ପୃଷ୍ଠା:Chha mana atha guntha.pdf/୧୫୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସପ୍ତବିଂଶ ପରିଚ୍ଛେଦ

ଅପୂର୍ବ ମିଳନ :

ମନୁଷ୍ୟ ଆପଣା କର୍ମଫଳ ଭୋଗ କରେ । ତୁମେ ଭଲ ଅବା ମନ୍ଦ ଯେପରି କର୍ମ କରିବ, ତହିଁର ପ୍ରତିଫଳ ଅବଶ୍ୟ ତୁମ୍ଭଙ୍କୁ ଭୋଗ କରିବାକୁ ହେବ । ହେ ବୁଦ୍ଧିମାନ, ତୁମ୍ଭେ ଅତି ନିର୍ଜନରେ, ଅତି ସାବଧାନରେ କିଛି କର୍ମକରି ମନେକରୁଛ, ମନୁଷ୍ୟର ଦୃଷ୍ଟିରେଖାର ଅନ୍ତରାଳରେ ରହିଛି । ଭୂମିରେ ଗୋଟିଏ କ୍ଷୁଦ୍ର ବୀଜ ପୋତିବାବେଳେ କେହି ଦେଖେ ନାହିଁ ସତ୍ୟ, ମାତ୍ର ସେଥିରୁ ଜାତ ବୃକ୍ଷର ମନୁଷ୍ୟନେତ୍ର ଅତିକ୍ରମ କରିବାର ଉପାୟ ନାହିଁ । ପୁଣି ତୁମ୍ଭେ ଯେଉଁ ବୃକ୍ଷ ରୋପଣ କଲ ତାହାର ଫଳ ତୁମ୍ଭଙ୍କୁ କଦାଚିତ୍ ବଂଶପରମ୍ପରାକୁ ଭୋଗ କରିବାକୁ ହେବ । ହେ ବଳବାନ, ଧନବାନ, ଗର୍ବିତ ତୁମ୍ଭେ ଯାହାକୁ ଅତି ସାମାନ୍ୟ ଲୋକ ବୋଲି ତୁଚ୍ଛ ଜ୍ଞାନ କରୁଛ, ଦିନେ ତାହାତିଦ୍ୱାରା କି କାର୍ଯ୍ୟ ସାଧିତ ହୋଇପାରେ, ତୁମ୍ଭେ ତାହା ଜାଣ ନାହିଁ । ବଙ୍ଗ, ବିହାର, ଓଡ଼ିଶାର ସୁବାଦାର ଗୋଟିଏ ସାମାନ୍ୟ ଫକୀର ପ୍ରତି ଅତ୍ୟାଚାର କରି ରକ୍ଷା ପାଇପାରି ନାହାନ୍ତି । ଶିଖଗୁରୁ ଗୋବିନ୍ଦ ଜଣେ ସାମାନ୍ୟ ମୁସଲମାନଙ୍କ ଉପକାର କରି ପ୍ରାଣସଙ୍କଟ ଜନକ ଘୋର ବିପଦରୁ ରକ୍ଷା ପାଇଥିଲେ । ସେ ଐତିହାସିକ ବଡ଼ ବଡ଼ କଥା ଛାଡ଼ିଦିଅ । ବାଘସିଂହ ଘରେ ଚୌକିଆ ଥିବା ହେତୁରୁ ରତନପୁରର ଯେଉଁ ଡମମାନଙ୍କୁ ଆମ୍ଭମାନଙ୍କ ମଙ୍ଗରାଜେ ଚକ୍ରାନ୍ତ କରି ଜେଲ ଦିଆଇଥିଲେ, ଘଟନାସୂତ୍ରରେ ଆଜି ସେହିମାନଙ୍କ ହାତରେ ଲାଞ୍ଛନା ଭୋଗ କରିବାକୁ ହେଲା ।

ରତନପୁର ମୌଜାର ଡମମାନେ ପ୍ରଥମଦିନ ମଙ୍ଗରାଜଙ୍କୁ ଜେଲଖାନାରେ ଦେଖି - ସଙ୍ଗାତ ଅଇଲେ - ଶଶୁର ଅଇଲେ - ସାଆନ୍ତେ ଅଇଲେ - କହି ହସି ହସି ଟାପରା କରି ତାଙ୍କୁ ଦଣ୍ତବତ କରିଥିଲେ । କେହି ଜଣେ ଧନବନ୍ତ ବଡ଼ ଲୋକ ଜେଲଗଲେ ପୁରୁଣା ସରଦାର କଏଦୀମାନେ କିଛି ପାଇବା ଆଶାରେ ତାହା ପ୍ରତି ଅତ୍ୟାଚାର କରିଥାନ୍ତି । ମଙ୍ଗରାଜେ ରତନପୁରିଆଙ୍କ ସାଙ୍ଗରେ ଘଣା ପେଲିବା ସମୟରେ ତାଙ୍କ ଉପରେ ଗୋଇଠାଏ, ଖୁନ୍ଦାଟାଏ ବାଜିଯାଉଥାଏ ।