ପୃଷ୍ଠା:Chha mana atha guntha.pdf/୧୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଜି ଗାଁରେ ଚହଳ ପଡ଼ିଛି, ମଙ୍ଗରାଜ ଘରଦ୍ୱାର ନିଲାମ ହେବ । ବେଳ ଅନ୍ଦାଜ ଛ ଘଡ଼ି, ପୋଲିସ ଜମାଦାର, ବରକନ୍ଦାଜ ଛାଟିଆ ଏଇ ଆଠ ଦଶ ଜଣ ମଙ୍ଗରାଜଙ୍କ ଉଆସ ଦୁଆରେ ଉପସ୍ଥିତ ହେଲେ । ଜଜ ସାହେବ ମଙ୍ଗରାଜଙ୍କୁ ହଜାରେ ଟଙ୍କା ଜୋରିମାନା କରିଥିଲେ, ଚଳନ୍ତି ସମ୍ପତ୍ତି ନିଲାମ ହୋଇ ଟଙ୍କା ଅସୁଲ ହେବ । ଜମାଦାର ଘରେ ପଶି ମାଲମତାଗୁଡ଼ିକ ବହିଆଣି ଦାଣ୍ତରେ ଜମା କରୁଅଛନ୍ତି । ବଣି ବସାରେ ଢେମଣା ପଶିଲାପରି ଭୁଆସୁଣୀଗୁଡ଼ାକ ଘରୁ ବାହାରିଯାଇ ଉଆସ ପଛ ତୋଟାରେ କାଉଳି ହେଉଛନ୍ତି । ପୁଅ କେହି ଘରେ ନାହାନ୍ତି । ଛାମୁକରଣ କଣ କହିବାକୁ ଯାଉଥିଲା, ଜମାଦାର ଆଖି ଦେଖାଇବାରୁ ତୁନି ହୋଇ ଗାଲରେ ହାତ ଦେଇ ପିଣ୍ତାରେ ବସିପଡ଼ିଅଛି । ମୁକୁନ୍ଦା ସମସ୍ତଙ୍କ କଥାରେ ହୋଇ ଆଜ୍ଞା, ହୋଇ ଆଜ୍ଞା କହି ଲଣ୍ତଭଣ୍ତ ହେଉଛି ।

ଦାଣ୍ତରେ ମାଲମତ ଗୁଡାକ ନିଲାମ ହେଲା । ନିଲାମ ତ ନିଲାମ ଦି'ପାଣିଆ ବଳଦ ହଳକର ଦାମ୍ ସାଢ଼େ ଚାରି କି ପାଞ୍ଚ କେବେ କିଏ ଶୁଣିଥିଲା ? ଦୁହାଁଳ ଗାଈଗୁଡାକ ଟଙ୍କାଏ ଟଙ୍କାଏ, ଦି'ବରଷିଆ ଛଡ଼ା ସାଙ୍ଗେ ସାଙ୍ଗେ । ପ୍ରଥମେ ପ୍ରଥମେ ନିଜ ଗାଁ ଲୋକ ନିଲାମ ଡାକୁ ନ ଥିଲେ, ଦାମ୍ ଦେଖି ପଛନ୍ତେ ଗୋଟାକ ଉପରେ ଗୋଟାଏ ପଡ଼ିଲେ । ଜମାଦାର ତ ନିଲାମ କରି ଟଙ୍କା ଘେନିଗଲା, ବାକି ଯେ ଗାଈ -ବଳଦଗୁଡ଼ାକ, ଥିଲେ ଏ ବିଲ, ସେ ବିଲ, ଏ ଦାଣ୍ତ ସେ ଦାଣ୍ତ, ଲଣ୍ତଭଣ୍ତ ହେଉଛନ୍ତି, ଆୟତିବାକୁ କେହି ନାହିଁ, ବଙ୍ଗଳା ଗୋଆଲା ଗୋଠରେ କେତେ ଗଲେଣି, କେତେ ବଣା ହୋଇ ଆଉ ଆଉ ଗ୍ରାମରେ ଉଠୁଅଛନ୍ତି । ହଳିଆମାନେ ଦୁଇ ଦୁଇ ବରଷର ବରତନ ପାଇ ନ ଥିଲେ, ଶୁଣାଯାଏ ତୋଟା, ନଡ଼ିଆ ବଗିଚା, ଗୋରୁଗାଈରୁ ସେମାନେ ଅସୁଲ କରି ନେଉଛନ୍ତି ।

ତୁଳ ଅଧାଅଧି ହେଲାଣି, ଆଶୁଧାନ ଶୁକ୍ରବାର ହୋଇନାହିଁ, ପାଣ ହଳିଆଗୁଡ଼ାକ ପଳାଇଗଲେଣି, ଖାଲି ପଳେଇବା ନୁହେଁ, ଗୋରୁ ଲାଙ୍ଗୁଡ଼ ଧରି ପାର ।

ଗାଁର ତିଳପରି କଥାଟା ହାଟରେ ତାଳପରି ଫୁଲିଯାଏ, ସେ କଥାଟା ଏକା ସତ । ଚାରିଆଡ଼େ କଥା ବାଜିଛି, ଜଜସାହେବ ମଙ୍ଗରାଜେଙ୍କ ହାତରୁ