିପୋର୍ଟ ପୁଲସ୍ ଥାନାକୁ ପଠାଗଲା । ଜମାଦାରଙ୍କ ହୁକୁମ ଅନୁସାରେ ଚାରି ଜଣ ହାଡ଼ି ଲାସ୍ ବେକରେ ଦଉଡ଼ି ଲଗାଇ ଭିଡ଼ି ଭିଡ଼ି ନେଇ ନଦୀରେ ଭସାଇଦେଲେ । ନାଉରି ଚାନ୍ଦିଆ ବେହେରା ଦେଖିଲା ଲାସ୍‌ଟା ନଦୀରେ ଭାସି ଯାଉଁ ଯାଉଁ ଯେଉଁଠାରେ ବାଟୋଇକୁ କୁମ୍ଭୀର ଧରିଥିଲା, ଠିକ୍ ସେହି ସ୍ଥାନରେ ତାକୁ ଗୋଟାଏ କୁମ୍ଭୀର ଧରି ଘେନିଗଲା । ଜମାଦାର ଡଙ୍ଗା ପାର ହେଉଁ ହେଉଁ ବରକନ୍ଦାଜ କହିଲା, "ଦେଖ, ଏଡ଼େ ମାମଲାଟାରେ ଦୁଇଶ ମଧ୍ୟ ପୂରା ହେଲା ନାହିଁ ।" "ବରକନ୍ଦାଜ କହିଲା, "ଖୋଦା ମାଲିକ, ଯୋ ହୁକୁମ ହୁଆ ।"