ପୃଷ୍ଠା:Chha mana atha guntha.pdf/୧୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଞ୍ଚବିଂଶ ପରିଚ୍ଛେଦ

ମଙ୍ଗରାଜ ଘରର ହାଲଚାଲ :

ଛ ଅମାଣ ଆଠଗୁଣ୍ଠ କ'ର? କଥିତ ଅଛି, ପୃଥିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରି ଦିଏ । ଆଲ୍ଲାଉଦ୍ଦୀନ୍‌ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ୱଲ୍ୟମାନ ପ୍ରମାଣ; ମାତ୍ର ସେହି ମଣି ଆମ୍ଭମାନଙ୍କ ପୂଜନୀୟ ମହାମାନ୍ୟା ପ୍ରତ୍ୟକ୍ଷ କମଳାସ୍ୱରୂପା ଶ୍ୱେତଦ୍ୱୀପ ବାସିନୀ ଭାରତେଶ୍ୱରୀଙ୍କ ଶିରୋଭୂଷଣ ହେବା ଦିନଠାରୁ ଇଂଲଣ୍ତର ମହିମା ଦିନକୁ ଦିନ ପୃଥିବୀ ବ୍ୟାପୁଅଛି । ଅନ୍ୟର ପ୍ରାଣନାଶକାରି ବିଷ ଦେବାଧିଦେବ ଉମାପତିଙ୍କ କଣ୍ଠସ୍ଥ ହୋଇ ତାଙ୍କର ମହାଦେବତ୍ୱ ପ୍ରକାଶ କରୁଅଛି । ସାର କଥା ଉପଯୁକ୍ତ ଦ୍ରବ୍ୟ ଉପଯୁକ୍ତ ସ୍ଥାନରେ ନ୍ୟସ୍ତ ହେଲେ ଜଞ୍ଜାଳର କାରଣ ହୁଏ ନାହିଁ । ତେଡ଼େ ବଡ଼ କଥା ଛାଡ଼ିଦିଅ, ନିହାତି ସାନରୁ ସାନ ଆମ୍ଭମାନଙ୍କ 'ଛମାଣ ଆଠଗୁଣ୍ଠ' କଥା ଦେଖ । ଲୋକମାନେ କହନ୍ତି, "ଗୋବିନ୍ଦପୁର ଗାଁ ତଳଚକ ଛମାଣ ଆଠଗୁଣ୍ଠ ଜମି ପରି କଳିନ୍ଦି ଆଉ ନାହିଁ, ମାତ୍ର ଜମିଟା ଘରବୁଡ଼ା । ବାଘସିଂହ ବଂଶଟା ଲଣ୍ତଭଣ୍ତ ହୋଇଗଲା । ସାରିଆ ତ ଧନ-ପ୍ରାଣରେ ଗଲା, ମଙ୍ଗରାଜ ବଂଶ କଥା ତ ଦାଣ୍ତରେ ପଡ଼ିଛି । ଜମିଟା ନେବାର ଛ ମାସ ଛ ପକ୍ଷ ଯାଇ ନାହିଁ, ଦଶଟା ଦେଖ ।"

ମଙ୍ଗରାଜ କଟକ ଯିବାର ଚତୁର୍ଥ ଦିନ ସକାଳେ ଦେଖାଗଲା, ଗନ୍ତାଘର ଚାରିଜାଗା ଆଣ୍ଠିଏ ଖୋଳା । ସେହିଦିନ ସକାଳୁ ଗୋବିନ୍ଦା ଆଉ ଚମ୍ପା ଉଆସ ମଧ୍ୟରେ ଦିଶୁ ନାହାନ୍ତି, ସେ ଦୁଇ ଜଣ ଆଗଲି ପିଛିଲି ହୋଇ କଟକ ଦାଣ୍ତ ପଦ୍ମପୁର ଗହୀରରେ ଯାଉଥିବାର ଲୋକେ ଦେଖିଆସି ଗ୍ରାମରେ କହିଲେ । ପୁଅମାନେ ବାପ ଭୟରେ ଶଙ୍କି ରହିଥିଲା, ଏତେବେଳେ ପୋବାର ପଡ଼ିଯାଇଅଛି । ବଡ଼ପୁଅଙ୍କର ଆଗରୁ କିଛି ବାତୁଳ ଛିଟା ଥିଲା, ବର୍ତ୍ତମାନ ଦିନ ରାତି ଗଞ୍ଜେଇ ଭିଡ଼ି ଭିଡ଼ି ସଫା ବାୟା ହୋଇଗଲେଣି । ମଝିଆଁ ଆଉ ସାନ ପୁଅଙ୍କର ନାକ ପୋଛିବାକୁ ତର ନାହିଁ, ମକର ସଂକ୍ରାନ୍ତି ମୁଣ୍ତଉପରେ, ଗୋବରା ଚଢ଼ାଇ ଧରିବାରେ ଲାଗିଅଛନ୍ତି, ଦିନ ରାତି ଧାନ ବିକା ଲାଗିଛି ।