ଷଡବିଂଶ ପରିଚ୍ଛେଦ
ବାବାଜୀ ଲଳିତା ଦାସ :
ଗଲା କାଲିଠାରୁ ଗାଁରେ ଭାରି ଗୋଟାଏ ଚହଳ ପଡିଛି । ହାଟ-ବାଟ, ଗାଧୁଆ ତୁଠ, ହାଣ୍ତିଶାଳ, ଢ଼େଙ୍କିଶାଳ, ଯେଉଁଠାକୁ ଯାଅ, ଶୁଣ ସେହି କଥା । କେଉଁଠାରେ ତୁନିତୁନି କଥା ଚାଲିଛି, କେହି ପାଟିକରି କହୁଛି, କେହିଜଣେ କୁହାଳିଆ ହାତ ହଲାଇ, ମୁଣ୍ତ ହଲାଇ କଥା ମେଲିଛି, ପାଞ୍ଚଜଣ ବସି ଥିର ମନରେ ଶୁଣୁଛନ୍ତି । କଥାଟା ତ ନାନା ରୂପ ଧାରଣ କରି ଚାଲିଛି, ଆମ୍ଭେମାନେ ତାହାର ସାରାଂଶ ଆପଣଙ୍କୁ ଶୁଣାଇବୁ ।
ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡ଼ା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲଥୁକୁଲ, ମୁଣ୍ତଟି ଲଣ୍ତା, ମଝିରେ ତରଭୁଜ ଡେମ୍ପ ପରି ଚୂରକି, ବେକରେ ମୋଟା ମୋଟା ତୁଳସୀ କଣ୍ଠି ପାଞ୍ଚଫେରା ବସିଛି । ବାବାଜୀ ମୁହଁ ଅନ୍ଧାରରୁ ଉଠି ପ୍ରାତଃସ୍ନାନ ସାରି ନାସା ଅର୍ଦ୍ଦରୁ କେଶ ପର୍ଯ୍ୟନ୍ତ ଚିତା ଆଉ ଡେଡ୍ ଲେଟର ଅଫିସରୁ ବେରିଂ ଚିଠି ବାହୁଡ଼ିଲାପରି ସର୍ବାଙ୍ଗରେ ଛାପା ଲଗାଇ ହରିନାମ ଶୁଣାଇବା ସକାଶେ ଗ୍ରାମକୁ ବାହାରନ୍ତି । ପରିଧାନ କୌପୀନ; ତାହା ଉପରେ ବହିର୍ବାସ, ପିଠିରେ ନାମାବଳୀ, ହାତରେ ଝୁଲି । ବାବାଜୀ ଗ୍ରାମରେ ବୁଲି ଲୋକମାନଙ୍କୁ ହରିନାମ ଶୁଣାନ୍ତି, ସନ୍ଧ୍ୟା ସମୟରେ ଖଞ୍ଜଣୀ ବଜାଇ କୀର୍ତ୍ତନ ଗାନ୍ତି, ତହିଁ ଉତ୍ତାରେ ଚୈତନ୍ୟ ଭାଗବତ ପାଠ । ସନ୍ଧ୍ୟା ସମୟରେ ଭାଗବତଘରେ ଭାରି ବୈଠକ ହୁଏ ଗ୍ରାମର ବୁଢ଼ା ଭଳିଆ ଦଶ ବାରଜଣ ତନ୍ତୀ ଭେକ ନେବାର କଥା ହେଲାଣି । ବାବାଜୀଟି ଭାରି ନିର୍ଲୋଭ, କହି କିଛି ଦେଲେ "ହରେ କୃଷ୍ଣ, ହରେ କୃଷ୍ଣ" କହନ୍ତି । ଏପରି ସାଧୁ କେବେ କାହିଁ ଦେଖା ନାହିଁ । ଆଜକୁ ଦୁଇଦିନ ହେଲା ବାବାଜୀ କାହିଁ ଅନ୍ତର୍ଦ୍ଧାନ ହୋଇଗଲାଣି, ସାଙ୍ଗେ ସାଙ୍ଗେ ମଙ୍ଗରାଜଙ୍କ ଉଆସରେ ମରୁଆକୁ ଖୋଜା ପଡ଼ିଛି । କେହି କେହି କହିନ୍ତି, ସେ ବାବାଜୀ ସାଙ୍ଗରେ ବୃନ୍ଦାବନ ଧାମକୁ ଚାଲିଗଲା । ବାସ୍ତବରେ ସେ ଯଦି ସାଧୁ ସହବାସରେ ତୀର୍ଥଯାତ୍ରା